Home General ନବୀନ ତିନି ନମ୍ବର ଧନୀ ମୁଖ୍ୟମନ୍ତ୍ରୀ

ନବୀନ ତିନି ନମ୍ବର ଧନୀ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହେଉଛନ୍ତି ଦେଶର ତିନି ନମ୍ବର ଧନୀ ମୁଖ୍ୟମନ୍ତ୍ରୀ । ଏକ ନମ୍ବର ସ୍ଥାନରେ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ୟୁ ଏସ୍‍ ଜଗନ ମୋହନ ରେଡ୍ଡୀ ଥିବାବେଳେ ଦୁଇ ନମ୍ବର ସ୍ଥାନରେ ଅରୁଣାଚଳପ୍ରଦେଶର ମୁଖ୍ୟମନ୍ତ୍ରୀ ପେମା ଖଣ୍ଡୁ ରହିଛନ୍ତି ।

ଏଡିଆର ଓ ଇଲେକ୍ସନ ୱାଚ ପକ୍ଷରୁ ଆଜି ଏହି ସୂଚୀ ଜାରି କରାଯାଇଛି । ଏଥିରେ ଦର୍ଶାଯାଇଛି ଯେ ନବୀନଙ୍କ ମୋଟ ସମ୍ପତ୍ତିର ପରିମାଣ ହେଉଛି ୬୩,୮୭,୪୧,୮୧୬ ଟଙ୍କା । ତେବେ ପ୍ରଥମ ସ୍ଥାନରେ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀଙ୍କ ସମ୍ପତ୍ତିର ପରିମାଣ ୫୧୦,୩୮,୧୬,୫୬୬ ଟଙ୍କା ହୋଇଥିବାବେଳେ ଦ୍ୱିତୀୟ ସ୍ଥାନରେ ଥିବା ପେମା ଖଣ୍ଡୁଙ୍କ ସମ୍ପତ୍ତିର ମୂଲ୍ୟ ୧୬୩,୫୦,୫୮,୧୪୩ ଟଙ୍କା ରହିଛି । ତେବେ ନବୀନ ଓ ଜଗନ ଉଭୟେ ଯଥାକ୍ରମେ ବିଜେଡି ଓ ୱାଇଏସଆର ଭଳି ଆଞ୍ଚଳିକର ନେତୃତ୍ୱ ନେଉଥିବାବେଳେ ପେମା ଖଣ୍ଡୁ ହେଉଛନ୍ତି ବିଜେପି ଦଳର ।

ତେବେ ଏହି ତାଲିକାର ସବା ତଳେ ରହିଛନ୍ତି ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ତୃଣମୂଳ କଂଗ୍ରେସ ନେତ୍ରୀ ଶ୍ରୀମତୀ ବାନାର୍ଜୀଙ୍କ ମୋଟ ସମ୍ପତ୍ତିର ପରିମାଣ ୧୫,୩୮,୦୨୯ ଟଙ୍କା । ସେ ଦେଶର ସବୁଠାରୁ କମ୍‍ ସମତ୍ତିଧାରୀ ମୁଖ୍ୟମନ୍ତ୍ରୀ ହୋଇଥିବାବେଳେ ତାଙ୍କର କୌଣସି ସ୍ଥାବର ସମ୍ପତ୍ତି ନାହିଁ । ତାଙ୍କ ଉପରକୁ ରହିଛନ୍ତି କେରଳର ମୁଖ୍ୟମନ୍ତ୍ରୀ ପିନାରାୟ ବିଜୟନ । ସିପିଆଇଏମ୍‍ ନେତା ଶ୍ରୀ ବିଜୟନଙ୍କ ସମ୍ପତ୍ତି ପରିମାଣ ୧,୧୮,୭୫,୭୬୬ ଟଙ୍କା । ତାଙ୍କ ଉପରେ ଅଛନ୍ତି ହରିଆନା ମୁଖ୍ୟମନ୍ତ୍ରୀ ମନୋହରଲାଲ ଖଟ୍ଟର । ବିଜେପି ନେତା ଶ୍ରୀ ଖଟ୍ଟରଙ୍କ ସମ୍ପତ୍ତି ପରିମାଣ ହେଉଛି ୧,୨୭,୦୦,୯୮୫ କୋଟି ଟଙ୍କା ।

ଧନୀ ମୁଖ୍ୟମନ୍ତ୍ରୀ ତାଲିକାରେ ଓଡିଶା ମୁଖ୍ୟମନ୍ତ୍ରୀଙ୍କ ପଛକୁ ଯଥାକ୍ରମେ ନାଗାଲ୍ୟାଣ୍ଡ, ପୁଡୁଚେରୀ, ତେଲେଙ୍ଗାନା, ଛତିଶଗଡ, ଆସାମ, ମେଘାଳୟ, ତ୍ରିପୁରା, ମହାରାଷ୍ଟ୍ର, ଗୋଆ, କର୍ଣ୍ଣାଟକ, ତାମିଲନାଡୁ, ଝାଡଖଣ୍ଡ, ଗୁଜୁରାଟ, ହିମାଚଳପ୍ରଦେଶ, ମଧ୍ୟପ୍ରଦେଶ, ରାଜସ୍ଥାନ, ଉତ୍ତରାଖଣ୍ଡ, ସିକ୍କିମ, ମିଜୋରାମ, ଦିଲ୍ଲୀ, ବିହାର, ପଞ୍ଜାବ, ଉତ୍ତରପ୍ରଦେଶ ଓ ମଣିପୁର ଆଦିର ମୁଖ୍ୟମନ୍ତ୍ରୀମାନେ ରହିଛନ୍ତି ।

ସେହିଭଳି ଏଡିଆର ତାହାର ରିପୋର୍ଟରେ ଦର୍ଶାଇଛି ଯେ ବର୍ତ୍ତମାନ ଦେଶରେ ମମତା ବାନାର୍ଜୀ ଏକମାତ୍ର ମହିଳା ମୁଖ୍ୟମନ୍ତ୍ରୀ ଥିବାବେଳେ ଅନ୍ୟ ସମସ୍ତ ୨୯ଜଣ ମୁଖ୍ୟମନ୍ତ୍ରୀ ହେଉଛନ୍ତି ପୁରୁଷ ।
ମୁଖ୍ୟମନ୍ତ୍ରୀମାନଙ୍କ ଶିକ୍ଷାଗତ ଯୋଗ୍ୟତାର ସୂଚନାରୁ ଜଣାପଡିଛି ଯେ ଜଣେ ମୁଖ୍ୟମନ୍ତ୍ରୀ ୧୦ମ ପାଶ୍‍ କରିଥିବାବେଳେ ୩ଜଣ ଦ୍ୱାଦଶ, ୧୧ଜଣ ସ୍ନାତକ, ୪ଜଣ ସ୍ନାତକ ବୃତ୍ତିଧାରୀ, ୯ଜଣ ସ୍ନାତକୋତ୍ତର, ଜଣେ ଡିପ୍ଲୋମା ଓ ଜଣେ ଡିଗ୍ରୀଧାରୀ ରହିଛନ୍ତି ।

୩୦ରୁ ୪୦ ବର୍ଷ ବୟସ ମଧ୍ୟରେ ଜଣେ ମୁଖ୍ୟମନ୍ତ୍ରୀ ଥିବାବେଳେ ୭ଜଣ ମୁଖ୍ୟମନ୍ତ୍ରୀଙ୍କ ବୟସ ୪୧ରୁ ୫୦ବର୍ଷ ମଧ୍ୟରେ, ୫୧ରୁ ୬୦ ବର୍ଷ ଏବଂ ୬୧ ରୁ ୭୦ ବର୍ଷ ବୟସ ମଧ୍ୟରେ ୯ଜଣ କରି ମୁଖ୍ୟମନ୍ତ୍ରୀ ରହିଥିବାବେଳେ ୭୧ ରୁ ୮୦ ବର୍ଷ ବୟସର ୪ଜଣ ମୁଖ୍ୟମନ୍ତ୍ରୀ ରହିଛନ୍ତି ।

ଅପରାଧ ମାମଲା କ୍ଷେତ୍ରରେ ତେଲେଙ୍ଗାନାର ମୁଖ୍ୟମନ୍ତ୍ରୀ ସବୁଠାରୁ ଆଗରେ ରହିଛନ୍ତି । ତାଙ୍କ ବିରୁଦ୍ଧରେ ମୋଟ୍‍ ୬୪ଟି ମାମଲା ଥିବାବେଳେ ସେଥିରୁ ୩୭ଟି ଅତି ଗୁରୁତର ମାମଲା ରହିଛି । ଏହା ପଛକୁ ତାମିଲନାଡୁ ମୁଖ୍ୟମନ୍ତ୍ରୀ ରହିଛନ୍ତି । ତାଙ୍କ ବିରୁଦ୍ଧରେ ୧୦ଟି ସଙ୍ଗୀନ ମାମଲା ସହିତ ମୋଟ୍‍ ୪୭ଟି ମାମଲା ରହିଛି । ତୃତୀୟ ସ୍ଥାନରେ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଥିବାବେଳେ ତାଙ୍କ ବିରୁଦ୍ଧରେ ୩୫ଟି ଗୁରୁତର ମାମଲା ସହିତ ମୋଟ ୩୮ ମାମଲା ରହିଛି । ତେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିରୁଦ୍ଧରେ କୌଣସି ମାମଲା ନଥିବା ଏଡିଆର ରିପୋର୍ଟରୁ ଜଣାପଡିଛି ।