Home News in Odia ନକଲି ଔଷଧ ମାମଲାରେ ତିନି ଗିରଫ

ନକଲି ଔଷଧ ମାମଲାରେ ତିନି ଗିରଫ

ଭୁବନେଶ୍ୱର : ନକଲି ଔଷଧ ବିକ୍ରି କରିବା ଅଭିଯୋଗରେ ଆଜି ଏସ୍‌ଟିଏଫ୍ ୩ଜଣଙ୍କୁ ଗିରଫ କରିଛି । ନକଲି ଔଷଧ ବିକ୍ରି କରୁଥିବା “ମେଡିଲୋୟଡ୍ ମେଡିକମେଂଟ ପ୍ରାଇଭେଟ୍ ଲିମିଟେଡ୍‌’ର ୩ଜଣଙ୍କୁ ଗିରଫ ଏବଂ କୋର୍ଟ ଚାଲାଣ କରାଯାଇଥିବା କ୍ରାଇମବ୍ରାଞ୍ଚ ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ ଯଶୋୱନ୍ତ ଜେଠୱା ସୂଚନା ଦେଇଛନ୍ତି । ବର୍ତମାନ ସୁଦ୍ଧା ସେମାନଙ୍କ ବ୍ୟାଙ୍କ ଆକାଉଂଟରୁ ୫୦ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା ଜବତ କରାଯାଇଥିବା ବେଳେ ତଦନ୍ତ ଜାରି ରହିଛି ସେ କହିଛନ୍ତି ।

ଶ୍ରୀ ଜେଠୱାଙ୍କ ସୁଚନା ମୁତାବକ, ଓଡ଼ିଶାରେ ନକଲି ଔଷଧ ବିକ୍ରି ହେଉଥିବା ନେଇ ଡ୍ରଗ୍ କର୍ତୃପକ୍ଷ ଏସ୍‌ଟିଏଫ୍‌ରେ ଏକ ରିପୋର୍ଟ ଦାଖଲ କରିଥିଲେ । ନକଲି ଔଷଧ ବିଶେଷତଃ କୋଭିଡ୍‌-୧୯ ରୋଗୀଙ୍କ ଚିକିତ୍ସା ନିମନ୍ତେ ଉଦ୍ଦିଷ୍ଟ ଥିବା ଔଷଧ ଫାଭିମାକ୍ସ-୨୦୦ ଏବଂ ଫ୍ୟାଭିମାକ୍ସ-୪୦୦(ଫାଭିପିରାଭିର୍‌) ବିକ୍ରି ହେଉଥିବା ସୂଚନା ମିଳିଥିଲା ।

ସେହି ଅନୁଯାୟୀ ଡ୍ରଗ୍‌ସ ଏବଂ କସ୍‌ମେଟିକ୍ ଆକ୍ଟ ୧୯୪୦ ଅନୁଯାୟୀ ନକଲି ଔଷଧ ବିକ୍ରି, ଜାଲିଆତି, ଠକେଇ ଓ ଷଡ଼ଯନ୍ତ୍ର ଭଳି ସଙ୍ଗୀନ ମାମଲା ରୁଜୁ କରାଯାଇଥିଲା । ଏଭଳି ଏକ ଗୁରୁତ୍ୱପୂର୍ଣ୍ଣ ମାମଲାର ତଦନ୍ତ ପାଇଁ ଏସ୍‌ଟିଏଫ୍ ପକ୍ଷରୁ ୩ଟି ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇଥିଲା । ଓଡ଼ିଶା, ମହାରାଷ୍ଟ୍ର ଏବଂ ପଶ୍ଚିମବଙ୍ଗର ବିଭିନ୍ନ ସ୍ଥାନରେ ଚଢଉ କରି ଉକ୍ତ ଟିମ୍ ତଥ୍ୟ ଏବଂ ପ୍ରମାଣ ସଂଗ୍ରହ କରିଥିଲେ ।

ସୂଚନା ଅନୁଯାୟୀ, ହିମାଚଳ ପ୍ରଦେଶସ୍ଥିତ ସୋଲାନ୍ ନାମକ ସ୍ଥାନରେ “ମ୍ୟାକ୍ସ ରିଲିଫ୍ ହେଲ୍‌ଥ କେୟାର” ନାମକ ଏକ କମ୍ପାନୀ ଫାଭିମାକ୍ସ ଟାବ୍‌ଲେଟ୍ ପ୍ରସ୍ତୁତ କରି ମାର୍କେଟିଂ କରୁଥିଲା । ଏହି କମ୍ପାନୀକୁ ଦୁଇଜଣ ବ୍ୟକ୍ତି ଚଳାଉଥିବା ବେଳେ ଦୁହିଁଙ୍କୁ ମୁମ୍ବାଇ ପୋଲିସ ଗିରଫ କରିଛି । ଏହାବ୍ୟତୀତ ସମ୍ପୃକ୍ତ ଦୁଇ ଅଭିଯୁକ୍ତଙ୍କ ବିରୋଧରେ ବିଭିନ୍ନ ରାଜ୍ୟରେ ମାମଲା ରହିଥିବା ଏସ୍‌ଟିଏଫ୍ ଜାଣିବାକୁ ପାଇଥିଲା ।

ଓଡ଼ିଶାରେ ଥିବା “ମେଡିଲୋୟଡ୍ ମେଡିକମେଂଟ ପ୍ରାଇଭେଟ୍ ଲିମିଟେଡ୍‌’ କମ୍ପାନୀ “ମ୍ୟାକ୍ସ ରିଲିଫ୍ ହେଲ୍‌ଥ କେୟାର” ସହ ଷଡଯନ୍ତ୍ର କରି ଫାଭିମାକ୍ସ ଟାବ୍‌ଲେଟ୍ ବହୁତ କମ୍ ଦାମରେ ହାସଲ କରିଥିଲା । ପ୍ରତି ଷ୍ଟ୍ରିପ୍‌(୧୦ଟି)ଟାବ୍‌ଲେଟ୍‌ର ମୂଲ୍ୟ ମାତ୍ର ୬୫ଟଙ୍କା ହୋଇଥିବାବେଳେ “ମେଡିଲୋୟଡ୍ ମେଡିକାମେଂଟ” କମ୍ପାନୀ ପ୍ରତି ଷ୍ଟ୍ରିପ୍ ପିଛା (୧୦ଟି)ର ମୂଲ୍ୟ ୧୨୯୦ ଟଙ୍କାରେ ବିକ୍ରି କରିବାକୁ ଯୋଜନା କରୁଥିଲା ।

ଏଭଳି ତଥ୍ୟ ଏବଂ ପ୍ରମାଣ ଏସ୍‌ଟିଏଫ୍ ହାତରେ ଲାଗିବା ପରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରାଯାଇଥିଲା । ସେହି ଅନୁଯାୟୀ ଆଜି “ମେଡିଲୟଡ୍ ମେଡିକମେଂଟ” କମ୍ପାନୀର ନିର୍ଦ୍ଦେଶକ ଏବଂ ଅନ୍ୟ ଦୁଇଜଣ ସହଯୋଗୀଙ୍କୁ ଗିରଫ କରାଯାଇଛି । ବର୍ତମାନ ସୁଦ୍ଧା ସେମାନଙ୍କ ବ୍ୟାଙ୍କ ଆକାଉଂଟରୁ ୫୦ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା ଜବତ କରାଯାଇଥିବା ବେଳେ ତଦନ୍ତ ଜାରି ରହିଛି ବୋଲି ଏଡିଜି ଶ୍ରୀ ଜେଠୱା ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here