Home General ନିଶା ପାଇଁ ଘଟୁଛି ଅପରାଧ

ନିଶା ପାଇଁ ଘଟୁଛି ଅପରାଧ

ଭୁବନେଶ୍ୱର : ନିଶା ବେପାରୀ ଓ ନିଶାଡିଙ୍କ ପାଇଁ ହତ୍ୟା, ଧର୍ଷଣ, ମାରପିଟ୍‍ ସମେତ ଅନେକ ଅପରାଧ ଘଟୁଛି । ଅପରାଧର ଏହି ମୂଳ ସ୍ରୋତକୁ ଦମନ ନକରାଯିବା ପର୍ଯ୍ୟନ୍ତ ଆଇନ୍‍ଶୃଙ୍ଖଳା ବ୍ୟବସ୍ଥାକୁ ଶୃଙ୍ଖଳିତ କରିବା ମୁସ୍କିଲ ହୋଇପଡୁଛି । ଏକଥା ସାଧାରଣ ଲୋକଙ୍କ ଠାରୁ ଆରମ୍ଭକରି ପୁଲିସ୍‍ ମଧ୍ୟ ସ୍ୱୀକାର କରୁଛନ୍ତି ।

କେବଳ ଭୁବନେଶ୍ୱର କି ଓଡିଶା ନୁହେଁ ଆମ ରାଜ୍ୟ ସମେତ ଦେଶର ବିଭିନ୍ନ ଅଞ୍ଚଳରେ ନିଶା କାରବାର ଲଗାମଛଡା ଭାବେ ବୃଦ୍ଧିପାଉଛି । ଦଳମତ ନିର୍ବିଶେଷରେ ଏହି ବେପାର ପାଇଁ ରାଜନୈତିକ ପୃଷ୍ଠପୋଷକତା ମିଳୁଥିବା କଥା ବାରମ୍ବାର ବିଭିନ୍ନ ତଦନ୍ତ କମିଶନଙ୍କ ରିପୋର୍ଟରେ ବି ଉଲ୍ଲେଖ କରାଯାଇଛି । ଏହା ସତ୍ୱେ ନିଶା କାରବାରକୁ ନିୟନ୍ତ୍ରିତ କରି ସାଧାରଣ ଲୋକଙ୍କ ଧନଜୀବନକୁ ଠିକଣା ଭାବେ ସୁରକ୍ଷିତ ରଖାଯାଇ ପାରୁନାହିଁ ।

ଖୋଦ ରାଜଧାନୀରେ ଦୁଇଦିନ ତଳେ ନିଶା ବ୍ୟବସାୟ ସହ ଜଡିତ କିଛି ବ୍ୟକ୍ତି ଜଣେ ଯୁବକଙ୍କୁ ସର୍ବସମକ୍ଷରେ ଛୁରୀଭୁଷି ହତ୍ୟା କରିଛନ୍ତି । କେବଳ ସେତିକି ନୁହେଁ, ରାଜଧାନୀ ଉପକଣ୍ଠରେ ନିଜ ନାବାଳିକା ଝିଅକୁ ଧର୍ଷଣ କରିବା ଅଭିଯୋଗରେ ଜଣେ ବ୍ୟକ୍ତି ମଧ୍ୟ ଗିରଫ ହୋଇଛନ୍ତି । ଏମିତିକି ସ୍ୱାମୀ ମଦ ଖାଇବାରୁ ଜଣେ ପୁଲିସ୍‍ କନେଷ୍ଟବଳ ଗଞ୍ଜାମ ଜିଲ୍ଲାରେ ଆତ୍ମହତ୍ୟା କରିବାପରେ ପୁଲିସ୍‍ ଚାକିରିରେ ଥିବା ତାଙ୍କ ସ୍ୱାମୀ ବି ଏଥିରେ ମ୍ରିୟମାଣ ହୋଇ ବିଷପିଇ ଏବେ ଡାକ୍ତରଖାନାରେ ମୁର୍ମୁଷୁ ଅବସ୍ଥାରେ ଥିବାବେଳେ ଏହି ଦମ୍ପତ୍ତିଙ୍କର ମାତ୍ର ୨୫ଦିନ କୁନି ଝିଅଟି ବେସାହାରା ହୋଇପଡିଛି ।

ଚୋରା ନିଶା କାରବାର ରୋକିବାପାଇଁ ଉଭୟ ପୁଲିସ୍‍ ଓ ଅବକାରୀ ବିଭାଗ ପଦକ୍ଷେପ ନେଉଛନ୍ତି । ଯାହାର ଫଳ ସ୍ୱରୂପ ରାଜଧାନୀ ସମେତ ରାଜ୍ୟର ବିଭିନ୍ନ ଅଞ୍ଚଳରେ ବ୍ରାଉନସୁଗାର, ଗଞ୍ଜେଇ ଠାରୁ ଆରମ୍ଭକରି ବିପୁଳ ପରିମାଣର ଚୋରା ମଦ ଓ କଫସିରପ ଆଦି ଜବତ ହେଉଥିବାର ସମ୍ବାଦ ପ୍ରାୟ ପ୍ରତିଦିନ ଗଣମାଧ୍ୟମରେ ପ୍ରକାଶ ପାଉଛି । କିନ୍ତୁ ଅବକାରୀ ମାମଲାରେ ଦଣ୍ଡବିଧାନ ହାର ଅତି ନୈରାଶ୍ୟଜନକ ରହୁଥିବାରୁ ନିଶା ବେପାରୀଙ୍କର ଆଇନ୍‍ ବ୍ୟବସ୍ଥା ପ୍ରତି ଭୟ ରହୁନାହିଁ ।

ବିଳମ୍ବିତ ବିଚାର ସହିତ ସାକ୍ଷ୍ୟ ପ୍ରମାଣ ନଷ୍ଟ, ତଦନ୍ତରେ ଅବହେଳା ଏବଂ ଦୁର୍ବଳ ମାମଲା ପରିଚାଳନା ଯୋଗୁଁ ପ୍ରାୟ ୯୦ ପ୍ରତିଶତ ଅବକାରୀ ମାମଲାରେ ଅଭିଯୁକ୍ତମାନେ ଖସିଯାଉଥିବା ବରିଷ୍ଠ ଆଇନ୍‍ଜୀବୀମାନେ ସ୍ୱୀକାର କରୁଛନ୍ତି । ଚୋରା ନିଶା ବେପାରୀଙ୍କ ସାହସ ଏତେ ବଢିଯାଇଛି ଯେ ସେମାନଙ୍କ ଆଡ୍ଡା ଉପରେ ଚଢଉ କରିବାକୁ ଯାଇ ଖୋଦ ରାଜଧାନୀରେ ଅବକାରୀ କର୍ମଚାରୀମାନେ ଆକ୍ରମଣର ଶିକାର ହୋଇ ପୁଲିସ୍‍ ଦ୍ୱାରା ଉଦ୍ଧାର ହେବାଭଳି ଘଟଣା ମଧ୍ୟ ଘଟୁଛି ।

ନିଶା ଓ ଏହାର ଆନୁଷଙ୍ଗିକ ଖର୍ଚ୍ଚ ଉଠାଇବାପାଇଁ ଅନେକ ସମୟରେ ନିଶାଡିମାନେ ଅପରାଧ ଘଟାଉଛନ୍ତି । ବାରମ୍ବାର ଛୋଟ ଛୋଟ ଅପରାଧ ଘଟାଇ ପରେ ଏମାନେ ପେଶାଦାର ଅପରାଧିରେ ପରିଣତ ହେଉଛନ୍ତି । ଏମିତିକି ଜେଲ ଭିତରେ ବି ଏହି ପେଶାଦାର ଅପରାଧିମାନଙ୍କ ପାଇଁ ନିଶା ସାମଗ୍ରୀ ଉପଲବ୍ଧ ହେଉଛି । ମଝିରେ ମଝିର ଜେଲ୍‍ଗୁଡିକ ଉପରେ ଚଢାଉ କରାଯିବାବେଳେ ସେଠାରୁ ମୋବାଇଲ ଫୋନ୍‍, ଚୋରା ନିଶା ସାମଗ୍ରୀ ସମେତ ବିପୁଳ ପରିମାଣର ଆପତ୍ତଜନକ ସାମଗ୍ରୀ ଖୋଦ ପୁଲିସ୍‍ ଜବତ କରୁଛି ।

ମଦମୁକ୍ତି ଅଭିଯାନ ସହ ଜଡିତ ବିଭିନ୍ନ ମହିଳା ଗୋଷ୍ଠି ସ୍ୱୀକାର କରୁଛନ୍ତି ଯେ ନିଶାର ପ୍ରସାର ସହ ତାଳଦେଇ ନାରୀ ଓ ଶିଶୁ ନିର୍ଯ୍ୟାତନା ସହିତ ଅନ୍ୟାନ୍ୟ ଅପରାଧ, ସଡକ ଦୁର୍ଘଟଣା ଓ ବିଭିନ୍ନ କିସମର ରୋଗବ୍ୟାଧି ବଢୁଛି । ଏ ବାବଦରେ ବ୍ୟକ୍ତି, ସମାଜ ଓ ସରକାରର ଯେତେ କ୍ଷତି ହେଉଛି ତାହା ତୁଳନାରେ ଅବକାରୀ ରାଜସ୍ୱ ଅତ୍ୟନ୍ତ ନଗଣ୍ୟ । (ତଥ୍ୟ)