Home Health ନୂଆବର୍ଷରେ ଏସ୍‍ସିବି ପ୍ରକଳ୍ପ ଭେଟି

ନୂଆବର୍ଷରେ ଏସ୍‍ସିବି ପ୍ରକଳ୍ପ ଭେଟି

ଭୁବନେଶ୍ୱର : ନୂଆବର୍ଷର ଅବ୍ୟବହିତ ପୂର୍ବରୁ ରାଜ୍ୟ ସରକାର ଓଡିଶାବାସୀଙ୍କୁ ଏସ୍‍ସିବିର ନୂଆ ପ୍ରକଳ୍ପ ଭେଟି ଦେଇଛନ୍ତି । କଟକ ଶ୍ରୀରାମଚନ୍ଦ୍ର ମେଡିକାଲ କଲେଜର ନବକଳେବର ସହିତ ଏଠାରେ ଏମ୍‍ସ ପ୍ଲସ ବିଶ୍ୱସ୍ତରୀୟ ଚିକିତ୍ସା ସୁବିଧା ଯୋଗାଇ ଦେବାପାଇଁ ରାଜ୍ୟ ସରକାର ୩୫୦୦ କୋଟି ଟଙ୍କା ବ୍ୟୟ କରିବେ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି ।

୨୦୨୪ ଜାନୁୟାରୀ ସୁଦ୍ଧା ପ୍ରକଳ୍ପ କାର୍ଯ୍ୟ ସରିବାର ଲକ୍ଷ୍ୟ ରହିଥିବାବେଳେ ସରକାରୀ ସ୍ତରରେ ଏହା ହେବ ଦେଶର ସର୍ବ ବୃହତ୍‍ ପ୍ରକଳ୍ପ । ୫୦୦୦ ଶଯ୍ୟା ସହିତ ଡାକ୍ତର, ରୋଗୀ ଓ ଅନ୍ୟ ସ୍ୱାସ୍ଥ୍ୟ କର୍ମଚାରୀଙ୍କ ପାଇଁ ଅତ୍ୟାଧୁନିକ ଚିକିତ୍ସା ସୁବିଧା ଏଠାରେ ଉପଲବ୍ଧ ହେବ ।

ମୁଖ୍ୟମନ୍ତ୍ରୀଙ୍କ ୫-ଟି କାର୍ଯ୍ୟକ୍ରମ ଅଧିନରେ ଚିକିତ୍ସା ଓ ଡାକ୍ତରୀ ଶିକ୍ଷା କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ଆଣିବା ଲକ୍ଷ୍ୟ ନେଇ ଆରମ୍ଭ ହେବାକୁ ଥିବା ଏହି ପ୍ରକଳ୍ପ ରୋଗୀମାନଙ୍କୁ ସୁଲଭ ତଥା ଗୁଣାତ୍ମକ ଚିକିତ୍ସା ସେବାଯୋଗାଇବାରେ ଏକ ଉଦାହରଣ ହୋଇ ରହିଯିବ ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ବହୁ ଓଡିଆ ଡାକ୍ତର ଦେଶ ବିଦେଶରେ ଚିକିତ୍ସାସେବା ଯୋଗାଇ ସୁନାମ କରିଛନ୍ତି । ସେମାନେ ଯେଭଳି ନିଜ ଜନ୍ମମାଟିରେ ନିଜ ଦକ୍ଷତା ପ୍ରତିପାଦନ ସହିତ ଓଡିଶାବାସୀଙ୍କୁ ସେବା ଯୋଗାଇବେ ସେଥିପାଇଁ ଏକ ଉତ୍ତମ ପରିବେଶ ସୃଷ୍ଟି କରାଯାଉଛି । ସେ ନିଜେ ବ୍ୟକ୍ତିଗତଭାବେ ପ୍ରକଳ୍ପର ଅନୁଧ୍ୟାନ କରୁଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି ।

୧୭୫ ଏକର ଜମିରେ ବିକଶିତ ହେବାକୁ ଥିବା ଏହି ପ୍ରକଳ୍ପରେ ପ୍ରଥମ ପର୍ଯ୍ୟାୟରେ ୩୫୦୦ ଶଯ୍ୟା କରାଯିବା ଏବଂ ଦ୍ୱିତୀୟ ପର୍ଯ୍ୟାୟରେ ଏହାକୁ ୫୦୦୦ ଶଯ୍ୟାକୁ ସମ୍ପ୍ରସାରଣ କରାଯିବ । ତିନି ବର୍ଷରେ ଶେଷହେବାକୁ ଲକ୍ଷ୍ୟ ଥିବା ଏହି ପ୍ରକଳ୍ପରେ ଡାକ୍ତର, ରୋଗୀ, ରୋଗୀଙ୍କ ସହାୟକ, ସ୍ୱାସ୍ଥ୍ୟ କର୍ମଚାରୀଙ୍କ ପାଇଁ ଅତ୍ୟାଧୁନିକ ସୁବିଧା ରହିବ ।

ଏଥି ସହିତ ଅତ୍ୟାଧୁନିକ ଚିକିତ୍ସା ଉପକରଣ, ପରିବହନ ବ୍ୟବସ୍ଥା, ଆଧୁନିକ ରେଷ୍ଟୁରାଣ୍ଟ, ବାଣିଜ୍ୟ କେନ୍ଦ୍ର ଓ ସୁରକ୍ଷା ବ୍ୟବସ୍ଥା ଆଦି ଉପଲବ୍ଧ ହେବ । ଏଥିରେ ୧୨୮୦ଟି ସରକାରୀ ବାସଗୃହ ସହିତ ଛାତ୍ରାବାସରେ ଅଧିକ ୨୨୦୦ ଛାତ୍ରଛାତ୍ରୀ ରହିବାର ବ୍ୟବସ୍ଥା ହେବ । କ୍ରୀଡା ଓ ମନୋରଞ୍ଜନ ପାଇଁ ଉତ୍ତମ ବ୍ୟବସ୍ଥା କରାଯିବ ।

ମେଡିକାଲ କଲେଜ ପରିଚାଳନା ପାଇଁ ସ୍ୱାଧୀନ ପରିଚାଳନାମଣ୍ଡଳୀ ରହିବ ଏବଂ ଏହା ବ୍ୟବସ୍ଥାରେ ପରିବର୍ତ୍ତନ ଆଣିବା ସହିତ ଚିକିତ୍ସା, ଶିକ୍ଷା ଓ ଗବେଷଣାର ମାନ ବୃଦ୍ଧି ପାଇଁ କାମ କରିବ । ବୈଠକରେ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ, ଉନ୍ନୟନ କମିଶନର ସୁରେଶ ଚନ୍ଦ୍ର ମହାପାତ୍ର, ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର, ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଭି.କେ. ପାଣ୍ଡିଆନ ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ । ପୂର୍ତ୍ତ ସଚିବ ଡକ୍ଟର କ୍ରିଷନ କୁମାର ପ୍ରକଳ୍ପ ସମ୍ପର୍କରେ ବିସ୍ତୃତ ଉପସ୍ଥାପନା ରଖିଥିଲେ ।