Home General ନୂଆ ବାଚସ୍ପତି ବିକ୍ରମ ଆରୁଖ

ନୂଆ ବାଚସ୍ପତି ବିକ୍ରମ ଆରୁଖ

ଭୁବନେଶ୍ୱର : ବରିଷ୍ଠ ବିଜେଡି ବିଧାୟକ ବିକ୍ରମ କେଶରୀ ଆରୁଖ ଓଡିଶା ବିଧାନସଭାର ନୂତନ ବାଚସ୍ପତି ଭାବେ ନିର୍ଦନ୍ଦରେ ନିର୍ବାଚିତ ହୋଇଛନ୍ତି । ବାଚସ୍ପତି ନିର୍ବାଚନ ଲାଗି ଆଜି ଆହୂତ ବିଧାନସଭାର ସ୍ୱତନ୍ତ୍ର ଅଧିବେଶନରେ ସର୍ବସମ୍ମତକ୍ରମେ ଶ୍ରୀ ଆରୁଖ ଏହି ପଦରେ ଅଧିଷ୍ଠିତ ହୋଇଛନ୍ତି ।

ବିଧାନସଭାର ବାଚସ୍ପତି ଡକ୍ଟର ସୂର୍ଯ୍ୟ ନାରାୟଣ ପାତ୍ର ତାଙ୍କ ପଦରୁ ଇସ୍ତଫା ଦେବାପରେ ଏହି ପଦବୀଟି ଖାଲି ପଡିଥିଲା । ମନ୍ତ୍ରୀମଣ୍ଡଳରୁ ଇସ୍ତଫା ଦେଇଥିବା ବିଧାୟକ ଶ୍ରୀ ଆରୁଖ ବାଚସ୍ପତି ପଦବୀ ପାଇଁ ନାମାଙ୍କନପତ୍ର ଦାଖଲ କରିଥିଲେ । ବିଜେଡି ନିକଟରେ ବାଚସ୍ପତିଙ୍କୁ ଜିଣାଇବା ଲାଗି ସଂଖ୍ୟା ଗରିଷ୍ଠତା ଥିବାବେଳେ ବିରୋଧି ବିଜେପି କିମ୍ବା କଂଗ୍ରେସ କୌଣସି ପ୍ରାର୍ଥୀ ଦେଇନଥିଲେ ।

ବାଚସ୍ପତି ପଦବୀ ଲାଗି ଶ୍ରୀ ଆରୁଖ ଗତ ୧୦ତାରିଖରେ ନାମାଙ୍କନପତ୍ର ଦାଖଲ କରିଥିବାବେଳେ ଆଜି ବିଧାନସଭାର ସ୍ୱତନ୍ତ୍ର ଅଧିବେଶନରେ ନିର୍ବାଚିତ ହୋଇଥିଲେ । ଅଧିବେଶନ ଆରମ୍ଭରୁ ଗୃହ ପରିଚାଳନା କରୁଥିବା ଉପବାଚସ୍ପତି ରଜନୀକାନ୍ତ ସିଂହ ବାଚସ୍ପତି ନିର୍ବାଚନ ନେଇ ପ୍ରସ୍ତାବ ଆଣିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଡାକିଥିଲେ । ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଏ ସଂକ୍ରାନ୍ତୀୟ ପ୍ରସ୍ତାବ ଆଗତ କରିବାପରେ ଉପବାଚସ୍ପତି ଶ୍ରୀ ସିଂହ ଏହା ଉପରେ ଗୃହର ମତ ଲୋଡିଥିଲେ । ଶ୍ରୀ ଆରୁଖଙ୍କ ସପକ୍ଷରେ ଗୃହରେ ଏକମତ ପ୍ରକାଶ ପାଇଥିଲା । ଏହାପରେ ବିକ୍ରମ କେଶରୀ ଆରୁଖ ଓଡିଶା ବିଧାନସଭାର ନୂଆ ବାଚସ୍ପତି ଭାବେ ନିର୍ବାଚିତ ହୋଇଥିବା ନେଇ ଉପବାଚସ୍ପତି ଘୋଷଣା କରିବା ସହିତ ବାଚସ୍ପତିଙ୍କୁ ତାଙ୍କ ଆସନକୁ ଆସିବାକୁ ନିମନ୍ତ୍ରଣ କରିଥିଲେ ।

ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ, ବିଜେପି ବିଧାୟକଦଳର ମୁଖ୍ୟ ସଚେତକ ମୋହନ ଚରଣ ମାଝି, କଂଗ୍ରେସ ବିଧାୟକଦଳ ନେତା ନରସିଂହ ମିଶ୍ର, ସରକାରୀଦଳର ମୁଖ୍ୟ ସଚେତକ ପ୍ରଶାନ୍ତ କୁମାର ମୁଦୁଲି ପ୍ରମୁଖ ଶ୍ରୀ ଆରୁଖଙ୍କୁ ବାଚସ୍ପତିଙ୍କ ଆସନ ନିକଟକୁ ପାଛୋଟି ନେଇଥିଲେ ।

ବାଚସ୍ପତି ଭାବେ ର୍ନିଦ୍ୱନ୍ଦରେ ନିର୍ବାଚିତ ହୋଇଥିବାରୁ ଶ୍ରୀ ଆରୁଖ ଉପସ୍ଥିତ ମନ୍ତ୍ରୀ, ବିଧାୟକମାନଙ୍କୁ କୃତଜ୍ଞତା ଜ୍ଞାପନ ସହିତ ଆଗାମୀ ଦିନରେ ଗୃହର ମର୍ଯ୍ୟାଦା ରକ୍ଷା ସହିତ ଗୃହ ଯେଭଳି ସୁରୁଖୁରୁରେ ଚାଲିବ ସେଥିପାଇଁ ସହଯୋଗ ଲୋଡିଥିଲେ ।

ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ନୂତନ ବାଚସ୍ପତିଙ୍କୁ ବଧେଇ ଜଣାଇଥିଲେ । ବିଜେପି ଦଳର ମୁଖ୍ୟ ସଚେତକ ଶ୍ରୀ ମାଝି ଆଗାମୀ ଦିନରେ ଶ୍ରୀ ଆରୁଖ ନିରପେକ୍ଷ ଭାବେ ଗୃହ ସୁପରିଚାଳନା କରିବେ ବୋଲି ମତ ଦେଇଥିଲେ । କଂଗ୍ରେସ ବିଧାୟକଦଳ ନେତା ଶ୍ରୀ ସିଂହ କହିଥିଲେ ଯେ ପୂର୍ବରୁ ବାଚସ୍ପତି ଭାବେ ନିର୍ବାଚିତ ହେଉଥିବା ବିଧାୟକ ନିରପେକ୍ଷତା ପାଇଁ ନିଜ ଦଳରୁ ଇସ୍ତଫା ଦେଉଥିଲେ । ଏବେ ଆଉ ସେହି ପରମ୍ପରା ନାହିଁ ।

ତେବେ ଶ୍ରୀ ଆରୁଖଙ୍କର ଦୀର୍ଘ ଦିନର ରାଜନୈତିକ ଓ ବିଧାନସଭା କାର୍ଯ୍ୟରେ ଅଭିଜ୍ଞତା ଥିବାରୁ ସେ ନିରପେକ୍ଷ ଭାବେ ଗୃହ ପରିଚାଳନା କରିବା ସହିତ ବିରୋଧିଙ୍କ କଥା ଶୁଣିବେ ବୋଲି ଶ୍ରୀ ମିଶ୍ର ଆଶାବ୍ୟକ୍ତ କରିଥିଲେ । ଏଥି ସହିତ ନୂଆ ବାଚସ୍ପତିଙ୍କୁ ତାଙ୍କ ଦଳ ପକ୍ଷରୁ ସମସ୍ତ ପ୍ରକାର ସହଯୋଗ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ । ସିପିଆଇ ସଦସ୍ୟ ଲକ୍ଷ୍ମଣ ମୁଣ୍ଡା ନୂତନ ବାଚସ୍ପତଙ୍କୁ ବଧେଇ ଜଣାଇବା ସହିତ ତାଙ୍କ ଠାରୁ ଗୃହ ପରିଚାଳନାରେ ନିରପେକ୍ଷତା ଆଶା କରିଥିଲେ ।

ଆଜି ଆହୂତ ସ୍ୱତନ୍ତ୍ର ଅଧିବେଶନରେ ଗୃହରେ ନୂଆ ମନ୍ତ୍ରୀ, ମୁଖ୍ୟ ସଚେତକ ଓ ଉପମୁଖ୍ୟ ସଚେତକଙ୍କ ସମେତ ବହୁ ସଂଖ୍ୟାରେ ସଦସ୍ୟ ଉପସ୍ଥିତ ଥିବା ଲକ୍ଷ୍ୟ କରାଯାଇଥିଲା ।