Home General ନିଖୋଜ ଶିଶୁଙ୍କ ଭିକ୍ଷାବୃତ୍ତି ଆଶଙ୍କା

ନିଖୋଜ ଶିଶୁଙ୍କ ଭିକ୍ଷାବୃତ୍ତି ଆଶଙ୍କା

127
0

ଭୁବନେଶ୍ୱର : ନିଖୋଜ ଶିଶୁଙ୍କୁ ନେଇ ରାଜ୍ୟରେ ତୁମ୍ବିତୋଫାନ ଚାଲିଥିବାବେଳେ ଖୋଦ୍‍ ରାଜଧାନୀରେ ଭିକ ମାଗିବାର ମାଧ୍ୟମ ପାଲଟିଥିବା ଶିଶୁଙ୍କ ସଂକ୍ରାନ୍ତରେ କିନ୍ତୁ କେହି କିଛି ଖୋଳତାଡ କରୁନାହାନ୍ତି । ଏହି ଶିଶୁମାନେ କେଉଁଠୁ ଆସୁଛନ୍ତି, ସେମାନଙ୍କର ମାତା ପିତା କିଏ ଏବଂ ଏମାନେ କିଭଳି ଜୀବନ ଯାପନ କରୁଛନ୍ତି ତାହା ଏବେ ବି ରହସ୍ୟମୟ ହୋଇ ରହିଛି । ଓଡିଶା ସମେତ ବିଭିନ୍ନ ରାଜ୍ୟରୁ ହଜି ଯାଉଥିବା ଶିଶୁମାନଙ୍କ ମଧ୍ୟରୁ ଅଧିକାଂଶ ଭିକ ମାଗିବାର ମାଧ୍ୟମ ସାଜିଥିବା ଆଶଙ୍କା ପ୍ରକାଶ କରାଯାଉଛି ।

ରାଜଧାନୀ ସମେତ ରାଜ୍ୟର ବିଭିନ୍ନ ସହରରେ ଏବେ ମାଳ ମାଳ ଭିକାରୀ ଦେଖିବାକୁ ମିଳୁଛନ୍ତି । ସହରର ପ୍ରତି ଛକ ସମେତ ଗଳିକନ୍ଦିରେ ଏମାନେ ଭିକ ମାଗୁଛନ୍ତି । ତେବେ ଭିକାରୀଙ୍କ ମଧ୍ୟରେ ସର୍ବାଧିକ ହେଉଛନ୍ତି ମହିଳା ଓ ଶିଶୁ । ମହିଳାମାନେ କାଖରେ ରୋଗିଣା ଶିଶୁଙ୍କୁ ଧରି ଭିକ ମାଗୁଥିବାବେଳେ ରାସ୍ତାପାଶ୍ୱର୍ରେ ଛିଣ୍ଡା ଜାମାପଟା ପିନ୍ଧି ଅତ୍ୟନ୍ତ ଦୟନୀୟ ଅବସ୍ଥାରେ ଥିବା ଶିଶୁ ପଥଚାରୀ ଓ ଗାଡିଚାଳକଙ୍କ ନିକଟରେ ହାତ ପାତୁଛନ୍ତି ।

ତେବେ ଓଡିଶାରେ ଏହି ଶିଶୁ ଭିକାରୀମାନଙ୍କ ସଂକ୍ରାନ୍ତରେ ଅଧିକାଂଶ ଅଜ୍ଞ । କାରଣ ଭିକ ମାଗୁଥିବା ମହିଳାମାନେ ଅଣଓଡିଆ ଭାଷାରେ କଥାବାର୍ତ୍ତା ହେଉଥିବାବେଳେ ଶିଶୁମାନଙ୍କ ପାଟି ଫିଟୁନାହିଁ । ଏହି ଶିଶୁମାନେ ଏଭଳି ଭାବେ ପ୍ରଶିକ୍ଷିତ ହୋଇଛନ୍ତି ଯେ ଭିକ ମାଗିଲାବେଳେ ସେମାନଙ୍କ ପାଟିରୁ କଥା ବାହାରେ ନାହିଁ । କାହାର ପାଦ ଛୁଇଁ ତ ଆଉ କାହାର ଜାମାଟାଣି ଅଥବା ଗାଡିର କାଚ ବାଡେଇ ଏହି ଶିଶୁମାନେ ହାତ ପାତିଥାନ୍ତି । ପଇସା ଦେଲାବେଳେ ଯଦି କେହି ସେମାନଙ୍କୁ କିଛି ପ୍ରଶ୍ନ କରେ ତେବେ ପଇସା ନନେଇ ସେମାନେ ତର ତର ହୋଇ ସେଠାରୁ ପଳାଇଥାନ୍ତି । ପ୍ରତି ଛକରେ ଶିଶୁମାନେ ଏଭଳି ଭିକ ମାଗୁଥିବାବେଳେ ଅନତି ଦୂରରେ କିଛି ମହିଳା ଓ ପୁରୁଷ ସେମାନଙ୍କ ଉପରେ ତୀକ୍ଷ୍ଣ ନଜର ରଖିଥାନ୍ତି ।

ତେବେ ଖୋଦ ରାଜଧାନୀରେ ଏଭଳି ମାଳ ମାଳ ଅଚିହ୍ନା ଶିଶୁ ଭିକ ମାଗୁଥିବାବେଳେ ଏମାନଙ୍କ ଉପରେ ଶିଶୁ ସୁରକ୍ଷା ଅଧିକାର କମିଶନ ଠାରୁ ଆରମ୍ଭକରି ଶିଶୁ ମଙ୍ଗଳ କର୍ତ୍ତୃପକ୍ଷ କିମ୍ବା କୌଣସି ସରକାରୀ ଅଧିକାରୀ ନଜର ଦେଇ ନଥାନ୍ତି । ଏହି ଭଳି ହଜାର ହଜାର ଶିଶୁ ରାଜ୍ୟରେ ଭିକ୍ଷାବୃତ୍ତିରେ ନିୟୋଜିତ ହେଉଥିବାବେଳେ ଏମାନଙ୍କୁ କିଏ କେଉଁଠୁ ଆଣି ଏଭଳି କାର୍ଯ୍ୟରେ ଲଗାଉଛି ଓ ପ୍ରତିଦିନ ଏମାନଙ୍କୁ ନେଇ କେଉଁଠି ରଖୁଛି ତାହାର କେହି ହିସାବ ନେଉନାହାନ୍ତି ।

ସେହିଭଳି ଏହି ଛୋଟ ଛୋଟ ପିଲାମାନେ ବଡ ହେଲାପରେ କୁଆଡେ ଯାଉଛନ୍ତି ଓ କ’ଣ କରୁଛନ୍ତି ତାହାର ହିସାବ ବି କାହାରି ପାଖରେ ନାହିଁ । ଏମାନଙ୍କ ସଂକ୍ରାନ୍ତରେ ଖୋଳତାଡ କଳେ ଶିଶୁ ନିଖୋଜର ଅନେକ ରହସ୍ୟ ପଦାକୁ ଆସିବ ବୋଲି ଶିଶୁ ସୁରକ୍ଷା କ୍ଷେତ୍ରରେ କାର୍ଯ୍ୟରତ ସ୍ୱେଚ୍ଛାସେବୀମାନେ ମତ ଦେଉଛନ୍ତି । ତେଣୁ ତୁରନ୍ତ ରାଜ୍ୟ ଶିଶୁ ସୁରକ୍ଷା କମିଶନ ଏହାକୁ ଗୁରୁତ୍ୱର ନେବାକୁ ଦାବି ହେଉଛନ୍ତି ।

LEAVE A REPLY

Please enter your comment!
Please enter your name here