Home Education ନବମ ଓ ଏକାଦଶ ପାଇଁ ଶିକ୍ଷାନୁଷ୍ଠାନ ମନା

ନବମ ଓ ଏକାଦଶ ପାଇଁ ଶିକ୍ଷାନୁଷ୍ଠାନ ମନା

ଭୁବନେଶ୍ୱର : ରାଜ୍ୟରେ କୋଭିଡ୍‌ ସଂକ୍ରମଣ ବୃଦ୍ଧି ପାଇବାକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସମସ୍ତ ସରକାରୀ, ସରକାରୀ ସହାୟତାପ୍ରାପ୍ତ ଏବଂ ଘରୋଇ ବିଦ୍ୟାଳୟରେ ନବମ ଓ ଏକାଦଶ ଶ୍ରେଣୀର ଛାତ୍ରଛାତ୍ରୀମାନଙ୍କ ସ୍କୁଲକୁ ଚଳିତ ଅପ୍ରେଲ ୮ ତାରିଖରୁ ୩୦ ତାରିଖ ପର୍ଯ୍ୟନ୍ତ ବାତିଲ କରିଛନ୍ତି ।

ଏହି ସମୟରେ ବିଭିନ୍ନ ହଷ୍ଟେଲ୍‌ କିମ୍ବା ଆବାସିକ ବିଦ୍ୟାଳୟରେ ରହୁଥିବା ଏହି ଦୁଇ ଶ୍ରେଣୀର ଛାତ୍ରଛାତ୍ରୀମାନେ ସେମାନଙ୍କ ଘରକୁ ଯିବା ପାଇଁ ମଧ୍ୟ ଅନୁମତି ଦିଆଯାଇଛି । ଆବଶ୍ୟକ ସ୍ଥଳେ ଅନ୍‌ଲାଇନ୍‌ରେ ପାଠ ପଢ଼ା ଚାଲୁ ରଖାଯିବ ବୋଲି ବିଭାଗ ସୂତ୍ରରୁ ପ୍ରକାଶ ।

କିନ୍ତୁ ଦଶମ ଓ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀମାନଙ୍କ ପାଠପଢ଼ା ଚଳିତ ଅପ୍ରେଲ ୨୫ ତାରିଖ ପର୍ଯ୍ୟନ୍ତ ପୂର୍ବପରି ଜାରି ରହିବ । ୨୦୨୧ ମଇ/ଜୁନ୍‌ ମାସରେ ଉଭୟ ଶ୍ରେଣୀ ପିଲାମାନେ ପରୀକ୍ଷା ଦେବେ ଏବଂ ତାହାକୁ ଦୃଷ୍ଟିରେ ରଖି ପାଠପଢ଼ା ଅବ୍ୟାହତ ରହିଲେ ମଧ୍ୟ ବିଦ୍ୟାଳୟ ଓ ହଷ୍ଟେଲ୍‌ମାନଙ୍କରେ ମାସ୍କ ପରିଧାନ, ହାତ ଧୁଆ, ସାମାଜିକ ଦୂରତା ବଜାୟ ରଖିବା ପରି କୋଭିଡ୍‌ ମାର୍ଗଦର୍ଶିକାର କଡ଼ାକଡ଼ି ଅନୁପାଳନକୁ ସୁନିଶ୍ଚିତ କରାଯିବ ।

ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏଭଳି ନିର୍ଦ୍ଦେଶନାମା ଜାରି ହେବାପରେ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ମଧ୍ୟ ଅନୁରୂପ ନିର୍ଦ୍ଦେଶନାମା ଜାରି କରିଛି । ବିଏମ୍‌ସି ଇଲାକାରେ ଥିବା ଉଭୟ ଘରୋଇ ଓ ସରକାରୀ ଶିକ୍ଷାନୁଷ୍ଠାନର ହଷ୍ଟେଲରେ ରହୁଥିବା ନବମ ଓ ଏକାଦଶ ଶ୍ରେଣୀର ଛାତ୍ରଛାତ୍ରୀମାନେ ତୁରନ୍ତ ହଷ୍ଟେଲ ଖାଲି କରିବାକୁ କୁହାଯାଇଛି ।