Home News in Odia ନକଲି ମଦ ଜବତ ୩୫ଗୁଣରୁ ଅଧିକ

ନକଲି ମଦ ଜବତ ୩୫ଗୁଣରୁ ଅଧିକ

ଭୁବନେଶ୍ୱର : ଚଳିତ ଆର୍ଥିକ ବର୍ଷରେ ଯେତେ ମଦ ଜବତ ହୋଇଛି ସେଥି ମଧ୍ୟରୁ ନକଲି ବିଦେଶୀ ମଦ ପରିମାଣ ସର୍ବାଧିକ । ଏପ୍ରିଲ୍‍ରୁ ଅକ୍ଟୋବର ମଧ୍ୟରେ ଅବକାରୀ ବିଭାଗର ଧରପଗଡ ଦ୍ୱାରା ପ୍ରାୟ ୪୧୫୦ ଲିଟର ବିଦେଶୀ ମଦ ଜବତ ହୋଇଛି ଯାହା ଗତବର୍ଷ ତୁଳନାରେ ୩୫ଗୁଣରୁ ଅଧିକ ।

ନକଲି ମଦ, ମଦ ପ୍ରସ୍ତୁତ ସାମଗ୍ରୀ ଠାରୁ ଆରମ୍ଭକରି ନକଲି ଠିପି, ହୋଲୋଗ୍ରାମ ଆଦି ବିରୁଦ୍ଧରେ ଅବକାରୀ ବିଭାଗ ବ୍ୟାପକ ଧରପଗଡ ଆରମ୍ଭ କରିଛି । ରାଜ୍ୟର ଅଧିକାଂଶ ଜିଲ୍ଲାରେ ଚଢଉ ଚାଲିଥିବାବେଳେ ଏହାଦ୍ୱାରା ଚଳିତ ଆର୍ଥିକ ବର୍ଷର ୭ମାସ ଅର୍ଥାତ୍‍ ଏପ୍ରିଲ୍‍ରୁ ଅକ୍ଟୋବର ମଧ୍ୟରେ ୮୪କୋଟି ୪୫ଲକ୍ଷ ଟଙ୍କାରୁ ଅଧିକ ସାମଗ୍ରୀ ଜବତ ହୋଇଛି । ଗତବର୍ଷ ଏହି ସମୟରେ ଜବତ ସାମଗ୍ରୀର ଆନୁମାନିକ ମୂଲ୍ୟ ୩୯କୋଟି ୯୦ଲକ୍ଷ ଟଙ୍କା ରହିଥିଲା ।

ତେବେ ଚଳିତବର୍ଷ ଜବତ ହୋଇଥିବା ସାମଗ୍ରୀ ମଧ୍ୟରେ ଦେଶୀ ମଦ, ମଦ ତିଆରି ସାମଗ୍ରୀ, ଗୁଡ ତିଆରି ମଦ, ମହୁଲି ମଦ, ଟିକଓ ଫାଙ୍କି ବିଦେଶୀ ମଦ ଓ ନକଲି ବିଦେଶୀ ମଦ ରହିଛି । ଟିକସ ଫାଙ୍କି ବିକ୍ରି ହେଉଥିବା ୧୭୯୫ ଲିଟର ବିଦେଶୀ ମଦକୁ ଅବକାରୀ ବିଭାଗର ସ୍କ୍ୱାଡ୍‍ ଜବତ କରିଥିବାବେଳେ ଗତବର୍ଷ ଏହି ପରିମାଣ ମାତ୍ର ୨୬ଲିଟର ରହିଥିଲା । ଟିକସ ଫାଙ୍କି ଯୋଗୁଁ ବିପୁଳ ରାଜସ୍ୱ କ୍ଷତି ହେବାରୁ ଅବକାରୀ ବିଭାଗ ଏହା ବିରୁଦ୍ଧରେ ବ୍ୟାପକ ଅଭିଯାନ ଚଳାଇଛି । ସେହିଭଳି ଜୀବନ ପ୍ରତି ବିପଦ ଥିବା ନକଲି ବିଦେଶୀ ମଦ ବି ବିପୁଳ ପରିମାଣରେ ଜବତ ହେଉଛି ।

ଖାଲି ବିଦେଶୀ ମଦ ନୁହେଁ ନକଲି ବିଦେଶୀ ମଦକୁ ଅସଲି ରୂପ ଦେବାପାଇଁ ବିଭିନ୍ନ କିସମର ମଦ ବୋତଲରେ ଲାଗୁଥିବା ଠିପି, ଓଡିଶା ସରକାର ଲେଖାଥିବା ନକଲି ହୋଲୋଗ୍ରାମର ବ୍ୟାପକ କାରବାର ହେଉଥିବାରୁ ତାହା ବିରୁଦ୍ଧରେ ବି ଅଭିଯାନ ଆରମ୍ଭ କରି ଅବକାରୀ ବିଭାଗ । ଚୋରା ମଦବେପାରୀମାନେ ନକଲି ମଦ ତିଆରି ପାଇଁ ବିଭିନ୍ନ କିସମର ବୋତଲ ସହଜରେ ପାଇ ଯାଉଥିବାବେଳେ ଠିପି, ହୋଲୋଗ୍ରାମ ଆଦିର ବେଆଇନ୍‍ କାରବାର ବ୍ୟାପକ ଭାବେ ଚାଲିଛି । ତେଣୁ ଏହା ଉପରେ ଏବେ ଅବକାରୀ ବିଭାଗ ସତର୍କ ନଜର ରଖିଛି ।

ଅବକାରୀ ବିଭାଗର ଜୋରଦାର ଚଢଉ ଯୋଗୁଁ ଚଳିତବର୍ଷ ଏପ୍ରିଲ୍‍ରୁ ଅକ୍ଟୋବର ସୁଦ୍ଧା ୨୦,୦୯୭ ମାମଲା ରୁଜୁ ସହିତ ୧୬,୪୮୦ ଜଣ ବ୍ୟକ୍ତି ଗିରଫ ହେଲେଣି । ଗତବର୍ଷ ସାତମାସରେ ଏହି ସଂଖ୍ୟା ଯଥାକ୍ରମେ ୧୩,୪୧୦ ଓ ୯୮୦୪ ରହିଥିଲା । ବ୍ୟାପକ ସଂଖ୍ୟାରେ ଗିରଫଦାରୀ ଯୋଗୁଁ ଚୋରା ଓ ନକଲି ମଦ କାରବାର କରୁଥିବା ବେପାରୀଙ୍କ ମଧ୍ୟରେ ଏକ ପ୍ରକାର କୋକୁଆଭୟ ସୃଷ୍ଟି ହୋଇଛି । ମଦ ବେପାରୀମାନେ ଏବେ ଅଧିକ ଲାଭ ପାଇଁ ବିଦେଶୀ ମଦକୁ ନକଲି କରିବା ଉପରେ ଜୋର ଦେଉଥିବାବେଳେ ଅବକାରୀ ବିଭାଗ ପକ୍ଷରୁ ଏହା ଉପରେ ସତର୍କ ଦୃଷ୍ଟି ରଖାଯିବା ସହିତ ଗୁଇନ୍ଦା ସୂଚନା ଆଧାରରେ ଚଢଉକୁ ଜୋରଦାର କରାଯାଇଥିବା ଜଣାଯାଇଛି । (ତଥ୍ୟ)

LEAVE A REPLY

Please enter your comment!
Please enter your name here