Home Environment ନିର୍ମାଣ ବଢଉଛି ପ୍ରଦୂଷଣ

ନିର୍ମାଣ ବଢଉଛି ପ୍ରଦୂଷଣ

ଭୁବନେଶ୍ୱର : ପ୍ରଦୂଷଣ ନିୟନ୍ତ୍ରଣ ପାଇଁ ରାଜଧାନୀ ଦିଲ୍ଲୀରେ ଏବେ ଯେଭଳି କୋଠାବାଡ଼ି ନିର୍ମାଣ ଉପରେ ସାମୟିକ କଟକଣା ଜାରି କରାଯାଇଛି ଭୁବନେଶ୍ୱର ସମେତ ପ୍ରଦୂଷଣ ବୃଦ୍ଧି ପାଉଥିବା ଓଡ଼ିଶାର ଅନ୍ୟ ସହରମାନଙ୍କରେ ଅନୁରୂପ କଟକଣା ଜାରି କରିବା ଲାଗି ପରିବେଶବିତ୍‍ମାନେ ଦାବି କରୁଛନ୍ତି ।

ଏଠାରେ ଉଲ୍ଲେଖନୀୟ ଯେ ଦିଲ୍ଲୀରେ ବାୟୁ ପ୍ରଦୂଷଣ ମାତ୍ରା ଦିନକୁ ଦିନ ବଢିବାରେ ଲାଗିଛି । ଏହାର ନିୟନ୍ତ୍ରଣ ଲାଗି ଦିଲ୍ଲୀ ସରକାର ପ୍ରଥମ ପର୍ଯ୍ୟାୟରେ କିଛିବର୍ଷ ପାଇଁ ଯାନବାହନ ଚଳାଚଳ ଉପରେ କଟକଣା ଜାରି କରିଥିଲେ ମଧ୍ୟ ତାହା ବିଶେଷ ଫଳପ୍ରଦ ହୋଇନାହିଁ । ଏବେ ଶୀତଦିନ ଯୋଗୁ ବାୟୁମଣ୍ଡଳ ଶୁଷ୍କ ରହୁଥିବାବେଳେ କୋଠାବାଡ଼ି ଓ ରାସ୍ତାଘାଟ ଆଦି ନିର୍ମାଣ କାର୍ଯ୍ୟରେ ଉଡୁଥିବା ଧୂଳି ଯୋଗୁ ବାୟୁମଣ୍ଡଳ ଅଧିକ ପ୍ରଦୂଷିତ ହେବା ସହିତ ବହୁ ସମୟରେ ଦିଲ୍ଲୀରେ କୃତ୍ରିମ କୁହୁଡି ଦେଖାଯାଉଛି ।

ଏଥିଯୋଗୁ ବିଭିନ୍ନ କିସମର ରୋଗବ୍ୟାଧି ମଧ୍ୟ ବଢୁଛି । ଏହି ସମସ୍ୟାକୁ ଆଖି ଆଗରେ ରଖି ରାଜଧାନୀ ଦିଲ୍ଲୀରେ ଏବେ କୋଠାବାଡ଼ି ନିର୍ମାଣ କାର୍ଯ୍ୟ ଉପରେ ସାମୟିକ କଟକଣା ଜାରି କରାଯାଇଛି । ସେଠାରେ ନୀଳ ରଙ୍ଗର ଜରିପାଲ ବ୍ୟବହାର କରାଯାଉଥିବା ସ୍ଥଳେ ପରିସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲିଯାଉଥିବାରୁ ସରକାର ବାଧ୍ୟ ହୋଇ ଏଭଳି ଅସ୍ଥାୟୀ ପଦକ୍ଷେପ ନେଇଛନ୍ତି ।

ଭୁବନେଶ୍ୱରରେ କୋଠାବାଡି ନିର୍ମାଣ ଲାଗି ବିଡିଏ ପ୍ଲାନ୍‍ ଅନୁମୋଦନ କରୁଥିବାବେଳେ ପରିଚ୍ଛନ୍ନତା ରକ୍ଷା କରିବା ଦାୟିତ୍ୱ ରହିଛି ବିଏମ୍‍ସି ଉପରେ । ମହାନଗରୀର ବହୁ ଅଞ୍ଚଳରେ ବାସହୀନ ଲୋକଙ୍କ ପାଇଁ ସାଧାରଣ ପ୍ରଶାସନ ବିଭାଗ, ରାଜସ୍ୱ ବିଭାଗ, ବିଡିଏ, ଗୃହନିର୍ମାଣ ବୋର୍ଡ ଆଦି ବାସ ଉପଯୋଗୀ ଜମି ଓ ବାସଗୃହମାନ ଯୋଗାଇ ଆସୁଛନ୍ତି ।

ତେବେ ପ୍ଲାନ୍‍ ଉଲ୍ଲଘଂନ କରି ଅନେକ ସ୍ଥଳରେ ବିଡିଓ ଓ ହାଇସିଂବୋର୍ଡର ଆବଣ୍ଟିତ ଘରକୁ ଭାଙ୍ଗି ବହୁ ମହଲା ବିଶିଷ୍ଟ କୋଠାଘରମାନ ହେଉଛି । ସେହିଭଳି ବାସ ଉପଯୋଗୀ ଘର ନିର୍ମାଣ ଲାଗି ସରକାର ଯୋଗାଇଥିବା ଛୋଟ ଛୋଟ ପ୍ଲଟ ଉପରେ ବହୁତଳ ବିଶିଷ୍ଟ ଆପାର୍ଟମେଣ୍ଟ ନିର୍ମାଣ ପାଇଁ ବିଡିଓ ଅନୁମୋଦନ ଦେଉଛି । ଏଭଳି ଅନେକ ଆପାର୍ଟମେଣ୍ଟ ଓ ନିର୍ମାଣାଧିନ ଆପାର୍ଟମେଣ୍ଟ ରହିଛି ଯେଉଁଠି ଅଗ୍ନି ଦୁର୍ଘଟଣା ହେଲେ ନିଆଁ ଲିଭାଇବା ପାଇଁ ଦମକଳ ପଶି ପାରିବନାହିଁ । ଏହାଛଡ଼ା ଆଖପାଖରେ ଅନ୍ୟ ଯେଉଁମାନଙ୍କ ଘର ରହିଛି ସେଠାକାର ବାସିନ୍ଦାମାନଙ୍କ ସ୍ୱାସ୍ଥ୍ୟ ଓ ନିରାପତ୍ତା ପ୍ରତି ସମ୍ପୂର୍ଣ୍ଣ ଭାବେ ଆଖି ବୁଜିଦେଇ ଅନେକ ବିଲ୍‍ଡର ଘର ନିର୍ମାଣ କରୁଛନ୍ତି ।

ବହୁ ସ୍ଥଳରେ ପଡୋଶୀମାନଙ୍କ ଅଭିଯୋଗକୁ ବେଖାତିର କରି ବିଲ୍‍ଡରମାନେ ନିର୍ମାଣସ୍ଥଳୀ ଚାରିପଟରେ ଗ୍ରୀନ୍‍ ନେଟ୍‍ ଟାଙ୍ଗୁ ନାହାନ୍ତି । ଫଳରେ ପାଖ ପ୍ଲଟ୍‍ରେ ଥିବା ଘର ଗୁଡିକ ଏହି ନିର୍ମାଣ କାର୍ଯ୍ୟଯୋଗୁ କ୍ଷତିଗ୍ରସ୍ତ ହେଉଛନ୍ତି ଓ ଏଥିଯୋଗୁ ରୋଗବ୍ୟାଧି ବି ବଢୁଛି । ଆଇନ ମୁତାବକ ବେଆଇନ ନିର୍ମାଣକୁ ବିଡିଓ ବନ୍ଦ କରିବା ଓ ଭାଙ୍ଗିଦେବାକୁ କ୍ଷମତା ରଖିଛି । ସେହିଭଳି ଯେଉଁମାନେ ନିର୍ମାଣାଧୀନ କୋଠା ଚାରିପଟେ ଗ୍ରୀନ୍‍ ନେଟ୍‍ ଟାଣୁନାହାନ୍ତି ଓ ଘର ତିଆରି ସାମଗ୍ରୀ ଏଣେତେଣେ ପକାଇ ପରିବେଶ ପ୍ରଦୂଷିତ କରୁଛନ୍ତି ସେମାନଙ୍କ ଉପରେ ବିଏମ୍‍ସି ଜୋରିମାନା ବସାଇ ପାରିବ ଏବଂ ନିର୍ମାଣ କାର୍ଯ୍ୟକୁ ମଧ୍ୟ ବନ୍ଦ ରଖିପାରିବ ।

ତେବେ ବହୁ ସ୍ଥଳରେ ଅଭିଯୋଗ ହେଲେ ବି ସମ୍ପୃକ୍ତ କର୍ତ୍ତୃପକ୍ଷ ପ୍ରଦୂଷଣକାରୀ ନିର୍ମାଣ ସଂସ୍ଥା ସହ ହାତ ମିଳାଇ ଏକପ୍ରକାର ବେଆଇନ କାର୍ଯ୍ୟକୁ ପ୍ରୋତ୍ସାହନ ଦେଉଛନ୍ତି । କେତେକ ସ୍ଥଳରେ ଏମାନଙ୍କ ଯନ୍ତ୍ରଣାରୁ ମୁକ୍ତି ପାଇବା ପାଇଁ ରୋଗାକ୍ରାନ୍ତ ଲୋକେ ନିଜ ଘର ଛାଡି ଅନ୍ୟତ୍ର ଭଡ଼ାରେ ରହୁଛନ୍ତି । ଆବାସିକ ଅଞ୍ଚଳରେ ସରକାର ଲୋକସଂଖ୍ୟାକୁ ଆଖି ଆଗରେ ରଖି ରାସ୍ତା, ଡ୍ରେନ୍‍, ସ୍ୱରେଜ୍‍, ବିଦ୍ୟୁତ୍‍ ଆଦି ବ୍ୟବସ୍ଥା କରୁଥିବାବେଳେ ସମ୍ପୃକ୍ତ ଅଞ୍ଚଳରେ ଛୋଟ ଛୋଟ ପ୍ଲଟରେ ବଡ଼ ବଡ଼ ଆପାର୍ଟମେଣ୍ଟମାନ ନିର୍ମାଣ କରାଯିବା ଫଳରେ ଏହି ଭିତ୍ତିଭୂମି ସବୁ ମଧ୍ୟ ଦୁର୍ବଳ ହେଉଛି ଏବଂ ଏଥିଲାଗି ସରକାରଙ୍କୁ ବି ବେଶ୍‍ ଖର୍ଚ୍ଚାନ୍ତ ହେବାକୁ ପଡୁଛି । ତେବେ ବିଏମ୍‍ସିର ଅଧିକାରୀମାନେ ସ୍ୱୀକାର କରୁଛନ୍ତି ଯେ ଗ୍ରୀନ୍‍ ନେଟିଂ ନଥାଇ ଓ ପ୍ଲାନ୍‍ ବହୁର୍ଭୂତ ଭାବେ ନିର୍ମାଣ କାର୍ଯ୍ୟ କରୁଛନ୍ତି ସେମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାର ଅଧିକାର ବିଏମ୍‍ସିର ରହିଛି । (ତଥ୍ୟ)