Home Infrastructure ନିର୍ମାଣ ହେବ ଖଦି ଭବନ

ନିର୍ମାଣ ହେବ ଖଦି ଭବନ

ଭୁବନେଶ୍ୱର : ଓଡ଼ିଶା ଖଦି ଓ ଗ୍ରାମୋଦ୍ୟୋଗ ବୋର୍ଡର ରାଜଧାନୀରେ ଥିବା ମୁଖ୍ୟ ଦପ୍ତର ପରିସର ମଧ୍ୟରେ ୮୩ କୋଟି ଟଙ୍କା ବ୍ୟୟ ଅଟକଳରେ ବହୁତଳ ବିଶିଷ୍ଟ ଖଦି ଭବନ ନିର୍ମାଣ ପାଇଁ ପ୍ରସ୍ତାବ ରହିଛି । ଏହି ଭବନ ନିର୍ମାଣ ହେଲେ ଖଦି ଓ ଗ୍ରାମୋଦ୍ୟୋଗ ସାମଗ୍ରୀ ବିପଣନ କ୍ଷେତ୍ରରେ ବ୍ୟାପକ ସୁବିଧା ହେବ ବୋଲି କୁହାଯାଉଛି ।

ଏହା ପୂର୍ବରୁ ଗ୍ରାମୋଦ୍ୟୋଗ ଭବନ ନିର୍ମାଣ ପାଇଁ ନିଷ୍ପତ୍ତି ନିଆଯାଇ ୨୦୦୩ ମସିହାରେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଖଦିବୋର୍ଡ ପରିସରରେ ଶିଳାନ୍ୟାସ କରାଯାଇଥିଲା । ୧୩ ବର୍ଷ ଧରି ଏହି ଶିଳାନ୍ୟାସ ଫଳକ ବୋର୍ଡ ପରିସରକୁ ପ୍ରବେଶ ପଥରେ ଥିବା ଗାନ୍ଧୀଜୀଙ୍କ ପ୍ରତିମୂର୍ତ୍ତି ସାମ୍‍ନାରେ ମଳିନ ଅବସ୍ଥାରେ ପଡ଼ିଥିଲେ ମଧ୍ୟ ପ୍ରକଳ୍ପ ପାଇଁ ଇଟାଟିଏ ବି ଯୋଡ଼ାଯାଇ ନାହିଁ ।

ପ୍ରସ୍ତାବିତ ବହୁତଳବିଶିଷ୍ଟ ଖଦି ଭବନ ନିିର୍ମାଣ ଲାଗି ୨୦୧୯-୨୦ ବର୍ଷରେ ନିଷ୍ପତ୍ତି ନିଆଯାଇଥିଲେ ମଧ୍ୟ ୨୦୨୦-୨୧ କିମ୍ବା ୨୦୨୧-୨୨ ବର୍ଷର ବଜେଟ୍‍ରେ ଏଥିଲାଗି ଅର୍ଥ ବ୍ୟବସ୍ଥା ହୋଇନାହିଁ । ଏଯାବତ୍‍ ଖଦି ଭବନ ନିର୍ମାଣ ଲାଗି ଡିଜାଇନ୍‍ ଚୂଡ଼ାନ୍ତ ହୋଇନାହିଁ କିମ୍ବା ଏଥିଲାଗି ସମୁଦାୟ କେତେ ଅର୍ଥ ଲାଗିବ, ତାହା କେଉଁଠାରୁ ଆସିବ, ଖଦି ଭବନ କିଏ ନିର୍ମାଣ କରିବେ ଏବଂ ଏହି ବହୁତଳ ବିଶିଷ୍ଟ ସୌଧରେ କ’ଣ ସବୁ ଖଦି କାମ ହେବ ସେ ସଂକ୍ରାନ୍ତରେ ବି ବିସ୍ତୃତ ସୂଚନା ସରକାରଙ୍କ ପାଖରେ ନାହିଁ ।

ଏଠାରେ ଉଲ୍ଲେଖନୀୟ ଯେ ଓଡ଼ିଶା ଖଦି ଓ ଗ୍ରାମୋଦ୍ୟୋଗ ବୋର୍ଡ ୧୯୫୬ ମସିହାରୁ କାର୍ଯ୍ୟ କରିଆସୁଛି । ଏଥିଲାଗି ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ବି ପ୍ରଚୁର ଅର୍ଥ ଦେଉଛନ୍ତି । କିନ୍ତୁ ରାଜ୍ୟର ସମସ୍ତ ବ୍ଲକ୍‍ ଓ ପୌରସଂସ୍ଥା ଅଞ୍ଚଳ ତ ଦୂରର କଥା ସମସ୍ତ ଜିଲ୍ଲାର ସଦର ମହକୁମାରେ ବି ଖଦି ଭଣ୍ଡାର ନାହିଁ । ବିଭିନ୍ନ ଜିଲ୍ଲାରେ ଯେଉଁ ଅଳ୍ପକେତୋଟି ଖଦି ଭଣ୍ଡାର ବେସରକାରୀ ସଂସ୍ଥାମାନଙ୍କ ଦ୍ୱାରା ଚାଲୁଛି ସେଥିରେ ରାଜ୍ୟ ବାହାରୁ ଅଣାଯାଇ ଏଠାରେ ବିକ୍ରି କରାଯାଉଥିବା ଖଦି ବସ୍ତ୍ରର ପରିମାଣ ଅଧିକ । ଏମିତିକି ଖଦି ବୋର୍ଡ ପରିସରରେ ଥିବା ଖଦି ଭଣ୍ଡାରରେ ମଧ୍ୟ ଅନ୍ୟ ରାଜ୍ୟରୁ ଅଣାଯାଇ ବ୍ୟାପକ ପରିମାଣର ଖଦି ବସ୍ତ୍ର ବିକ୍ରୟ ହେଉଛି ।

ମୋଟାମୋଟି ଭାବେ ଓଡ଼ିଶା ପାଇଁ ଯେତେ ଖଦି ବସ୍ତ୍ରର ଆବଶ୍ୟକତା ଅଛି ତାହାର ୫ ପ୍ରତିଶତ ମଧ୍ୟ ଖଦି ବୋର୍ଡ ଓ ତାହାର ଅନୁବନ୍ଧିତ ସଂସ୍ଥାମାନେ ଯୋଗାଇ ପାରୁନାହାନ୍ତି । ତେବେ ଖଦି ବସ୍ତ୍ର ଉତ୍ପାଦନ କ୍ଷେତ୍ରରେ ସଫଳତା ନୈରାଶ୍ୟଜନକ ଥିବା ବେଳେ ଓଡ଼ିଶାରେ କିନ୍ତୁ ଗ୍ରାମୋଦ୍ୟୋଗ ସାମଗ୍ରୀ ପ୍ରସ୍ତୁତ କରାଇବା କ୍ଷେତ୍ରରେ ବୋର୍ଡ ବିଶେଷ ଭୂମିକା ନେଉଛି । କିନ୍ତୁ ଏହାର ଉପଯୁକ୍ତ ବଜାର ନ ଥିବାରୁ ଗ୍ରାମୋଦ୍ୟୋଗ ସାମଗ୍ରୀର ବିପଣନ କ୍ଷେତ୍ରରେ ମଧ୍ୟ ସମସ୍ୟା ଉପୁଜୁଛି ।

ଗୋଟିଏ ପଟେ ଖଦି ଭବନ ନିର୍ମାଣ ପାଇଁ ଖଦି ବୋର୍ଡ ଅଣ୍ଟା ଭିଡ଼ିଥିବା ବେଳେ ଅନ୍ୟପଟେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଶିଳାନ୍ୟାସ ହୋଇଥିବା ଗ୍ରାମୋଦ୍ୟୋଗ ଭବନ ପାଇଁ ୧୩ ବର୍ଷ ହେବ ସେମିତିି କିଛି ଆର୍ଥିକ ବ୍ୟବସ୍ଥା କରାଯାଇପାରିନାହିଁ । ତେଣେ ଭୁବନେଶ୍ୱରର ଉଦ୍ୟୋଗପୁରୀ ଅଞ୍ଚଳରେ ଖଦି ବୋର୍ଡର ୧୨ ଏକରରୁ ଅଧିକ ଜମି ଥିବା ବେଳେ ଏଥିରୁ କିଛି ଅନ୍ୟ ଏକ ସଂସ୍ଥାକୁ ଦିଆଯାଇଛି । ଅବଶିଷ୍ଟ ଜମିରେ ସୋରିଷ ତେଲ ଓ ଅନ୍ୟାନ୍ୟ ଗ୍ରାମୋଦ୍ୟୋଗ ସାମଗ୍ରୀ ପ୍ରସ୍ତୁତ ଲାଗି ୟୁନିଟ୍‍ମାନ ଥିଲା ।

ଏବେ ତେଲ ୟୁନିଟ୍‍କୁ ଛାଡ଼ିଦେଲେ ଅନ୍ୟସବୁ ପ୍ରାୟ ବନ୍ଦ ପଡ଼ିଛି । ଖଦି ବୋର୍ଡର ଉଦ୍ୟୋଗପୁରୀରେ ଥିବା ଜମିକୁ ମୁଖ୍ୟଂଶ ଜବରଦଖଲକାରୀଙ୍କ କବ୍‍ଜାରେ ରହିଥିବା ବେଳେ ତାହାକୁ କର୍ତ୍ତୃପକ୍ଷ ଉଦ୍ଧାର କରିପାରୁନାହାନ୍ତି । ଓଲଟା ଏହି ଜବରଦଖଲକାରୀମାନଙ୍କ ପାଇଁ ଆଲୁଅ, ପାଣି ଆଦି ସୁବିଧା ଯୋଗାଇ ଜବରଦଖଲକାରୀମାନେ ଯେଭଳି ଏଠୁ ନ ହଟନ୍ତୁ ସେ ଦିଗରେ କିନ୍ତୁ ଉଭୟ ରାଜନୈତିକ ଓ ପ୍ରଶାସନିକ ସ୍ତରରେ ନିରବ ସମର୍ଥନ ଦିଆଯାଉଛି ।