Home News in Odia ଧର୍ମେନ୍ଦ୍ର-ଅଶ୍ୱିନୀଙ୍କ ଜନ ଆଶୀର୍ବାଦ ଯାତ୍ରା ଆରମ୍ଭ

ଧର୍ମେନ୍ଦ୍ର-ଅଶ୍ୱିନୀଙ୍କ ଜନ ଆଶୀର୍ବାଦ ଯାତ୍ରା ଆରମ୍ଭ

ଭୁବନେଶ୍ୱର : କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଅଶ୍ୱିନୀ ବୈଷ୍ଣବ ଆଜିଠାରୁ ଓଡିଶାରେ ୪ଦିନିଆ ଜନ ଆର୍ଶୀବାଦ ଯାତ୍ରା ଆରମ୍ଭ କରିଛନ୍ତି । ଯାତ୍ରା କାଳରେ ଦୁଇ କେନ୍ଦ୍ରମନ୍ତ୍ରୀ ଲୋକମାନଙ୍କ ସହ ସିଧାସଳଖ ଆଲୋଚନା କରି ବାସ୍ତବ ସ୍ଥିତି ଅନୁଧ୍ୟାନ କରିବା ସହ କେନ୍ଦ୍ର ସରକାରଙ୍କ ବିଭିନ୍ନ ଜନକଲ୍ୟାଣ ଯୋଜନା ସମ୍ପର୍କରେ ସାଧାରଣ ଲୋକଙ୍କୁ ଅବଗତ କରିବେ ।

କେନ୍ଦ୍ର ମନ୍ତ୍ରୀମଣ୍ଡଳରେ ନୂତନ ଭାବେ ଦାୟୀତ୍ୱ ଗ୍ରହଣ କରିଥିବା ମନ୍ତ୍ରୀମାନେ ଦେଶର ପ୍ରାୟ ୨୧୨ଟି ସଂସଦୀୟ କ୍ଷେତ୍ରକୁ ଯାଇ ଜନ ଆର୍ଶୀବାଦ ଲୋଡିବେ । ଏହି ଜନ ଆର୍ଶୀବାଦ ଯାତ୍ରା ୧୪୨ ଦିନ ଯାଏ ଚାଲିବ ।

ଦୁଇ କେନ୍ଦ୍ରମନ୍ତ୍ରୀ ଆଜି ସକାଳେ ଭୂବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ସେମାନଙ୍କୁ ବିମାନବନ୍ଦରରେ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଥିଲା । ରାଜ୍ୟ ସଭାପତି ସମୀର ମହାନ୍ତି, ସଧାରଣ ସଂପାଦକ (ସଂଗଠନ) ମାନସ ମହାନ୍ତି, ଭୂବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ସେମାନଙ୍କୁ ସ୍ୱାଗତ ଜଣାଇଥିଲେ । ଏହାପରେ ଦୁଇ କେନ୍ଦ୍ରମନ୍ତ୍ରୀ ସିଧାସଳଖ ପୁରୀ ଅଭିମୁଖେ ଯାତ୍ରା କରିଥିଲେ ।

ପୁରୀ ଯାତ୍ରା ଅବସରରେ ବନେଶ୍ୱର କଳ୍ପନା ଛକ, ବାର୍ ଆସୋସିଏସନ୍‌, ଲିଙ୍ଗିପୁର ଛକ, ଉତରା ଛକ, ପିପିଲି, ବଳଙ୍ଗା, ସାତଶଙ୍ଖ, ଚନ୍ଦନପୁର, ଅଠରନଳା ଆଦି ସ୍ଥାନରେ ଦଳୀୟ କାର୍ଯ୍ୟକର୍ତା ଓ ବିଭିନ୍ନ ସାମାଜିକ ଅନୁଷ୍ଠାନ ତରଫରୁ ବ୍ୟାପକ ସ୍ୱାଗତ ଜ୍ଞାପନ କରାଯାଇଥିଲା । ଦୁଇ କେନ୍ଦ୍ରମନ୍ତ୍ରୀ ସିଧାସଳଖ ଶ୍ରୀମନ୍ଦିରକୁ ଯାଇ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦ ଭିକ୍ଷା କରିଥିଲେ । ଭୂବନେଶ୍ୱର ପ୍ରତ୍ୟାବର୍ତନ କରି ଉଭୟ କେନ୍ଦ୍ରମନ୍ତ୍ରୀ ରାଜ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ସମ୍ବର୍ଦ୍ଧନା ସଭା କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।

କେନ୍ଦ୍ର ରେଳମନ୍ତ୍ରୀ ଶ୍ରୀ ବୈଷ୍ଣବ କହିଛନ୍ତି ଯେ ରାଜ୍ୟର ବହୁମୁଖୀ ବିକାଶ ହେଉଛି ବିଜେପିର ପ୍ରାଥମିକତା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମୂଳ ପ୍ରୟାସ ହେଉଛି ପୂର୍ବଦ୍ୟୋୟର ବିକାଶ । ରାଜ୍ୟର ଗରୀବ, ବଂଚିତ, ଶୋଷିତ ବର୍ଗଙ୍କ କଲ୍ୟାଣ ପାଇଁ ତ୍ୱରିତ୍ୱ ପଦକ୍ଷେପ ସ୍ୱରୂପ ଆମେ ସମସ୍ତେ କାର୍ଯ୍ୟ କରିବୁ । ସେହିପରି କେନ୍ଦ୍ର ରେଳ ମନ୍ତ୍ରୀ ଶ୍ରୀ ବୈଷ୍ଣବ ଆଜି ରାତିରେ ରାୟଗଡା ଅଭିମୁଖେ ଯାତ୍ରା କରିଛନ୍ତି ।

ଆସନ୍ତା କାଲି ରାୟଗଡାଠାରେ ସେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବା ସହ ସାମ୍ବାଦିକ ସମ୍ମିଳନୀକୁ ଉଦବୋଧନ କରିବେ । ଏହା ପରେ କୋରାପୁଟ ଅଭିମୁଖେ ଗସ୍ତ କରି ସାମ୍ବାଦିକ ସମ୍ମିଳନୀରେ ଯୋଗ ଦେବା ସହ ରାତ୍ରଯାପନ କରିବେ । ୨୧ ତାରିଖ ଦିନ ଶ୍ରୀ ବୈଷ୍ଣବ କୋରାପୁଟରୁ ବାହାରି ଜୟପୁର, ବୋରିଗୁମା, ନବରଙ୍ଗପୁର, ପାପଡାହାଣ୍ଡି, କୋକସରା, ଜୁନାଗଡ ଦେଇ ଭବାନୀପାଟଣାଠାରେ ପହଂଚି ସାମ୍ବାଦିକ ସମ୍ମିଳନୀରେ ଯୋଗ ଦେବା ସହ ରାତ୍ରୀଯାପନ କରିବେ ।

ସେହିପରି ୨୨ ତାରିଖ ଦିନ ରେଳମନ୍ତ୍ରୀ ଭବାନିପାଟଣାରୁ କେସିଙ୍ଗା, ଟିଟିଲାଗଡ, କଂଟାବାଂଜି, ପାଟଣାଗଡ ଦେଇ ବଲାଙ୍ଗୀରଠାରେ ପହଂଚି ସାମ୍ବାଦିକ ସମ୍ମିଳନୀରେ ଯୋଗ ଦେବା ସହ ବିଭିନ୍ନ ପ୍ରସଙ୍ଗରେ ବିଭିନ୍ନ ସଂଗଠନ ଓ ବର୍ଗର ଲୋକମାନଙ୍କ ସହ ଆଲୋଚନା କରି ରାତିରେ ରେଳ ଯୋଗେ ଭୂବନେଶ୍ୱର ପ୍ରତ୍ୟାବର୍ତନ କରିବାର କାର୍ଯ୍ୟକ୍ରମ ରହିଛି ।

LEAVE A REPLY

Please enter your comment!
Please enter your name here