Home Culture ନୀଳାଚଳ ହାଟରେ ସାଂସ୍କୃତିକ ବିଭବ ପ୍ରଦର୍ଶିତ

ନୀଳାଚଳ ହାଟରେ ସାଂସ୍କୃତିକ ବିଭବ ପ୍ରଦର୍ଶିତ

ଭୁବନେଶ୍ୱର : ପୁରୀଠାରେ ନୀଳାଚଳ ହାଟକୁ ଓଡ଼ିଶାର ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ଶ୍ରୀମତୀ ରୀତା ସାହୁ ଲୋକାର୍ପିତ କରିଛନ୍ତି । ଏକାମ୍ର ହାଟ ଭଳି ବର୍ଷସାରା ନିରନ୍ତର ଭାବେ କାରିଗର ଓ ବୁଣାକାରମାନଙ୍କ ଦ୍ୱାରା ପ୍ରସ୍ତୁତ ସାମଗ୍ରୀ ପ୍ରଦର୍ଶନ ଓ ବିକ୍ରୟ କରିବା ଏହି ହାଟର ମୂଳ ଲକ୍ଷ୍ୟ ।

୨୦୨୦ ମସିହାରେ, ଓଡ଼ିଶାରେ ଥିବା ଅର୍ବାନ ହାଟଗୁଡ଼ିକର ପରିଚାଳନା ଦାୟିତ୍ୱ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ନିଜ ହାତକୁ ନେବା ପରେ, ପୁରୀ ନୀଳାଚଳ ହାଟକୁ କାରିଗର ଓ ବୁଣାକାରମାନଙ୍କର ବ୍ୟବସାୟ ଉଦ୍ଦେଶ୍ୟରେ ନୂତନ ଭାବରେ ପ୍ରସ୍ତୁତ କରାଯାଇଛି । ଓଡ଼ିଶାର ହସ୍ତଶିଳ୍ପ ତଥା ବୁଣାକାରମାନଙ୍କୁ ସେମାନଙ୍କ ଉତ୍ପାଦିତ ହସ୍ତଶିଳ୍ପ ଓ ହସ୍ତତନ୍ତ ସାମଗ୍ରୀର ବଜାର ପାଇଁ ସୁଯୋଗ ସୃଷ୍ଟି କରିବା ଅର୍ବାନ ହାଟର ମୁଖ୍ୟ ଉଦ୍ଦେଶ୍ୟ ।

ଏହି ହାଟରେ ଥିବା ୩୬ଟି ଷ୍ଟଲ ଉଭୟ ହସ୍ତଶିଳ୍ପ ଓ ହସ୍ତତନ୍ତ ପାଇଁ ଉଦ୍ଦିଷ୍ଟ । ପରିଦର୍ଶକମାନେ ନୀଳାଚଳ ହାଟରେ ହସ୍ତଶିଳ୍ପୀ ଓ ବୁଣାକାରମାନଙ୍କ ଉତ୍ପାଦିତ ପ୍ରକୃତ ହସ୍ତଶିଳ୍ପ ତଥା ହସ୍ତତନ୍ତ ସାମଗ୍ରୀ ପ୍ରତ୍ୟକ୍ଷ ଭାବେ ଦେଖିବା ଓ କିଣିବା ସୁଯୋଗ ପାଇପାରିବେ ତଥା ସେମାନଙ୍କ ସହ ଭାବର ଆଦାନପ୍ରଦାନ କରିପାରିବେ ।

ଏଠାରେ ହସ୍ତଶିଳ୍ପୀ ଓ ବୁଣାଗାରମାନଙ୍କ ଦ୍ୱାରା ହସ୍ତଶିଳ୍ପ ତଥା ହସ୍ତତନ୍ତର ପ୍ରତ୍ୟକ୍ଷ ପ୍ରଦର୍ଶନର ବ୍ୟବସ୍ଥା କରାଯାଇଛି, ଯଦ୍ଦ୍ୱାରା ପରିଦର୍ଶକମାନେ ଓଡ଼ିଶାର ହସ୍ତଶିଳ୍ପ ତଥା ହସ୍ତତନ୍ତର ପ୍ରସ୍ତୁତିପ୍ରଣାଳୀ ବିଷୟରେ ପ୍ରତ୍ୟକ୍ଷ ଜ୍ଞାନ ଆହରଣ କରିପାରିବେ । ଏହି ହାଟରେ ବୟନିକା, ଅମ୍ଳାନ, ସମ୍ବଲପୁରୀ ବସ୍ତ୍ରାଳୟ ଓ ଉତ୍କଳିକା ସଂସ୍ଥାମାନଙ୍କ ଷ୍ଟଲ ଖୋଲାଯାଇଛି ।

ନୀଳାଚଳ ହାଟରେ ମୁକ୍ତାକାଶ ଜଳପାନ ଷ୍ଟଲ ବ୍ୟବସ୍ଥା ମଧ୍ୟ କରାଯାଉଛି । ସେହି ଷ୍ଟଲମାନଙ୍କରେ ପାରମ୍ପରିକ ଓଡ଼ିଆ ଖାଦ୍ୟ ସହିତ ଭାରତର ଅନ୍ୟାନ୍ୟ ପ୍ରାନ୍ତର ସୁସ୍ୱାଦୁ ଖାଦ୍ୟମାନ ଉପଲବ୍ଧ ହେଉଛି । ପରିଦର୍ଶକ/ପ୍ରଦର୍ଶକ/କ୍ରେତାମାନଙ୍କ ସୁବିଧା ନିମନ୍ତେ ନୀଳାଚଳ ହାଟ ପରିସରରେ ମୁକ୍ତାକାଶ ମଂଚ, ଗ୍ରୀନ୍‌ ରୁମ୍‌ ଓ ଡର୍ମିଟୋରୀ ଇତ୍ୟାଦିର ସୁବିଧା ଅଛି ।

ନୀଳାଚଳ ହାଟ ଏପରି ଏକ ସୁନ୍ଦର ପରିକଳ୍ପନା ଯେଉଁଠାରେ ଓଡ଼ିଶା ରାଜ୍ୟର ପୁରାତନ ସଂସ୍କୃତି ଓ ପରମ୍ପରା ସହିତ ହସ୍ତଶିଳ୍ପ ଓ ହସ୍ତତନ୍ତ ତଥା ପାରମ୍ପରିକ ସୁସ୍ୱାଦୁ ଖାଦ୍ୟକୁ ଉପଲବ୍ଧ କରାଯାଇଛି । ନୀଳାଚଳ ହାଟ ପ୍ରତ୍ୟେକ ଦିନ ୧୦ଟାରୁ ରାତି ୯ଟା ପର୍ଯ୍ୟନ୍ତ ସମସ୍ତ କୋଭିଡ୍‌-୧୯ ନିୟମ ପାଳନ ସହିତ ଖୋଲା ରହୁଛି । ନୀଳାଚଳ ହାଟର ପରିଚାଳନା ଦାୟିତ୍ୱ, ରାଜ୍ୟ କଳା ଓ ହସ୍ତଶିଳ୍ପ ବିକାଶ ଅନୁଷ୍ଠାନ (ସିଡାକ୍‌), ଭୁବନେଶ୍ୱର ଉପରେ ନ୍ୟସ୍ତ ହୋଇଛି ।