Home Election ନିର୍ବାଚନ ପ୍ରଚାରରେ ବିଜେଡି ଆଗରେ

ନିର୍ବାଚନ ପ୍ରଚାରରେ ବିଜେଡି ଆଗରେ

ଭୁବନେଶ୍ୱର : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ସାରା ରାଜ୍ୟରେ ରାଜନୈତିକ ବାତାବରଣ ସରଗରମ ଥିବାବେଳେ ପ୍ରଚାର ଅଭିଯାନରେ ବିଜେଡି ଆଗରେ ରହିଛି । ବିଜେଡିକୁ ବିଜେପି ଟକ୍କର ଦେବାପାଇଁ ବର୍ଷାଧିକ କାଳ ଧରି ପ୍ରସ୍ତୁତି ଚଳାଇଥିବାବେଳେ ଏବେ ବାରିପଦାରେ କେନ୍ଦ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁଙ୍କ ବିରୁଦ୍ଧରେ ଥାନାରେ ରୁଜୁ କରାଯାଇଥିବା ସରକାରୀ କର୍ମଚାରୀଙ୍କୁ ମାଡ ଅଭିଯୋଗ ମାମଲା ଦଳକୁ ଅଡୁଆରେ ପକାଇଛି ।

ଏଠାରେ ଉଲ୍ଲେଖନୀୟ ଯେ ୨୦୧୭ର ପଞ୍ଚାୟତ ନିର୍ବାଚନରେ ବିଜେପି ମୟୁରଭଞ୍ଜ ଜିଲ୍ଲାରେ ଭଲ ପ୍ରଦର୍ଶନ କରିଥିବାବେଳେ ପରବର୍ତ୍ତୀ ସମୟରେ ୨୦୧୯ରେ ମୟୁରଭଞ୍ଜ ଲୋକସଭା ଆସନ ଦଖଲ କରିଥିଲା । ଏଠାକାର ସାଂସଦ ବିଶେଶ୍ୱର ଟୁଡୁ କେନ୍ଦ୍ର ଆଦିବାସୀ ବ୍ୟାପାର ଓ ଜଳ ଶକ୍ତି ବିଭାଗର ରାଷ୍ଟ୍ରମନ୍ତ୍ରୀ ଅଛନ୍ତି ।

ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚୁଆଲ ମାଧ୍ୟମରେ ତାଙ୍କ ଦଳର କର୍ମୀ ଓ କର୍ମକର୍ତ୍ତାମାନଙ୍କ ସହ ସଭା ସମିତି କରୁଥିବାବେଳେ ବିଜେପି ପକ୍ଷରୁ ଏଯାବତ୍‍ ସେଭଳି କିଛି ଆଖିଦୃଶିଆ ଅଭିଯାନ ଆରମ୍ଭ ହୋଇନାହିଁ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉତ୍ତରପ୍ରଦେଶ ନିର୍ବାଚନ ଲାଗି ପ୍ରଭାରୀ ଥିବାରୁ ସେ ସେଠାକାର ରାଜନୈତିକ କାର୍ଯ୍ୟରେ ଅଧିକ ବ୍ୟସ୍ତ ରହୁଛନ୍ତି ।

ଓଡିଶାରୁ ର୍ନିବାଚିତ ହୋଇଥିବା ରାଜ୍ୟସଭା ସାଂସଦ ଅଶ୍ୱିନୀ ବୈଷ୍ଣବ ରେଳବାଇ ଓ ଆଇଟି ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗର କେନ୍ଦ୍ରମନ୍ତ୍ରୀ ଥିଲେ ମଧ୍ୟ ରାଜ୍ୟର ଦଳୀୟ ସଂଗଠନ ଉପରେ ତାଙ୍କର ସେଭଳି କିଛି ଦବ୍‍ଦବା ନାହିଁ । ବିଶେଶ୍ୱର ଟୁଡୁଙ୍କର ମୟୁରଭଞ୍ଜ ଜିଲ୍ଲାରେ ବିଶେଷ ଗୁରୁତ୍ୱ ଥିବାବେଳେ ସରକାରୀ କର୍ମଚାରୀଙ୍କୁ ଦଳୀୟ କାର୍ଯ୍ୟାଳୟକୁ ଡାକି ମାଡି ମାରିଥିବା ଅଭିଯୋଗରେ ତାଙ୍କୁ ଗିରଫ କରିବାଲାଗି ଇତି ମଧ୍ୟରେ ବିଭିନ୍ନ ରାଜନୈତିକଦଳ ଓ ସଂଗଠନ ପକ୍ଷରୁ ଦାବି ଉଠୁଛି । ତେବେ କେନ୍ଦ୍ରମନ୍ତ୍ରୀ ଅଭିଯୋଗକୁ ଅସ୍ୱୀକାର କରିବା ସହ ତାଙ୍କ ଗସ୍ତ କାଣ୍ଟଛାଣ୍ଟ କରି ଦିଲ୍ଲୀ ଫେରିଯାଇଛନ୍ତି ।

ତେବେ ଠିକଣା ସମୟରେ କେନ୍ଦ୍ରୀୟ ନେତାମାନେ ଓଡିଶା ଆସି ପ୍ରଚାର ଅଭିଯାନକୁ ଜୋରଦାର କରିବେ ବୋଲି ଯାହା ଆଶା କରାଯାଉଥିଲା ତାହା ଏବେ କୋଭିଡ କଟକଣା ଯୋଗୁଁ ସମ୍ଭବପର ହେଉନଥିବାରୁ ଦଳର ରାଜ୍ୟଶାଖା ସଭାପତି, ସାଂସଦ, ବିଧାୟକ ଓ ଅନ୍ୟ କାର୍ଯ୍ୟକର୍ତ୍ତାମାନଙ୍କ ଉପରେ ପ୍ରାର୍ଥୀମାନେ ନିର୍ଭର କରୁଛନ୍ତି ।

ପ୍ରାର୍ଥୀପତ୍ର ପ୍ରତ୍ୟାହାର ପାଇଁ ଆଉ ମାତ୍ର ଦୁଇ ଦିନ ବାକି ଥିବାବେଳେ ବିଜେଡି, ବିଜେପି ଓ କଂଗ୍ରେସ ପକ୍ଷରୁ ନିଜ ନିଜ ଦଳର ଅସନ୍ତୁଷ୍ଟ ଓ ବିଦ୍ରୋହୀ ପ୍ରାର୍ଥୀମାନଙ୍କୁ କଳେ ବଳେ କୌଶଳେ ବଶ କରିବାପାଇଁ ଉଦ୍ୟମ ଚାଲିଛି । ଅନେକ ସ୍ଥଳରେ ଏହି ଅସନ୍ତୁଷ୍ଟ ଓ ବିଦ୍ରୋହୀ ପ୍ରାର୍ଥୀମାନେ ଦଳର ସମର୍ଥିତ ପ୍ରାର୍ଥୀମାନଙ୍କ ପରାଜୟର କାରଣ ହେବେବୋଲି ସବୁ ଦଳର ନେତାମାନେ ଆଶଙ୍କା ପ୍ରକାଶ କରୁଛନ୍ତି ।

ପାୟ ସମସ୍ତ ଆସନରେ ବିଜେଡି ପ୍ରାର୍ଥୀ ଦେଇଥିବାବେଳେ ତାହା ପଛକୁ ବିଜେପି ରହିଛି । କିନ୍ତୁ ୧୩୭ବର୍ଷର ସର୍ବ ପୁରାତନ ଜାତୀୟ କଂଗ୍ରେସ ଦଳ ଅନେକ ଆସନରେ ପ୍ରାର୍ଥୀ ଦେଇପାରି ନାହିଁ । ତେବେ ଯେତିକି ଆସନରେ ଦଳୀୟ ଓ ଦଳର ସମର୍ଥିତ ପ୍ରାର୍ଥୀମାନେ ଅଛନ୍ତି ସେମାନଙ୍କୁ ଜିଣାଇବାପାଇଁ କଂଗ୍ରେସର ସ୍ଥାନୀୟ ନେତାମାନେ ପ୍ରାଣମୂର୍ଚ୍ଛା ଉଦ୍ୟମ କରୁଥିବାବେଳେ ଦିଲ୍ଲୀରୁ କିନ୍ତୁ ଯେଭଳି ସହଯୋଗ ମିଳିବା କଥା ତାହା ମିଳିପାରୁ ନାହିଁ ।

ଏଠାରେ ଉଲ୍ଲେଖନୀୟ ଯେ ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ପଞ୍ଜାବ ସମେତ ୫ଟି ରାଜ୍ୟର ବିଧାନସଭା ନିର୍ବାଚନ ହେଉଥିବାରୁ ଉଭୟ ବିଜେପି ଓ କଂଗ୍ରେସ ସେଥିଲାଗି ବ୍ୟସ୍ତ ରହିଥିବାବେଳେ ବିଜେଡି କିନ୍ତୁ ତାହାର ସମସ୍ତ ଶକ୍ତି ଓଡିଶାରେ ଖଟାଇ ଦେଇଛି । (ତଥ୍ୟ)