Home General ନୂଆ ନମ୍ବର ପ୍ଲେଟ ପାଇଁ ଲୋକେ କଲବଲ

ନୂଆ ନମ୍ବର ପ୍ଲେଟ ପାଇଁ ଲୋକେ କଲବଲ

ଭୁବନେଶ୍ୱର : ଗାଡିମୋଟରରେ ଉଚ୍ଚ ନିରାପତ୍ତା ନମ୍ବର ପ୍ଲେଟ ଲଗାଇବା ବାବଦରେ ରାଜ୍ୟ ସରକାର ଟଙ୍କାଟିଏ ପାଉନଥିବାବେଳେ ଲୋକଙ୍କ ହୀନସ୍ତାର କିନ୍ତୁ ସୀମା ନାହିଁ । ଏଥିପାଇଁ ଅର୍ଥଶ୍ରାଦ୍ଧ ସହିତ ଘଣ୍ଟା ଘଣ୍ଟା ଧରି ଧାଡିରେ ଛିଡା ହୋଇ କଲବଲ ହେଉଛନ୍ତି ।

୨୦୧୯ ଏପ୍ରିଲ ପହିଲା ପୂର୍ବରୁ ପଞ୍ଜିକୃତ ହୋଇଥିବା ପ୍ରତ୍ୟେକ ଯାନରେ ଉଚ୍ଚ ନିରାପତ୍ତା ନମ୍ବର ପ୍ଲେଟ ଲଗାଇବାକୁ କେନ୍ଦ୍ରୀୟ ମୋଟରଯାନ ଆଇନ୍‍ ଅନୁଯାୟୀ କୁହାଯାଇଛି । ଏଥିପାଇଁ ଚଳିତବର୍ଷ ଶେଷ ସୁଦ୍ଧା ସମୟ ଧାର୍ଯ୍ୟ ହୋଇଥିବାବେଳେ ଅନ୍‍ଲାଇନ୍‍ରେ ଆବେଦନ କରିବାକୁ ପଡୁଛି । ତେବେ ଦୁଇ ଚକିଆ ମାଲିକମାନେ ଏଥିଲାଗି ୩୫୦ରୁ ଅଧିକ ଟଙ୍କା ପଇଠ କରୁଥିବାବେଳେ ଚାରିଚକିଆ ମାଲିକମାନେ ୭୫୦ରୁ ଅଧିକ ଟଙ୍କା ପଇଠ କରୁଛନ୍ତି ।

ଟଙ୍କା ପଇଠ ସହିତ ଗାଡିମାଲିକମାନେ କେଉଁ ଡିଲରଙ୍କ ନିକଟରେ ଏହାକୁ ଲଗାଇବାକୁ ଚାହୁଁଛନ୍ତି ତାହା ଚୟନ କରିବାକୁ କୁହାଯାଇଛି । ହେଲେ ଏବେ ଅଧିକାଂଶ ଗାଡି ଡିଲରଙ୍କ ନିକଟରେ ଆଉ ନିକଟ ଭବିଷ୍ୟତ ପାଇଁ ତାରିଖ ନାହିଁ । ବିଶେଷକରି ସହରାଞ୍ଚଳର ଡିଲରଙ୍କ ନିକଟରେ ପ୍ରବଳ ଭିଡ । ତେବେ ଯେଉଁମାନଙ୍କର ନମ୍ବର ପ୍ଲେଟ ଆସିଯାଉଛି ସେମାନଙ୍କୁ ଏହା ଲଗାଇବାକୁ ଅତି କମ୍‍ରେ ଦିନେ ଦୁଇ ଦିନ ଧାଡିରେ ଛିଡା ହେବାକୁ ପଡୁଛି ।

ଭିଡରୁ ବର୍ତ୍ତିବାପାଇଁ ବିଭିନ୍ନ ସ୍ଥାନରେ ଏବେ ହାତଗୁଞ୍ଜା କାରବାର ଆରମ୍ଭ ହୋଇଗଲାଣି । କେଉଁଠି ୧୦୦ ରୁ ଆଉ କେଉଁଠି ୨୦୦ । ସେହିଭଳି ପ୍ରସ୍ତୁତ ହେଉଥିବା ନୂଆ ନମ୍ବର ପ୍ଲେଟକୁ ଅଧିକ ସୁରକ୍ଷିତ ରଖିବାପାଇଁ ଏବେ ବିଭିନ୍ନ ସ୍ଥାନରେ ପ୍ଲାଷ୍ଟିକ ଓ ଫାଇବରର ଫ୍ରେମ୍‍ ବେପାର ବି ଆରମ୍ଭ ହେଲାଣି । ଏଥିପାଇଁ ୨୦୦ ରୁ ଆରମ୍ଭ କରି ୫୦୦ ଟଙ୍କା ପର୍ଯ୍ୟନ୍ତ ଗଣିବାକୁ ପଡୁଛି । ଅବଶ୍ୟ ଏହା ଗାଡି ମାଲିକଙ୍କ ଉପରେ ନିର୍ଭର କରୁଛି । କିନ୍ତୁ ନମ୍ବରପ୍ଲେଟର ଅବସ୍ଥା ଦେଖିଲା ପରେ ଏବେ ବହୁ ଗାଡିମାଲିକ ଏଭଳି ଫ୍ରେମ କିଣିବାକୁ ଏକ ପ୍ରକାର ବାଧ୍ୟ ହେଉଛନ୍ତି ।

ସହରାଞ୍ଚଳର ଲୋକେ କୌଣସି ପ୍ରକାରେ ନିଜର ପୁରୁଣା ଗାଡିର ନୂଆ ନମ୍ବର ପାଇଁ ଅନଲାଇନ୍‍ରେ ବୁକିଂ କରୁଥିବାବେଳେ ଗାଁ ଗହଳର ଲୋକେ କିନ୍ତୁ ନାକେଦମ ହେଉଛନ୍ତି । କିଏ ନମ୍ବରପ୍ଲେଟ ପାଇଁ ୩୦ କିଲୋମିଟର ତ ଆଉ କିଏ ୪୦ କିଲୋମିଟର ଦୂରକୁ ଯାଉଛି ।

ତେଣୁ ଅନଲାଇନ୍‍ରେ ଗାଡି ମାଲିକଙ୍କ ଠାରୁ ଶହ ଶହ ଟଙ୍କା ଗଣି ନେଉଥିବା ସଂସ୍ଥାମାନେ ଯେଭଳି ଲୋକଙ୍କ ଘର ପାଖରେ ଆସି ସେବା ଯୋଗାଇବେ ସେ ଦିଗରେ ପଦକ୍ଷେପ ନେବାକୁ ଦାବି ହେଉଛି । ନହେଲେ ସରକାର ଦେଇଥିବା କଣ୍ଟ ଯେତିକି ଯେତିକି ପାଖେଇ ଆସୁଛି ଲୋକେ କାମଧନ୍ଦା ଛାଡି ନମ୍ବରପ୍ଲେଟ ପାଇଁ ଧାଡି ଲଗାଇବା ଆରମ୍ଭ କଲେଣି । ଏଭଳି ଦୃଶ୍ୟ ଏବେ ପୂର୍ବରୁ ପ୍ରଦୂଷଣ ଯାଞ୍ଚ ଅବସ୍ଥାର ପୁନରାବୃତ୍ତି ଅବସ୍ଥା ସୃଷ୍ଟି କରିଛି । ଯଦି ଏ ଦିଗରେ କୌଣସି ପଦକ୍ଷେପ ନିଆନଯାଏ ତେବେ ସରକାର ଦେଇଥିବା କଣ୍ଟ ସମୟ ମଧ୍ୟରେ ଲକ୍ଷ ଲକ୍ଷ ଗାଡି ନମ୍ବରପ୍ଲେଟ ଲଗାଇବା ସମ୍ଭବ ହେବନାହିଁ ବୋଲି କୁହାଗଲାଣି । (ତଥ୍ୟ)