Home News in Odia ନୀରଜ ଆଣିଲେ ସ୍ୱର୍ଣ୍ଣ

ନୀରଜ ଆଣିଲେ ସ୍ୱର୍ଣ୍ଣ

ଭୁବନେଶ୍ୱର : ଭାରତୀୟ ଆଥଲେଟ ନୀରଜ ଚୋପ୍ରା ଟୋକିଓ ଅଲମ୍ପିକ୍ସରେ ଆଜି ଦେଶପାଇଁ ସ୍ୱର୍ଣ୍ଣ ଆଣିଛନ୍ତି । ପ୍ରଥମ ଭାରତୀୟ ଭାବେ ଆଥଲେଟରେ ସେ ଭାରତ ପାଇଁ ଏହି ଗୌରବ ଆଣିଥିବାବେଳେ ଏହାକୁ ମିଶାଇ ଭାରତ ମୋଟ୍‍ ୭ଟି ପଦକ ହାସଲ କରିଛି ।

ଜାଭେଲିନ୍‍ ଥ୍ରୋରେ ନୀରଜ ଫାଇନାଲକୁ ଯିବାପରେ ସମଗ୍ର ଦେଶର ନଜର ତାଙ୍କ ଉପରେ ରହିଥିଲା । ତେବେ ଆଜି ନିରଜ ୮୭.୫୮ ମିଟରକୁ ଜାଭେଲିନ୍‍ ଫୋପାଡି ଭାରତୀୟମାନଙ୍କ ଆଶା ପୂରଣ କରିଥିଲେ । ପୂର୍ବରୁ ଦୁଇଟି ରୌପ୍ୟ ଓ ୪ଟି ବ୍ରୋଞ୍ଚ ପଦକ ପାଇ ସ୍ୱର୍ଣ୍ଣକୁ ଅନାଇ ବସିଥିବା ଦେଶବାସୀଙ୍କ ମଧ୍ୟରେ ଖୁସିର ଲହରୀ ଖେଳି ଯାଇଥିଲା ।

ରାଷ୍ଟ୍ରପତି ରାମନାଥ କୋବିନ୍ଦ, ଉପରାଷ୍ଟ୍ରପତି ଭେଙ୍କିୟା ନାଇଡୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ବିଭିନ୍ନ ଆଡୁ ପ୍ରଶଂସାର ସୁଅ ଛୁଟିଥିଲା । ତେବେ ରାଜ୍ୟ କ୍ରୀଡା ସଚିବ ଆର. ଭିନିଲ କ୍ରିଷ୍ଣାଙ୍କ ଟୁଇଟ୍‍ ନିରଜଙ୍କ ଓଡିଶା ଲିଙ୍କ୍‍ର ସୂଚନା ଦେଇଥିଲା ।

ଅଲମ୍ପିକ୍ସ ପାଇଁ ନୀରଜ ଓଡିଶାର କଳିଙ୍ଗ ଷ୍ଟାଡିୟମରେ ଦୁଇମାସ ଧରି ଅଭ୍ୟାସ କରିଥିଲେ । ପୂରା ଜାଭେଲିନ୍‍ ଟିମ୍‍ କଳିଙ୍ଗ ଷ୍ଟାଡିୟମରେ ଡେରା ପକାଇଥିଲା । ସେତେବେଳେ ନିରଜ ଗଣମାଧ୍ୟମକୁ କହିଥିଲେ ଯେ ଅଲମ୍ପିକ୍ସରେ ପଦକ ଆଣିବା ତାଙ୍କର ଲକ୍ଷ୍ୟ । ଆଜି ସ୍ୱର୍ଣ୍ଣ ଆଣିବାପରେ ଓଡିଶାରେ ଖୁସିର ଲହରୀ ଖେଳି ଯାଇଛି ।