Home Administration ନିର୍ବାଚନ ସମୟରେ ଅଧିକ ସତର୍କ ପାଇଁ ପରାମର୍ଶ

ନିର୍ବାଚନ ସମୟରେ ଅଧିକ ସତର୍କ ପାଇଁ ପରାମର୍ଶ

ଭୁବନେଶ୍ୱର : ପୌର ର୍ନିବାଚନ ସମୟରେ ବେଆଇନ୍‍ ନିଶା କାରବାର ବିରୁଦ୍ଧରେ ଚାଲିଥିବା ଅଭିଯାନର ସମୀକ୍ଷା ଆଜି ଅବକାରୀ କମିଶନର ଆଶିଷ କୁମାର ସିଂହ କରିଛନ୍ତି ।

ଶ୍ରୀ ସିଂହଙ୍କ ଅଧ୍ୟକ୍ଷତାରେ ଭର୍ଚୁଆଲ ମୋଡ୍‍ରେ ବସିଥିବା ସମୀକ୍ଷା ବୈଠକରେ ଅବାକରୀ ବିଭାଗର ଉପ କମିଶନର, ସୁପରିଟେଣ୍ଡଣ୍ଟ, ଏନ୍‍ଫୋର୍ସମେଣ୍ଟ ସେଲ୍‍ର ଅଧିକାରୀମାନେ ଯୋଗ ଦେଇଥିଲେ । ସମଗ୍ର ରାଜ୍ୟରେ ଚାଲିଥିବା କାର୍ଯ୍ୟାନୁଷ୍ଠାନ ସଂକ୍ରାନ୍ତରେ ଅବକାରୀ କମିଶନରଙ୍କୁ ଅବଗତ କରାଯାଇଥିଲା ।

ସମୀକ୍ଷାରୁ ଜଣାପଡିଛି ଯେ ଚଳିତମାସର ଗତ ୧୩ଦିନ ମଧ୍ୟୋର ଅବକାରୀ ବିଭାଗର ପକ୍ଷରୁ ୧୧୯୮ ଜଣଙ୍କୁ ଗିରଫ କରାଯାଇଥିବାବେଳେ ୧୪୩୦ଟି ମାମଲା ରୁଜୁ ହୋଇଛି । ଏଥି ସହିତ ଏହି ୧୩ଦିନ ମଧ୍ୟରେ ୪୨,୮୫୩ଲିଟର କାରଖାନା ତିଆରି ଦେଶୀ ମଦ, ୩,୧୫,୬୬୫ କିଲୋ ଦେଶୀମଦ ପ୍ରସ୍ତୁତ ସାମଗ୍ରୀ, ୧୨୦ ଲିଟର ସ୍ପିରିଟ୍‍, ୯୨୭୮ଲିଟର ଟିକସଫାଙ୍କ ବିଦେଶୀ ମଦ, ୧୯୫ ଲିଟର ନକଲି ବିଦେଶୀ ମଦ, ୧୫୦୩ କିଲୋ ଗଞ୍ଜେଇ, ୩୧୨ ଗ୍ରାମ ବ୍ରାଉନସୁଗାର, ୬୬୧ ଲିଟର ବିୟର, ୩୭୭ ଲିଟର ବିଦେଶୀ ମଦ, ୧୩୬ ଲିଟର ଜିଞ୍ଜର ସହିତ ୭୨ଟି ଗାଡିମୋଟର ଜବତ ହୋଇଛି । ଜବତ ହୋଇଥିବା ସମସ୍ତ ସାମଗ୍ରୀର ମୂଲ୍ୟ ୫.୬ କୋଟି ଟଙ୍କା ଆକଳନ କରାଯାଇଛି ।

ସମୀକ୍ଷା ବୈଠକରେ କମିଶନର ସିଂହ କ୍ଷେତ୍ର ସ୍ତରର ଅଧିକାରୀମାନଙ୍କୁ ନିର୍ବାଚନ ସମୟରେ ୨୪ଘଣ୍ଟା ପାଟ୍ରୋଲିଂ ସହିତ ଚଢଉ ଜାରି ରଖିବାପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏନ୍‍ଫୋର୍ସମେଣ୍ଟ ଶାଖା ନିମୟିତ ଭାବେ ସନ୍ଦିଗ୍ଧ ଅଞ୍ଚଳ ଉପରେ ଚଢଉ କରିବା ସହିତ ବେଆଇନ୍‍ ମଦ ପ୍ରସ୍ତୁତି, ବିକ୍ରି ଏବଂ ଟିକସ ଫାଙ୍କି ମଦ କାରବାର ଉପରେ ଚଢଉକୁ ବ୍ୟାପକ କରିବାକୁ କୁହାଯାଇଛି ।

ତେବେ ଆଜି କଟକ ଅବାକରୀ ଫ୍ଲାଇଙ୍ଗସ୍କ୍ୱାଡ୍‍ ଢେଙ୍କାନାଳର ଭୂବନ ଅଞ୍‍ଚଳରେ ଚଢଉ କରି ମଦ ପ୍ରସ୍ତୁତି ପାଇଁ କୋଲକତାରୁ ୬ଟି ଡ୍ରମରେ ଆସିଥିବା ୩୬୦ଲିଟର ସ୍ପିରିଟ୍‍, ୬୦ଲିଟର ନକଲି ହ୍ୟୁସ୍କି, ୨୮୫୦ ନକଲି ହୋଲୋଗ୍ରାମ, ବିଭିନ୍ନ କମ୍ପାନୀର ୨୬୦ଟି ଲେବୁଲ୍‍, ୨୪୦୦ ଠିପି ସହିତ ଗୋଟିଏ ଟ୍ରକ ଜବତ ହୋଇଛି ।

ଏହାକୁ ଦୃଷ୍ଟିରେ ରଖି ଅବକାରୀ ବିଭାଗର ଅଧିକାରୀ ଓ କ୍ଷେତ୍ର କର୍ମଚାରୀମାନେ ଅଧିକ ସର୍ତକତା ଅବଲମ୍ବନ ପାଇଁ କମିଶନର ଶ୍ରୀ ସିଂହ ବୈଠକରେ ପରାମର୍ଶ ଦେଇଛନ୍ତି । କୌଣସି ସ୍ଥିତିରେ ଯେଭଳି ନିର୍ବାଚନ ସମୟରେ ବେଆଇନ୍‍ ନିଶା କାରବାର ଜନିତ ଅଘଟଣ ନଘଟେ ସେଥିପ୍ରତି ଦୃଷ୍ଟି ଦେବାକୁ କୁହାଯାଇଛି ।