Home News in Odia ନିଜେ ଜାରି କରିଥିବା କଟକଣାକୁ ଭୁଲିଗଲେଣି

ନିଜେ ଜାରି କରିଥିବା କଟକଣାକୁ ଭୁଲିଗଲେଣି

ଭୁବନେଶ୍ୱର : ରାଜଧାନୀରେ ଅପରାଧ ନିୟନ୍ତ୍ରଣ ପାଇଁ କମିଶନରେଟ ପୁଲିସ୍‍ ମଦୁଆଙ୍କ ବିରୁଦ୍ଧରେ ଅଭିଯାନ ଆରମ୍ଭ କରିଥିବାବେଳେ ମଦ ଦୋକାନପାଇଁ ନିଜେ ଜାରି କରିଥିବା କଟକଣାକୁ ଏକ ପ୍ରକାର ଭୁଲିଗଲାଣି । ଏହା କଡାକଡି ଭାବେ ପାଳନ ହେଲେ କେବଳ ଅପରାଧ କମିବ ନାହିଁ, ଅନକେ ଅପରାଧି ଅତି ସହଜରେ ପୁଲିସ୍‍ ହାତରେ ଧରାପଡିବେ ।

ମଦୁଆଙ୍କ ଲାଗି ରାଜଧାନୀରେ ଅପରାଧ ବେକାବୁ ହେବା ଦେଖି ତତ୍କାଳୀନ ପୁଲିସ୍‍ କମିଶନର ରାଜେନ୍ଦ୍ର ପ୍ରସାଦ ଶର୍ମା ମଦ ଦୋକାନ ପାଇଁ କେତେକ ନିୟମାବଳୀ ଜାରି କରିଥିଲେ । ଏଥି ମଧ୍ୟରେ କମିଶନରେଟ ପୁଲିସ୍‍ ଇଲାକାରେ ଥିବା ପ୍ରତ୍ୟେକ ମଦ ଦୋକାନୀଙ୍କ ପାଇଁ ସିସିଟିଭି ଲଗାଇବା ବାଧ୍ୟତାମୂଳକ ଥିଲା । ଏଥି ସହିତ ଦୋକାନକୁ ଆସୁଥିବା ପ୍ରତ୍ୟେକ ଲୋକଙ୍କ ଫଟୋ ଯେଭଳି ଅତି କମ୍‍ରେ ୩୦ଦିନ ପର୍ଯ୍ୟନ୍ତ ସଂରକ୍ଷିତ ରହିବ ଓ ପୁଲିସ୍‍ ଯେତେବେଳେ ଚାହିଁବ ତାହାକୁ ଦେଖି ପାରିବାର ବ୍ୟବସ୍ଥା ରହିଥିଲା ।

ହେଲେ ଅଧିକାଂଶ ମଦ ଦୋକାନୀ ଏହାକୁ ମାନୁ ନାହାନ୍ତି । ଅବସ୍ଥା ଏଭଳି ହେଉଛି ଯେ ମଦ ଦୋକାନକୁ ଆସୁଥିବା ଯୁବକଙ୍କ ଦୌରାତ୍ମ୍ୟରୁ ରକ୍ଷା ପାଇବାପାଇଁ ଆଖପାଖର ଦୋକାନୀମାନେ ନିଜେ ସିସିଟିଭି ଲଗାଇ ମଦଦୋକାନ ଉପରେ ନଜର ରଖୁଛନ୍ତି ।

ଏହି ନିୟମାବଳୀରେ ମଦ ଦୋକାନ ଆଖପାଖରେ ଚାଖଣା ଦୋକାନ ରହିବା ଉପରେ କଟକଣା ଥିଲା । ହେଲେ ଏହାକୁ ପ୍ରାୟତଃ ସବୁ ସ୍ଥାନରେ ଫୁ କରି ଦିଆଯାଇଛି । କେଉଁ ମଦ ଦୋକାନ ଆଗରେ ଛେଳିମୁଣ୍ଡ ଛେଛେଡା ତ ଆଉ କେଉଁଠି ମାଛଭଜା ଖୋଲାଖୋଲି ବିକ୍ରି ହେଉଛି । ମିଶ୍ଚର, ପାଣିବୋତଲ, ପ୍ଲାଷ୍ଟିକ ଗ୍ଲାସ ଆଦିର ଭଳିକି ଭଳି ପସରା ମଦ ଦୋକାନ ପାଖରେ ଖୋଲୁଛି । ଏହାକୁ ମଦ ଦୋକାନୀ କିମ୍ବା ପୁଲିସ୍‍ ବାବୁ, କେହିହେଲେ ବାରଣ କରୁନାହାନ୍ତି ।

ଏଥି ସହିତ ଗ୍ରାହକଙ୍କୁ ଆକୃଷ୍ଟ କରିବାପାଇଁ ମଦ ଦୋକାନୀମାନେ ରଙ୍ଗ ବେରଙ୍ଗର ବୋର୍ଡ ନଲଗାଇବାପାଇଁ କମିଶନରଙ୍କ ସ୍ପଷ୍ଟ ନିର୍ଦ୍ଦେଶ ଥିଲା । ଏହା ଜାରି ହେବାପରେ ଅନେକ ମଦ ଦୋକାନୀ ଜୋରିମାନା ଭୟରେ ରଙ୍ଗ ବେରଙ୍ଗର ବୋର୍ଡକୁ ଢାଙ୍କି ଦେଇଥିଲେ । ହେଲେ ଶ୍ରୀ ଶର୍ମା ଯିବାପରେ ଅବସ୍ଥା ଯେଉଁ ତିମିରେକୁ ସେହି ତିମିରେ । ଏବେ କେବଳ ରଙ୍ଗ ବେରଙ୍ଗର ବୋର୍ଡ ଲାଗୁନାହିଁ, ଗ୍ରାହକଙ୍କୁ ଆକୃଷ୍ଟ ପାଇଁ କିଛି ମଦ ଦୋକାନୀ ରଙ୍ଗ ବେରଙ୍ଗର ଆଲୋକ ସଜ୍ଜା ବି କରୁଛନ୍ତି ।

କମିଶନରେଟ ପୁଲିସ୍‍ ନିଜେ ଜାରି କରିଥିବା ନିୟମାବଳୀକୁ ଯଦି କଡାକଡି ଭାବେ ଲାଗୁ କରନ୍ତା ତେବେ ରାସ୍ତାଘାଟରେ ମଦୁଆଙ୍କୁ ଧରିବାପାଇଁ ମାଳ ମାଳ ପୁଲିସ୍‍ ମୁତୟନ କରିବାକୁ ପଡନ୍ତା ନାହିଁ । ସୁରକ୍ଷା ବିଶେଷଜ୍ଞମାନଙ୍କ ମତରେ ଅଧିକାଂଶ ଅପରାଧି ପ୍ରାୟତଃ ମଦ ଦୋକାନକୁ ଆସିଥାନ୍ତି । କେବଳ ଯଦି ସହରର ସବୁ ମଦ ଦୋକାନର ସିସିଟିଭି ଯାଞ୍ଚ ହେବ ତେବେ ବହୁ ସଂଖ୍ୟାରେ ଅପରାଧି ସହଜରେ ଧରା ପଡିଯିବେ । ହେଲେ କମିଶନରେଟ ପୁଲିସ୍‍ ନିଜେ ଜାରି କରିଥିବା ନିୟମାବଳୀକୁ ଭୁଲି ଯାଇ ଏବେ ରାସ୍ତାଘାଟରେ ମଦୁଆ ଧରପଗଡ ଅଭିଯାନ ଚଳାଉଛି । ଏହାଦ୍ୱାରା କିଛି ମଦୁଆ ଡ୍ରାଇଭର ସିନା ଧରା ହେଉଛନ୍ତି ହେଲେ ଅସଲ ଅପରାଧି କିନ୍ତୁ ପୁଲିସ୍‍ ନଜରରୁ ଖସି ଯାଉଥିବା କୁହାଯାଉଛି । (ତଥ୍ୟ)