Home News in Odia ଧାର୍ଯ୍ୟ ସମୟରେ ଷ୍ଟାଡିୟମ କାର୍ଯ୍ୟ ସାର

ଧାର୍ଯ୍ୟ ସମୟରେ ଷ୍ଟାଡିୟମ କାର୍ଯ୍ୟ ସାର

ଭୁବନେଶ୍ୱର : କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ତୁଷାରକାନ୍ତି ବେହେରା ସୁନ୍ଦରଗଡ଼ ଜିଲ୍ଲା ଗସ୍ତ ସମୟରେ ବିପିୟୁଟି କ୍ୟାମ୍ପସ୍‌ ପରିସରରେ ନିର୍ମାଣାଧୀନ ଥିବା ଅନ୍ତର୍ଜାତୀୟ ହକି ଷ୍ଟାଡିୟମ୍‌ର ସମୀକ୍ଷା କରିଥିଲେ ।

ଧାର୍ଯ୍ୟ ସମୟସୀମା ମଧ୍ୟରେ ଷ୍ଟାଡିୟମ୍‌ ନିର୍ମାଣ କାର୍ଯ୍ୟ ସାରିବାକୁ ମନ୍ତ୍ରୀ ଶ୍ରୀ ବେହେରା ହକି ଓଡ଼ିଶା ପ୍ରମୋସନ୍‌ କାଉନ୍‌ସିଲର ଅଧ୍ୟକ୍ଷ ଶ୍ରୀ ଦିଲ୍ଲୀପ ତିର୍କୀ, ଇଡ୍‌କୋର ବରିଷ୍ଠ ଅଧିକାରୀ, କାର୍ଯ୍ୟଭାର ନେଇଥିବା ସଂସ୍ଥାର ଅଧିକାରୀ, ଜିଲ୍ଲା କ୍ରୀଡ଼ା ଅଧିକାରୀଙ୍କ ସହ ଆଲୋଚନା କରିଥିଲେ ।

ରାଉରକେଲାଠାରେ ଷ୍ଟାଡିୟମ୍‌ ନିର୍ମାଣ ହେଲେ ଏହା ଭୁବନେଶ୍ୱର ପରେ ରାଜ୍ୟର ଅନ୍ୟ ଏକ ବୃହତ୍‌ ହକି ଷ୍ଟାଡିୟମ୍‌ ଭାବେ ପରିଗଣିତ ହେବ । ୨୦୨୩ ବିଶ୍ୱକପ୍‌ ପରିପ୍ରେକ୍ଷୀରେ ଏହି ଷ୍ଟାଡିୟମ୍‌ ବେଶ୍‌ ଗୁରୁତ୍ୱ ବହନ କରୁଛି । ଏହି ଷ୍ଟାଡିୟମ୍‌ ନିକଟ ଭବିଷ୍ୟତରେ ସୁନ୍ଦରଗଡ଼ ଜିଲ୍ଲା ପାଇଁ ଗର୍ବ ପାଲଟିବ ବୋଲି ମନ୍ତ୍ରୀ ଶ୍ରୀ ବେହେରା କହିଥିଲେ । ଏହି ଅବସରରେ ମନ୍ତ୍ରୀ ସେଠାରେ ହକି ଖେଳାଳୀ ଏବଂ କ୍ରୀଡ଼ା ସଂଗଠକଙ୍କ ସହ ଆଲୋଚନା କରିଥିଲେ ।

ଆଜି ମନ୍ତ୍ରୀ ଶ୍ରୀ ବେହେରା ସୁନ୍ଦରଗଡ଼ ଜିଲ୍ଲା ବିଶ୍ରା ବ୍ଲକ୍‌ର ବିଭିନ୍ନ ଗ୍ରାମପଞ୍ଚାୟତ ଗସ୍ତ କରି ହିତାଧିକାରୀମାନଙ୍କୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଅନ୍ତର୍ଗତ ସ୍ମାର୍ଟ ହେଲଥ୍‌ କାର୍ଡ ବଣ୍ଟନ କରିଥିଲେ । ଏଥି ସହିତ ମାନ୍ୟବର ମୁଖ୍ୟମନ୍ତ୍ରୀ ଓଡ଼ିଶାବାସୀଙ୍କ ସ୍ୱାସ୍ଥ୍ୟସେବାକୁ ଗୁରୁତ୍ୱ ଦେଇ ସ୍ମାର୍ଟ ହେଲଥ୍‌ କାର୍ଡ ପ୍ରଚଳନ ସହ ନୂଆ ରୂପରେ ଲାଗୁ ହେଇଥିବା ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ସଂପର୍କରେ ବୁଝାଇଥିଲେ ।

ପୂର୍ବରୁ ଚିକିତ୍ସା ପାଇଁ ଗରିବ ଲୋକଟି ପଇସା ପାଇଁ ଅନ୍ୟ ପାଖରେ ହାତ ପତାଇବା ଅବା ଗହଣା ବିକିବା ଭଳି ଯେଉଁ ସମସ୍ୟା ସୃଷ୍ଟି ହେଉଥିଲା ତାହା ଆଉ ହେବ ନାହିଁ । ଏହି କାର୍ଡ ଜରିଆରେ ହିତାଧିକାରୀମାନେ ଦେଶର ୨୦୦ଟି ବଡ଼ ବଡ଼ ଡାକ୍ତରଖାନାରେ ଚିକିତ୍ସା ସୁବିଧା ପାଇପାରିବେ ବୋଲି ମନ୍ତ୍ରୀ ଶ୍ରୀ ବେହେରା କହିଥିଲେ ।