Home News in Odia ଧର୍ମାନୁଷ୍ଠାନରେ ଉପରେ ଲାଗିଲା କଟକଣା

ଧର୍ମାନୁଷ୍ଠାନରେ ଉପରେ ଲାଗିଲା କଟକଣା

ଭୁବନେଶ୍ୱର: ଭୁବନେଶ୍ୱର ମହାନଗର ନିଗମ (ବିଏମସି) ଅଞ୍ଚଳରେ ଥିବା ସମସ୍ତ ଧାର୍ମିକ ଅନୁଷ୍ଠାନରେ ଭକ୍ତଙ୍କ ପ୍ରବେଶ ଉପରେ କଟକଣା ଜାରି ହୋଇଛି । ୨୧ ତାରିଖରୁ କୌଣସି ବ୍ୟକ୍ତି ଧାର୍ମିକ ଅନୁଷ୍ଠାନଗୁଡ଼ିକରେ ପ୍ରବେଶ କରିପାରିବେ ନାହିଁ । କରୋନା ସଂକ୍ରମଣ ବି ଚାଲିଥିବା ଯୋଗୁ ଏଭଳି ନିଷ୍ପତ୍ତି ନିଆଯାଇଥିବା କହିଛନ୍ତି ବିଏମସି କମିଶନର ପ୍ରେମ ଚନ୍ଦ୍ର ଚୌଧୁରୀ ।

ଶ୍ରୀ ଚୌଧୁରୀ କହିଛନ୍ତି ଯେ ଭୁବନେଶ୍ୱରରେ କରୋନା ସଂକ୍ରମଣ ବୃଦ୍ଧି ପାଇଛି । ଏହାକୁ ଦୃଷ୍ଟି ରଖି ଆମେ ବିଏମସି ଅଞ୍ଚଳରେ ଥିବା ବିଭିନ୍ନ ଧର୍ମାନୁଷ୍ଠାନର ପରିଚାଳନା କମିଟି ସଦସ୍ୟଙ୍କ ସହ ଆଲୋଚନା କରି ଏହି ନିଷ୍ପତ୍ତି ନେଇଛୁ ।

ବିଏମ୍‍ସି କମିଶନର ଆହୁରି କହିଛନ୍ତି ଯେ ବର୍ତ୍ତମାନ ପାଇଁ ମନ୍ଦିର, ମସଜିଦ, ଚର୍ଚ୍ଚ ଓ ଗୁରୁଦ୍ୱାର ଆଦି ସମସ୍ତ ଧର୍ମାନୁଷ୍ଠାନରେ ଶ୍ରଦ୍ଧାଳୁଙ୍କ ପ୍ରବେଶକୁ ବାରଣ କରାଯାଇଛି । ତେବେ ସବୁ ଧର୍ମାନୁଷ୍ଠାନରେ ଦୈନନ୍ଦିନ ନୀତିକାନ୍ତି ସମ୍ପନ୍ନ କରିବାକୁ ଅନୁମତି ଦିଆଯାଇଛି । ଆଗାମୀ ଦିନରେ ସ୍ଥିତିକୁ ଦେଖି ପୁଣି ଶ୍ରଦ୍ଧାଳୁଙ୍କ ନିମନ୍ତେ ଧର୍ମାନୁଷ୍ଠାନଗୁଡ଼ିକୁ ଖୋଲିବା ପାଇଁ ବ୍ୟବସ୍ଥା କରାଯିବ ।

ବିଏମସି ପକ୍ଷରୁ ଏନେଇ ମାର୍ଗଦର୍ଶିକା ମଧ୍ୟ ଜାରି କରାଯାଇଛି । ଧର୍ମାନୁଷ୍ଠାନଗୁଡ଼ିକରେ ନୀତିକାନ୍ତି ସମ୍ପନ୍ନ କରିବାକୁ ଉପସ୍ଥିତ ରହୁଥିବା ପୂଜକ ଓ କର୍ମଚାରୀମାନଙ୍କ ପାଇଁ ମାସ୍କ ବାଧ୍ୟତାମୂଳକ କରାଯାଇଛି । ସେମାନେ ସାମାଜିକ ଦୂରତ୍ୱ ମଧ୍ୟ ରକ୍ଷା କରିବେ । ପୂଜକ ଓ ଅନ୍ୟ କର୍ମଚାରୀ ଧର୍ମାନୁଷ୍ଠାନରେ ପ୍ରବେଶ କରିବା ପୂର୍ବରୁ ସେମାନଙ୍କର ଥର୍ମାଲ ସ୍କ୍ରିନିଂ କରିବାକୁ ତଥା ହାତ ଧୋଇବାକୁ ହ୍ୟାଣ୍ଡୱାସ୍ ରଖିବାକୁ ପରିଚାଳନା କମିଟିଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଛି ।

ଗତ କିଛିଦିନ ହେଲା ଭୁବନେଶ୍ୱରରେ କରୋନା ସ୍ଥିତି ଜଟିଳ ରହିଛି । ପ୍ରତିଦିନ ଶହ ଶହ କରୋନା ସଂକ୍ରମିତ ଚିହ୍ନଟ ହେଉଛନ୍ତି । ଯାହାକୁ ନେଇ ଏବେ ବିଏମ୍‍ସି ତତ୍ପରତା ଦେଖାଇଛି । ଭୁବନେଶ୍ୱରରେ ଥିବା ସମସ୍ତ ଧର୍ମାନୁଷ୍ଠାନ ବିଭିନ୍ନ ଧର୍ମଗୁରୁ ଓ କର୍ମକର୍ତ୍ତାଙ୍କ ସହ ଆଲୋଚନା ପରେ ଏଭଳି କିଛି କଠୋର ନିଷ୍ପତ୍ତି ନେଇଛି ।