Home Energy ଧାନ ଅମଳରେ ବିଜୁଳି କାଟ୍‍ ବାଧକ

ଧାନ ଅମଳରେ ବିଜୁଳି କାଟ୍‍ ବାଧକ

ଭୁବନେଶ୍ୱର : ଅଦିନିଆ ବର୍ଷାରେ ହନ୍ତସନ୍ତ ହେଉଥିବା ଚାଷୀଙ୍କ ଫସଲ ଅମଳ ପାଇଁ ବିଜୁଳି ବିଭାଗ ଏବେ କାଳ ସାଜିଛି । ମରାମତି ନାଁରେ ବାରମ୍ବାର ବିଜୁଳି କାଟ୍‍ ଯୋଗୁଁ ଗାଁ ଗହଳରେ ଧାନ ଅମଳ ଏବେ କଷ୍ଟ ହୋଇପଡିଛି ।

ଉପକୂଳ ଓଡିଶାର ବିଭିନ୍ନ ଜିଲ୍ଲା ବିଶେଷକରି ଜଗତ୍‍ସିଂହପୁର ଜିଲ୍ଲାରେ ଏବେ ରକ୍ଷଣା ବେକ୍ଷଣ ନାଁରେ ବ୍ୟାପକ ବିଜୁଳି କାଟ୍‍ ହେଉଛି । ଅଧିକାଂଶ ଦିନ ବିଦ୍ୟୁତ୍‍ ବିଭାଗ ପୂର୍ବାହ୍ନ ୧୦ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ବିଜୁଳି କାଟ୍‍ କରୁଛନ୍ତି । ଫଳରେ ଚାଷୀମାନେ ବିଲରୁ ବୋହି ଆଣିଥିବା ଧାନ ଅମଳ କରିପାରୁ ନାହାନ୍ତି ।

ଉଲ୍ଲେଖନୀୟ ଯେ ଧାନ ଅମଳ ପାଇଁ ଏବେ ଏକମାତ୍ର ମାଧ୍ୟମ ହେଉଛି ବିଦ୍ୟୁତ ଚାଳିତ ଯନ୍ତ୍ର । ହାତରେ ଧାନ ବାଡେଇବାକୁ ମୂଲିଆମାନେ ରାଜି ହେଉନାହାନ୍ତି । ତେଣୁ ପ୍ରତ୍ୟେକ ଚାଷୀ ଏହି ଯନ୍ତ୍ର ସହାୟତାରେ ଧାନ ଅମଳ କରିଥାନ୍ତି । ଏଥିପାଇଁ ମୂଲିଆମାନଙ୍କୁ ମଧ୍ୟ ନିୟୋଜିତ କରିବାକୁ ପଡେ । ଯଦିଓ ବିଜୁଳି ବିଭାଗ ଲାଇନ୍‍ କାଟିବା ନେଇ ପୂର୍ବରୁ ଏସ୍‍ଏମ୍‍ଏସ୍‍ ପଠାଉଛନ୍ତି ହେଲେ ଗାଁ ଗହଳର ଚାଷୀମାନେ ଏହା ସହଜରେ ଜାଣିପାରୁ ନଥିବାରୁ ଡାକିଥିବା ମୂଲିଆଙ୍କୁ ମଜୁରୀ ତଣ୍ଡ ଗଣୁଛନ୍ତି ।

ଅଦିନିଆ ବର୍ଷାରେ ଉଜୁଡି ଯାଇଥିବା ଫସଲକୁ ଘରକୁ ନେଇ ଆସିବା ସହିତ ଶୀଘ୍ର ଅମଳ ପାଇଁ ପାଣିପାଗ ବିଭାଗ ଠାରୁ ଆରମ୍ଭ କରି ସ୍ୱତନ୍ତ୍ର ରିଲିଫ କମିଶନରଙ୍କ ପର୍ଯ୍ୟନ୍ତ ସମସ୍ତେ ପରାମର୍ଶ ଦେଉଛନ୍ତି । ହେଲେ ଏହି ସମୟରେ ବିଜୁଳି ବିଭାଗର ଲୁଚକାଳି ଖେଳ ଏବେ ଚାଷୀଙ୍କ ମୁଣ୍ଡରେ ଚଡକ ପକାଇଛି । ବହୁ କଷ୍ଟରେ ମୂଲିଆ ଯୋଗାଡ ହେଉଥିଲେ ବି ବିଜୁଳି ରହୁନଥିବାରୁ ଧାନ ଅମଳ ହୋଇପାରୁ ନାହିଁ ।

ଆସନ୍ତା ତିନି ଚାରି ଦିନ ମଧ୍ୟରେ ରାଜ୍ୟର କେତେକ ସ୍ଥାନରେ କୁଆପଥର ମାଡ ସାଙ୍ଗକୁ ବର୍ଷାର ସମ୍ଭାବନା ଥିବାରୁ ଖଳାରେ ଥିବା ଧାନ ଅମଳ ପାଇଁ ଚାଷୀ ତର ତର ହେଉଛନ୍ତି । ତେଣୁ ଏହି ସମୟରେ ଆଉ ବିଜୁଳି ନକାଟିବାପାଇଁ ସରକାର ପଦକ୍ଷେପ ଗ୍ରହଣ କରିବାକୁ ଚାଷୀମାନେ ଅନୁରୋଧ କରିଛନ୍ତି । କାରଣ ବିଜୁଳି ରକ୍ଷଣା ବେକ୍ଷଣ କାର୍ଯ୍ୟରେ ସାମାନ୍ୟ ବିଳମ୍ବ ହେଲେ ସେଭଳି କୌଣସି ଅସୁବିଧା ହେବନାହିଁ । ହେଲେ ବହୁ କଷ୍ଟରେ ବିଲରୁ ଖଳାକୁ ଆସିଥିବା ଧାନ ଆଉ ଥରେ ଓଦା ହୋଇଗଲେ ତାହାକୁ ଅମଳ କରିବା କଷ୍ଟକର ହୋଇପଡିବ ।

କେବଳ ଧାନ ଅମଳ ସମୟରେ ନୁହେଁ, ଗାଁ ଗହଳରେ ବିଜୁଳି ବିଭାଗର ଏଭଳି ଘନ ଘନ ବିଜୁଳି କାଟ୍‍ ପିଲାଙ୍କ ପାଠପଢାକୁ ବି ବିଗାଡି ଦେଲାଣି । କରୋନା ଯୋଗୁଁ ପିଲାଏ ଏବେ ଅନ୍‍ଲାଇନ୍‍ ପାଠପଢା ଉପରେ ନିର୍ଭର କରୁଥିବାବେଳେ ଘନ ଘନ ବିଜୁଳି କାଟ୍‍ ସେମାନଙ୍କୁ ଅକଳରେ ପକାଉଛି । ଗାଁ ଗହଳର ଉପଭୋକ୍ତାମାନେ ସହରୀ ଉପଭୋକ୍ତାଙ୍କ ଭଳି ଠିକଣା ସମୟରେ ବିଦ୍ୟୁତ୍‍ ବିଲ୍‍ ପଇଠ କରୁଥିବାବେଳେ ବିଜୁଳି ଯୋଗାଣ କ୍ଷେତ୍ରରେ କିନ୍ତୁ ସେମାନଙ୍କୁ ସାବତପୁଅ ଭଳି ବ୍ୟବହାର କରାଯାଉଥିବା କେତେକ ହିତାଧିକାରୀ ମତ ଦେଉଛନ୍ତି । (ତଥ୍ୟ)