Home Health ନିର୍ବାଚନ ବେଳେ ଲକ୍ଷେ କର୍ମଚାରୀଙ୍କ ସ୍ୱାସ୍ଥ୍ୟ ଚିନ୍ତା

ନିର୍ବାଚନ ବେଳେ ଲକ୍ଷେ କର୍ମଚାରୀଙ୍କ ସ୍ୱାସ୍ଥ୍ୟ ଚିନ୍ତା

ଭୁବନେଶ୍ୱର : ନିର୍ବାଚନ କାର୍ଯ୍ୟରେ ମୁତୟନ ହେବାକୁ ଥିବା ପ୍ରାୟ ଲକ୍ଷେ ସରକାରୀ କର୍ମଚାରୀଙ୍କ ସ୍ୱାସ୍ଥ୍ୟକୁ ନେଇ ଏବେ ଚିନ୍ତା । କରୋନା ସଂକ୍ରମିତ ହେଲେ କେବଳ ଏମାନଙ୍କ ସ୍ୱାସ୍ଥ୍ୟ ବିଗିଡିବ ନାହିଁ ବହୁ କ୍ଷେତ୍ରରେ ନିର୍ବାଚନ ଅଟକି ଯିବାର ବି ସମ୍ଭାବନା ରହିଛି ।

ଆସନ୍ତା ମାସରେ ୫ ପର୍ଯ୍ୟାୟରେ ହେବାକୁ ଥିବା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ପ୍ରାୟ ଲକ୍ଷେ ସରକାରୀ କର୍ମଚାରୀ ନିୟୋଜିତ ହେବେ । ଏମାନେ ୮୫୩ ଜିଲ୍ଲାପରିଷଦ, ୬୭୯୪ ସରପଞ୍ଚ ଓ ୯୧,୯୧୩ ୱାର୍ଡ ମେମ୍ବର ପଦବୀପାଇଁ ହେବାକୁ ଥିବା ନିର୍ବାଚନରେ ବିଭିନ୍ନ ପର୍ଯ୍ୟାୟରେ ଉପସ୍ଥିତ ରହିବେ । କିଛି କର୍ମଚାରୀ ଏବେ ଠାରୁ ନିର୍ବାଚନ କାର୍ଯ୍ୟରେ ଲାଗିଥିବାବେଳେ ବହୁ ସଂଖ୍ୟକ କର୍ମଚାରୀ ପୁଲିଂ ଅଫିସର, ପିଜାଇଡିଂ ଅଫିସର ଭାବେ ମତଦାନ କରାଇବେ । ଏଥିପାଇଁ ସେମାନଙ୍କୁ ୨/୩ ଦିନ ବିଭିନ୍ନ ସ୍ଥାନକୁ ଯାଇ ସାଧାରଣ ଲୋକଙ୍କ ଗହଣରେ ରହିବାକୁ ପଡିବ ।

ରାଜ୍ୟରେ ଏବେ ଯେଉଁ ହାରରେ କରୋନା ବୃଦ୍ଧି ପାଉଛି ତାହା ଜାରି ରହିଲେ ଫେବୃୟାରୀ ୧୬ରେ ହେବାକୁ ଥିବା ପ୍ରଥମ ପର୍ଯ୍ୟାୟ ମତଦାନ ବେଳକୁ ଦୈନିକ ସଂକ୍ରମଣ ୩୦ହଜାର ଛୁଇଁବ ବୋଲି ବିଶେଷଜ୍ଞମାନେ ମତ ଦେଉଛନ୍ତି । ଯଦି ଏହା ସତ୍ୟହେବ ତେବେ ନିର୍ବାଚନ କାର୍ଯ୍ୟରେ ମୁତୟନ ଅଧିକାଂଶ କର୍ମଚାରୀ କରୋନା ସଂକ୍ରମିତ ହୋଇଯିବେ । ଯେଉଁମାନେ ପଜିଟିଭ ଚିହ୍ନିତ ହେବେ ସେମାନେ ବୁଥ୍‍ ଭିତରେ ଉପସ୍ଥିତ ରହିପାରିବେ ନାହିଁ । କାରଣ ସେମାନଙ୍କ ନିକଟକୁ ମତଦାତାମାନେ ଯିବାକୁ ଭୟ କରିବେ । ଯିଏ ଭୋଟ ଦେବାକୁ ଯିବ ତାହାର କରୋନା ସଂକ୍ରମିତ ହେବାର ସମ୍ଭାବନା ଅଧିକ ।

ତେବେ ପଞ୍ଚାୟତ ସ୍ତରରେ ନିର୍ବାଚନର ପ୍ରମୁଖ ଦାୟିତ୍ୱରେ ଥିବା ବିଡିଓ ଓ ଗ୍ରାମ ପଞ୍ଚାୟତ ଅଫିସର ଯଦି କରୋନା ସଂକ୍ରମିତ ହେବେ ତେବେ ର୍ନିବାଚନ କିଭଳି ପରିଚାଳନା ହେବ ତାହା ବଡ ପ୍ରଶ୍ନବାଚୀ ହେଲାଣି । କାରଣ ଏମାନେ ସଂକ୍ରମିତ ହେଲେ ଅତି କମ୍‍ରେ ୧୦ଦିନ ପାଇଁ ସଂଗରୋଧରେ ରହିବାକୁ ପଡିବ । ଚଳିତମାସ ୧୭ତାରିଖରୁ ନାମାଙ୍କନପତ୍ର ଦାଖଲ ସମୟରୁ ଏମାନଙ୍କ ଦାୟିତ୍ୱ ବଢିବା ସହିତ ବିଭିନ୍ନ ସ୍ଥାନ ଗସ୍ତ କରିବାକୁ ପଡିବ । ତେଣୁ ରାଜ୍ୟର ଗୋଟିଏ ଦୁଇଟି ଜିଲ୍ଲାକୁ ବାଦ୍‍ ଦେଲେ ଅନ୍ୟ ସମସ୍ତ ଜିଲ୍ଲାରେ କରୋନା ଯେଭଳି କାୟା ମେଲାଉଛି ସେଥିରୁ ଏହି ଅଧିକାରୀମାନେ କରୋନା କବଳରୁ ରକ୍ଷା ପାଇବାର ସମ୍ଭାବନା କ୍ଷୀଣ ।

କେବଳ ଭୋଟ କାର୍ଯ୍ୟରେ ପ୍ରତ୍ୟକ୍ଷଭାବେ ନିୟୋଜିତ କର୍ମଚାରୀ ନୁହନ୍ତି ସୁରକ୍ଷା ଦାୟିତ୍ୱ ତୁଲାଇବାକୁ ଥିବା ତଳୁ ଉପର ପର୍ଯ୍ୟନ୍ତ ପୁଲିସ୍‍ ବାବୁମାନେ ଯଦି କୋଭିଡ ସଂକ୍ରମିତ ହେବେ ତେବେ ବୁଥ୍‍ ଠାରୁ ଆରମ୍ଭ କରି ଭୋଟ ବାକ୍ସ ପର୍ଯ୍ୟନ୍ତ ସୁରକ୍ଷା ବ୍ୟବସ୍ଥା କିଏ ସମ୍ଭାଳିବ ତାହା ବି ବଡ ପ୍ରଶ୍ନବାଚୀ ହୋଇଛି । କାରଣ ଏବେ ଠାରୁ ପୁଲିସ୍‍ ଓ ପ୍ରଶାସନର ବହୁ କର୍ମଚାରୀ କରୋନା ସଂକ୍ରମିତ ହେବାରେ ଲାଗିଛନ୍ତି । ଆଗକୁ ସଂକ୍ରମଣର ବେଗ ଅଧିକ ରହିବାର ଆକଳନ କରାଯାଉଥିବାରୁ ଏମାନଙ୍କ ସୁରକ୍ଷା ପ୍ରଥମେ ଆବଶ୍ୟକ ।

ବର୍ତ୍ତମାନ ନିର୍ବାଚନ କାର୍ଯ୍ୟରେ ମୁତୟନ ହେବାକୁ ଥିବା କର୍ମଚାରୀଙ୍କର ଦୁଇଟି ଡୋଜ୍‍ ଟିକା ନେବା ଉପରେ ଗୁରୁତ୍ୱ ଦିଆଯାଉଛି । ତେବେ ରାଜ୍ୟରେ ଦୁଇଟି ଡୋଜ୍‍ ଟିକା ନେଇଥିବା ଅନେକ କର୍ମଚାରୀ ଓ ସାଧାରଣ ଲୋକେ ଦୁଇ ଦୁଇ ଥର କରୋନା ସଂକ୍ରମିତ ହୋଇ ସାରିଲେଣି । ଟିକା ନେଇଥିବା ଅନେକ ଯୁବ କର୍ମଚାରୀଙ୍କ ଟିକା ଅବଧିକୁ ବି ୮/୯ ମାସ ହୋଇଗଲାଣି । ତେଣୁ ଟିକା ନେଇଥିବା କର୍ମଚାରୀମାନେ କେତେଦୂର ସୁରକ୍ଷିତ ରହି ନିର୍ବାଚନ ପରିଚାଳନା କରିବେ ତାହା ଉପରେ ଏବେ ସମସ୍ତଙ୍କ ନଜର । (ତଥ୍ୟ)