Home Administration ନବନିର୍ମିତ କାର୍ଯ୍ୟାଳୟ ଉଦ୍‌ଘାଟିତ

ନବନିର୍ମିତ କାର୍ଯ୍ୟାଳୟ ଉଦ୍‌ଘାଟିତ

ଭୁବନେଶ୍ୱର : ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ, ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଆଜି ବ୍ରହ୍ମପୁରଠାରେ ଓଡ଼ିଶା ବନ ଉନ୍ନୟନ ନିଗମ, ବ୍ରହ୍ମପୁରର ଜେନେରାଲ ମ୍ୟାନେଜର ଓ ଡିଭିଜନାଲ ମ୍ୟାନେଜରଙ୍କ ନବନିର୍ମିତ କାର୍ଯ୍ୟାଳୟ ଉଦ୍‌ଘାଟନ କରିଛନ୍ତି ।

ଏହି ସଂକ୍ଷିପ୍ତ ଉତ୍ସବରେ ଓଡ଼ିଶା ବନ ଉନ୍ନୟନ ନିଗମର ପରିଚାଳନା ନିର୍ଦ୍ଦେଶକ ରାଜୀବ କୁମାର, ସାଧାରଣ ପରିଚାଳକ ବ୍ରହ୍ମପୁର ଶାଖା ପ୍ରଶାନ୍ତ କୁମାର ମିଶ୍ର, ଖଣ୍ଡୀୟ ପରିଚାଳକ ବ୍ରହ୍ମପୁର ବାଣିଜ୍ୟ ଖଣ୍ଡଦିଲ୍ଲୀପ କୁମାର ରାଉତ, ବୌଦ୍ଧ, ବ୍ରହ୍ମପୁରର ଡିଏଫ୍‌ଓ ଓ ବିଭାଗୀୟ ଅଧିକାରୀ ଓ କର୍ମଚାରୀମାନେ ଉପସ୍ଥିତ ଥିଲେ ।

ଏହି ଅବସରରେ ମନ୍ତ୍ରୀ ଶ୍ରୀ ଆରୁଖ ମତ ପ୍ରକାଶ କରିଥିଲେ ଯେ, ଓଡ଼ିଶା ବନ ଉନ୍ନୟନ ନିଗମ, ବ୍ରହ୍ମପୁର ଡିଭିଜନ ୧୯୭୭ ମସିହାରେ ସୃଷ୍ଟି ହେବା ପରଠାରୁ ଏକ ସ୍ୱତନ୍ତ୍ର ଓ ନୂତନ କାର୍ଯ୍ୟାଳୟର ଆବଶ୍ୟକତା ଥିଲା । ଏହି ନୂତନ କାର୍ଯ୍ୟାଳୟର ଶୁଭାରମ୍ଭ ହେବା ପରେ ଗଞ୍ଜାମ ଓ ଗଜପତି ଜିଲ୍ଲାର ବନୀକରଣ କାର୍ଯ୍ୟ ଅଧିକ ତ୍ୱରାନ୍ୱିତ ହୋଇପାରିବ । ରଘୁନାଥପୁର, ଖଲିକୋଟ, ମୋହନା ଓ ବ୍ରହ୍ମପୁର ସବ୍‌ଡିଭିଜନ୍‌ର ବନାୟନ ଓ ଅନ୍ୟାନ୍ୟ କାର୍ଯ୍ୟ ସୁଗମ ହୋଇପାରିବ ।

ପ୍ରଳୟଙ୍କରୀ ଫାଇଲିନ୍‌ ବାତ୍ୟା ଯୋଗୁଁ ଦକ୍ଷିଣ ଓଡ଼ିଶା ଧ୍ୱସ୍ତବିଧ୍ୱସ୍ତ ହୋଇଥିଲା । ବ୍ୟାପକ ବନୀକରଣ, ବୃକ୍ଷରୋପଣ କାର୍ଯ୍ୟକୁ ସୁଚାରୁ ରୂପେ ସମ୍ପାଦନ କରି ଏହି ଡିଭିଜନ ସମସ୍ତଙ୍କର ପ୍ରଶଂସାଭାଜନ ହୋଇପାରିଥିଲା ।

ଜଳବାୟୁ ପରିବର୍ତ୍ତନର କୁପ୍ରଭାବ ଓ ପ୍ରାକୃତିକ ଦୁର୍ବିପାକକୁ ରୋକିବା ଦିଗରେ ବ୍ୟାପକ ବୃକ୍ଷରୋପଣ ଅତ୍ୟାବଶ୍ୟକ । ଏହି ନୂତନ କାର୍ଯ୍ୟାଳୟ ପ୍ରତିଷ୍ଠା ହେବା ଫଳରେ ଗଞ୍ଜାମ ଓ ଗଜପତି ଜିଲ୍ଲାରେ ବୃକ୍ଷରୋପଣ କ୍ଷେତ୍ରରେ ନୂତନ କୀର୍ତ୍ତି ଓ ରେକର୍ଡ ସ୍ଥାପିତ ହେବ । ମୂଲ୍ୟବାନ କାଠ ସଂଗ୍ରହ କାର୍ଯ୍ୟ, ସେଗୁଡ଼ିକର ଇ-ଟେଣ୍ଡର ଜରିଆରେ ନିଲାମ, ବାଉଁଶ ଡିପୋର ସୁପରିଚାଳନା, କାଠ ଚିରଟ କାର୍ଯ୍ୟ, ବନ ଉନ୍ନୟନ ନିଗମ, ବ୍ରହ୍ମପୁରର ସମସ୍ତ ବ୍ୟବସାୟିକ କାର୍ଯ୍ୟ ସୁଗମ ହୋଇପାରିବ ବୋଲି ମନ୍ତ୍ରୀ ଶ୍ରୀ ଆରୁଖ ମତବ୍ୟକ୍ତ କରିଥିଲେ ।

ଓଡ଼ିଶା ବନ ଉନ୍ନୟନ ନିଗମର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ରାଜୀବ କୁମାର ଏହି କାର୍ଯ୍ୟାଳୟ ନିର୍ମାଣରେ ୧ କୋଟି ୩୬ ଲକ୍ଷ ଟଙ୍କା ବିନିଯୋଗ କରାଯାଇଛି ବୋଲି ସୂଚନା ଦେଇଥିଲେ । ନବନିର୍ମିତ କାର୍ଯ୍ୟାଳୟ ପରିସରରେ ମନ୍ତ୍ରୀ ଶ୍ରୀ ଆରୁଖ ଅଶୋକ ଗଛର ଚାରା ରୋପଣ କରିଥିଲେ ।

LEAVE A REPLY

Please enter your comment!
Please enter your name here