Home Health ନକଲି ସାମଗ୍ରୀ କବଳରେ ରାଜଧାନୀ

ନକଲି ସାମଗ୍ରୀ କବଳରେ ରାଜଧାନୀ

394
0

ଭୁବନେଶ୍ୱର : କଟକ ସମେତ କେତେକ ସ୍ଥାନରେ ବହୁ ସଂଖ୍ୟକ ନକଲି ଖାଦ୍ୟ ସାମଗ୍ରୀ ପ୍ରସ୍ତୁତ କାରଖାନାମାନ ଜବତ ହେଉଥିବା ବେଳେ ବଜାରରେ କିନ୍ତୁ ଖାଉଟିମାନେ ବିପଜ୍ଜନକ ନକଲି ସାମଗ୍ରୀରୁ ବର୍ତ୍ତି ପାରୁନାହାନ୍ତି । ଯୋଗାଣ ବିଭାଗ ପଖରେ ମାନ ନିୟନ୍ତ୍ରଣ ପାଇଁ ପର୍ଯ୍ୟାପ୍ତ ମାନବ ସମ୍ବଳ ନଥିବାରୁ ଖୋଲିଖୋଲି ଭାବେ ଖୋଦ୍‍ ରାଜଧାନୀର ହାଟ ବଜାରରେ ଏହି ନକଲି ସାମଗ୍ରୀର କାରବାର ଚାଲିଥିବା ବେଳେ ତାହାକୁ ରୋକାଯାଇପାରୁନଥିବା ଘେନି ଅଭିଯୋଗ ଆସୁଛି ।

କିଛିମାସ ମଧ୍ୟରେ କଟକ ଓ ତାହାର ଉପକଣ୍ଠରେ ନକଲି ଘିଅ, ତେଲ, ପନିର୍‍, ମସଲାଗୁଣ୍ଡ, ସସ୍‍, ପାନମସଲା, ମଦ, ମୋବିଲ୍‍ ଭଳି ସମାଗ୍ରୀ ତିଆରି କରୁଥିବା ଅନେକ କାରଖାନା ଜବତ ହେଲାଣି । ସେହିଭଳି ରାଜ୍ୟର ବିଭିନ୍ନ ସ୍ଥାନରେ ମଧ୍ୟ କୋଟି କୋଟି ଟଙ୍କା ମୂଲ୍ୟର ଗଞ୍ଜେଇ, ବ୍ରାଉନ୍‍ସୁଗାର ଆଦି ଜବତ ହେଉଥିବା ଖବର ଗଣମାଧ୍ୟମରେ ବାରମ୍ବାର ପ୍ରକାଶ ପାଉଛି । ଏହାକୁ ବିଭାଗୀୟ କର୍ତ୍ତୃପକ୍ଷ ବଡ଼ ସଫଳତା ବୋଲି ଦାବି କରୁଛନ୍ତି । 

ଅନ୍ୟପକ୍ଷରେ ଖାଉଟିମାନେ ଅଭିଯୋଗ କରୁଛନ୍ତି ଯେ ଜବତ ହୋଇଥିବା ନକଲି ସାମଗ୍ରୀ ପ୍ରସ୍ତୁତ କାରଖାନାଗୁଡ଼ିକ ପୂର୍ବରୁ ଯେତେ ପରିମାଣର ଭେଜାଲ ମାଲ୍‍ ବଜାରକୁ ଛାଡୁଛନ୍ତି ଏବଂ ଆଉ ଯେତେ ନକଲି କାରଖାନା ଠାବ ହୋଇନାହିଁ ସେମାନଙ୍କ ଉପାର୍ଜିତ ସାମଗ୍ରୀ ବଜାରରେ ବିପୁଳ ପରିମାଣରେ ଉପଲବ୍ଧ ହେଉଛି । ଏମିତିକି ନାମୀଦାମୀ କମ୍ପାନୀ ବ୍ରାଣ୍ଡରେ ପ୍ରସ୍ତୁତ ହେଉଥିବା ସିମେଣ୍ଟ ବି ନିର୍ମାଣ କାର୍ଯ୍ୟରେ ବ୍ୟବହୃତ ହେଉଛି । 

ଏହାଛଡ଼ା ରାଜ୍ୟର ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇ ବେଳେବେଳେ ନକଲି ଔଷଧ ଏମିତିକି ନକଲି ଟିକା ମଧ୍ୟ ଧରାପଡ଼ୁଛି । ଅପମିଶ୍ରିତ, ଭେଜାଲ ଓ ନକଲି ସାମଗ୍ରୀର ପ୍ରସ୍ତୁତି, ସଂରକ୍ଷଣ ଓ ବିପଣନ ଭୟଙ୍କର ଦଣ୍ଡନୀୟ ଅପରାଧ ହୋଇଥିଲେ ମଧ୍ୟ ଓଡ଼ିଶାରେ ଏହି କଳା କାରବାର କମିବା ପରିବର୍ତ୍ତେ ବଢ଼ି ବଢ଼ି ଚାଲିଛି । ଏମିତିକି ଅତୀତରେ ନକଲି କଫ୍‍ ସିରପ୍‍ ଓ ଅପମିଶ୍ରିତ ମଦ ଖାଇ ବି ଅନେକ ଲୋକ ମରିଛନ୍ତି ଏବଂ ସେଥିଲାଗି ସରକାରୀ କଳକୁ ମଧ୍ୟ ବେଶ୍‍ ଅପ୍ରସ୍ତୁତ ହେବାକୁ ପଡ଼ିବା ସଙ୍ଗେ ସଙ୍ଗେ ଅନେକ ପରିବାର ଉଜୁଡ଼ି ଯାଇଛି । ଏ ସବୁ ସତ୍ତ୍ୱେ କିନ୍ତୁ ନକଲି ସାମଗ୍ରୀର ବେପାର ବନ୍ଦ ହେଉନାହିଁ । 

ଅପମିଶ୍ରିତ ସାମଗ୍ରୀ ତିଆରି କରୁଥିବା ସଂସ୍ଥାମାନେ ଏଜେଣ୍ଟ ରଖି ସଂସ୍ଥାରେ ଖୁଚୁରା ଦୋକାନଗୁଡ଼ିକୁ ବିତରଣ କରୁଛନ୍ତି ଏବଂ ସେମାନେ ମଧ୍ୟ ଏହା ଜାଣିଶୁଣି ଅଧିକ ମୁନାଫା ଆଶାରେ କଳାବଜାରରେ ଜଡ଼ିତ ରହି ଲୋକଙ୍କ ଧନଜୀବନକୁ ସଙ୍କଟାପନ୍ନ କରୁଛନ୍ତି । 

ରାଜଧାନୀରେ ଗତ କିଛିବର୍ଷ ଧରି ବ୍ରାଉନ୍‍ ସୁଗାର ଓ ଗଞ୍ଜେଇ ସିଗାରେଟ୍‍ ବେପାର ଜମିବାରେ ଲାଗିଛି । ରାଜ୍ୟର ବିଭିନ୍ନ ଅଞ୍ଚଳକୁ ମଧ୍ୟ ଏହି ବିପଜ୍ଜନକ ବ୍ୟବସାୟ ସମ୍ପ୍ରସାରିତ ହେବାରେ ଲାଗିଛି । କଦବା କେଉଁଠି ଏହି ନକଲି ସାମଗ୍ରୀ କାରଖାନାଉପରେ ଚଢ଼ାଉ ବେଳେ ଏହାର ବିପଜ୍ଜନକ ପ୍ରତିକ୍ରିୟା ସମ୍ପର୍କରେ ବି ତଥ୍ୟ ଦିଆଯାଉଛି । କିନ୍ତୁ ମୂଳ ସମସ୍ୟାର ସ୍ଥାୟୀ ପ୍ରତିକାର ହେଉନାହିଁ । ଏବେ ପନିପରିବା, ଗାଈ କ୍ଷୀର, ମହୁଠାରୁ ଆରମ୍ଭ କରି ପୂଜା ସାମଗ୍ରୀ ପର୍ଯ୍ୟନ୍ତ ଏକ ବିଷାକ୍ତ ବାତାବରଣ ସୃଷ୍ଟି କରୁଛନ୍ତି । ସୁନା ଠକେଇ ରୋକିବା ପାଇଁ ଗତବର୍ଷ ଯୋଗାଣ ବିଭାଗ  ଗହଣା ଦୋକାନଗୁଡ଼ିକ ଯାଞ୍ଚ କରୁଥିବା ବେଳେ ଲୋକଙ୍କ  ଜୀବନ ପ୍ରତି ବପଦ ସୃଷ୍ଟି କରୁଥିବା ନକଲି ଖାଦ୍ୟ ସାମଗ୍ରୀକୁ ରୋକିବା ଦିଗରେ କିନ୍ତୁ ସେତେଟା ସଫଳ ହୋଇପାରୁନଥିବା ଘେନି ଅଭିଯୋଗ ହେଉଛି ।(ତଥ୍ୟ) 

LEAVE A REPLY

Please enter your comment!
Please enter your name here