Home Administration ନୂଆବର୍ଷରେ ପ୍ରଶାସନିକ ଓ ରାଜନୈତିକ ସଂସ୍କାର

ନୂଆବର୍ଷରେ ପ୍ରଶାସନିକ ଓ ରାଜନୈତିକ ସଂସ୍କାର

ଭୁବନେଶ୍ୱର : ଖୁବ୍‍ଶୀଘ୍ର ଓଡ଼ିଶାରେ ପ୍ରଶାସନିକ ଓ ରାଜନୈତିକ କ୍ଷେତ୍ରରେ ବଡ଼ଧରଣର ଅଦଳବଦଳ ହେବାକୁ ଯାଉଛି । ନୂଆବର୍ଷରେ ରାଜ୍ୟ ପ୍ରଶାସନ ଓ ରାଜନୀତିରେ ନୂଆ ହଟଚମଟ ସୃଷ୍ଟି ହେବାର ଢେର୍‍ ଅଧିକ ସମ୍ଭାବନା ରହିଛି ।

ରାଜ୍ୟ ମୁଖ୍ୟ ଶାସନ ସଚିବ ଅସିତ୍‍ ତ୍ରିପାଠୀ ଚଳିତ ଡିସେମ୍ବର ଶେଷରେ ସରକାରୀ ଚାକିରିରୁ ଅବସର ଗ୍ରହଣ କରିବାକୁ ଯାଉଥିବା ବେଳେ ସମ୍ଭବତଃ ଉନ୍ନୟନ କମିଶନର ଥିବା ବରିଷ୍ଠ ଆଇଏଏସ୍‍ ଅଫିସର ସୁରେଶ ଚନ୍ଦ୍ର ମହାପାତ୍ର ନୂଆବର୍ଷରୁ ନୂଆ ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ୱ ଗ୍ରହଣ କରିପାରନ୍ତି । ଏ ପରିପ୍ରେକ୍ଷୀରେ ରାଜ୍ୟ ଓ ଜିଲ୍ଲା ପ୍ରଶାସନରେ ବଡ଼ଧରଣର ଅଦଳବଦଳ ସମ୍ଭାବନା ସୃଷ୍ଟି ହୋଇଛି ।

ଇତିମଧ୍ୟରେ ଶାସକ ବିଜୁ ଜନତା ଦଳର ରାଜ୍ୟ କାର୍ଯ୍ୟକାରିଣୀ ଓ ଯୁବଶାଖାର ଦୁଇଟି ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି । ଏହି ଦୁଇ ବୈଠକରୁ ବିଜେଡି ତାହାର ସାଙ୍ଗଠନିକ ସ୍ଥିତିକୁ ଗାଁରୁ ରାଜଧାନୀ ପର୍ଯ୍ୟନ୍ତ ଆହୁରି ଅଧିକ ସୁଦୃଢ଼ କରିବାକୁ ଯାଉଥିବା ସୂଚନା ମିଳୁଛି । କିଛିଦିନ ତଳେ ବିଜେଡି ରାଜ୍ୟରୁ ମଣ୍ଡଳ ପର୍ଯ୍ୟନ୍ତ ଏବଂ ବିଭିନ୍ନ ଛାମୁଆ ସଙ୍ଗଠନରେ ବ୍ୟାପକ ସଂସ୍କାର ଆଣି ଅନେକଙ୍କୁ ଦାୟିତ୍ୱ ଦେଇଛି ।

ଆସନ୍ତା ପୌର, ସମବାୟ ଓ ପଞ୍ଚାୟତ ନିର୍ବାଚନକୁ ଆଖିଆଗରେ ରଖି ଏବେ ପ୍ର୍ରତି ପରିବାର କିଭଳି ବିଜେଡି ସହିତ ଯୋଡ଼ାଯାଇପାରିବ ସେଥିଘେନି ବିଭିନ୍ନ କ୍ଷେତ୍ରରେ ଥିବା ନେତାମାନେ ପୁରା ଦମ୍‍ରେ କାମ ଚଳାଇଛନ୍ତି । ଦୁଇଟିଯାକ ବିଧାନସଭା ଉପନିର୍ବାଚନ ଜିଣିବା ସହ ବିଜେପି ହାତରୁ ବିଜେଡି ବାଲେଶ୍ୱର ଆସନ ଛଡ଼ାଇ ଆଣିବା ପରେ ଏବେ ପିପିଲି ଉପନିର୍ବାଚନରେ କିଭଳି ରେକର୍ଡ ସଂଖ୍ୟକ ଭୋଟ୍‍ ପାଇବ ସେ ଦିଗରେ କାର୍ଯ୍ୟ କରୁଛି ।

୨୦୨୪ରେ ବିଜେପି ଦୁଇତୃତୀୟାଂଶ ଆସନ ଜିଣି ଓଡ଼ିଶାରେ ସରକାର ଗଢ଼ିବ ବୋଲି ଗଣମାଧ୍ୟମରେ ପ୍ରଚାର କରୁଥିବା ବେଳେ ବିଜେଡି କିନ୍ତୁ ସର୍ବକାଳୀନ ରେକର୍ଡ ଯେଭଳି ସୃଷ୍ଟି ହେବ ତାହାକୁ ଆଖିଆଗରେ ରଖି ସାଙ୍ଗଠନିକ ସ୍ଥିତିକୁ ଅଧିକ ସୁଦୃଢ଼ କରିବାରେ ଲାଗିଛି ।

୨୦୧୯ର ସାଧାରଣ ନିର୍ବାଚନ ପୂର୍ବରୁ ବିଜେଡିର କେତେକ ମନ୍ତ୍ରୀ ସ୍ୱେଚ୍ଛାକୃତ ଭାବେ ଇସ୍ତଫା ଦେଇ ସାଙ୍ଗଠନିକ କାର୍ଯ୍ୟରେ ମନୋନିବେଶ କରିଥିଲେ । ଏହାର ସୁଫଳ ନିର୍ବାଚନରେ ମିଳିଥିଲା । ଏହାକୁ ଆଖିଆଗରେ ରଖି ଖୁବ୍‍ଶୀଘ୍ର ବିଜେଡିର ଆଉ କିଛି ମନ୍ତ୍ରୀ ସରକାରରୁ ଇସ୍ତଫା ଦେଇ ସାଙ୍ଗଠନିକ ଦାୟିତ୍ୱ ମୁଣ୍ଡାଇପାରନ୍ତି ବୋଲି ଦଳୀୟ ମହଲରେ ଚର୍ଚ୍ଚା ଚାଲିଛି । ଏହା ହେଲେ ମନ୍ତ୍ରିମଣ୍ଡଳରେ ବ୍ୟାପକ ପରିବର୍ତ୍ତନ ସହ ବିଭାଗ ଅଦଳବଦଳ ହୋଇପାରେ । ତେବେ ଏ ନିଷ୍ପତ୍ତି ଦଳୀୟ ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଉପରେ ନିର୍ଭର କରୁଛି ।

ଇତିମଧ୍ୟରେ କଂଗ୍ରେସ ଓ ବିଜେପିର ନୂଆ ରାଜ୍ୟ ପ୍ରଭାରୀ ଓଡ଼ିଶା ବୁଲି ଯାଇଛନ୍ତି । ଦିଲ୍ଳୀରେ କଂଗ୍ରେସର ମାନସମନ୍ଥନ ଚାଲିଥିବା ବେଳେ ଏହି ଦଳର ସର୍ବଭାରତୀୟ ଓ ପ୍ରାଦେଶିକ ସଙ୍ଗଠନରେ ମଧ୍ୟ ବ୍ୟାପକ ଅଦଳବଦଳ ସୂଚନା ମିଳୁଛି ।

LEAVE A REPLY

Please enter your comment!
Please enter your name here