Home Administration ନିର୍ଦ୍ଦେଶକ ଦାୟିତ୍ୱନେଲେ ଇନ୍ଦ୍ରମଣି ତ୍ରିପାଠୀ

ନିର୍ଦ୍ଦେଶକ ଦାୟିତ୍ୱନେଲେ ଇନ୍ଦ୍ରମଣି ତ୍ରିପାଠୀ

ଭୁବନେଶ୍ୱର : ସୂଚନା ଓ ଲୋକସଂପର୍କ ବିଭାଗକୁ ଅଧିକ କ୍ରିୟାଶୀଳ କରିବା ଉପରେ ନୂତନ ନିର୍ଦ୍ଦେଶକ ଇନ୍ଦ୍ରମଣି ତ୍ରିପାଠୀ ଗୁରୁତ୍ୱ ଆରୋପ କରଛନ୍ତି । ଓଡ଼ିଶା ପ୍ରଶାସନିକ ସେବାର ବରିଷ୍ଠ ଅଧିକାରୀ ଶ୍ରୀ ତ୍ରିପାଠୀ ଆଜି ବିଭାଗର ନୂତନ ନିର୍ଦ୍ଦେଶକ ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ପରେ ସୂଚନା ପ୍ରଦାନ କ୍ଷେତ୍ରରେ ଆଧୁନିକ ବୈଷୟିକ ଜ୍ଞାନ ପ୍ରୟୋଗ ମାଧ୍ୟମରେ ସର୍ବଦା ଆଗୁଆ ରହିବା ଏବଂ କାର୍ଯ୍ୟଦକ୍ଷତା ସହ ନିୟମିତ ଭାବେ କାର୍ଯ୍ୟ ତୁଲାଇବାକୁ ବିଭାଗର ଅଧିକାରୀ ତଥା କର୍ମଚାରୀମାନଙ୍କୁ ପରାମର୍ଶ ଦେଇଛନ୍ତି ।

ନିର୍ଦ୍ଦେଶକ ଶ୍ରୀ ତ୍ରିପାଠୀ ଆଜି ପୂର୍ବାହ୍ନରେ ଅଧିକାରୀମାନଙ୍କ ସହିତ ବିଭାଗର ବିଭିନ୍ନ କାର୍ଯ୍ୟାବଳୀ ସଂପର୍କରେ ସବିଶେଷ ଆଲୋଚନା କରିଥିଲେ । ସେ ଲୋକସଂପର୍କ ଭବନରେ ବିଭାଗର ବିଭିନ୍ନ ଶାଖା ପରିଦର୍ଶନ କରିଥିଲେ ।

ଶ୍ରୀ ତ୍ରିପାଠୀ ଆଜିର ଯୁଗରେ ବିଜ୍ଞାନ ଓ ବୈଷୟିକ ବିଦ୍ୟାର ପ୍ରୟୋଗକୁ ବିଭାଗ ଆପଣେଇବା ସହ ଜନସାଧାରଣଙ୍କ ନିକଟରେ ସମ୍ବାଦ ସରବରାହ କ୍ଷେତ୍ରରେ ଅଧିକ ଆଗୁଆ ହେବା ସହିତ ଅଭିନବତ୍ୱ ପ୍ରଦାନ କରି ସୂଚନା ବିତରଣ କ୍ଷେତ୍ରରେ ବିଶ୍ୱସନୀୟତା ଅର୍ଜନ କରିବାକୁ ଅଧିକାରୀମାନେ ତତ୍ପରତା ପ୍ରକାଶ କରିବାକୁ ପରାମର୍ଶ ଦେଇଛନ୍ତି । ସେ ମଧ୍ୟ କର୍ମଚାରୀମାନଙ୍କ ଶୃଙ୍ଖଳା ଓ ନିଷ୍ଠା ଉପରେ ବିଶେଷ ଗୁରୁତ୍ୱ ଦେଇଛନ୍ତି ।

ଆଜି ଲୋକସଂପର୍କ ଭବନରେ ଶ୍ରୀ ତ୍ରିପାଠୀ ବିଭାଗର ଯୁଗ୍ମ ସଚିବ ବିଷ୍ଣୁପ୍ରିୟା ସାହୁ, ଯୁଗ୍ମ ନିର୍ଦ୍ଦେଶକ ଡ. ପ୍ରମୋଦ କୁମାର ମଲ୍ଲିକ ଏବଂ ସୁରେନ୍ଦ୍ର ପରିଡ଼ାଙ୍କ ସମେତ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହି ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ । ନୂତନ ନିର୍ଦ୍ଦେଶକ ବିଭିନ୍ନ ଅଧିକାରୀଙ୍କ କାର୍ଯ୍ୟଧାରା ଓ ଦାୟିତ୍ୱ ସଂପର୍କରେ ସୁବିସ୍ତୃତ ଅବଗତ ହୋଇଥିଲେ ।