Home Covid ଧର୍ମକୁ ଆଖିଠାର ଗୃହ ସଙ୍ଗରୋଧ

ଧର୍ମକୁ ଆଖିଠାର ଗୃହ ସଙ୍ଗରୋଧ

ଭୁବନେଶ୍ୱର : ଓଡ଼ିଶାରେ ପ୍ରାୟ ୬୫ ପ୍ରତିଶତ ଲୋକ ବଖୁରିକିଆ ଓ ଦୁଇ ବଖୁରିଆ ଘରେ ରହୁଥିବା ବେଳେ ଅଧାରୁ ଅଧିକ ଘରେ ଗାଧୁଆ ଘର ନାହିଁ । ଯେତିକି ପରିବାରଙ୍କ ପାଇଁ ପାଇଖାନା ବ୍ୟବସ୍ଥା ରହିଛି ସେଥିରୁ ଅଧିକାଂଶ କ୍ଷେତ୍ରରେ ଗୋଟିଏ ପାଇଖାନାକୁ ସାରା ପରିବାର ବ୍ୟବହାର କରନ୍ତି । ଏ ପରିପ୍ରେକ୍ଷୀରେ କରୋନା ଲହର ମାଡ଼ି ଚାଲୁଥିବା ବେଳେ ସଂଖ୍ୟାଧିକ ଘରେ ସଙ୍ଗରୋଧରେ ରହିବା ନିରାପଦଜନକ ନୁହେଁ ବୋଲି ବିଶେଷଜ୍ଞମାନେ ମତ ଦେଉଛନ୍ତି ।

ଏଠାରେ ଉଲ୍ଲେଖନୀୟ ଯେ ଅନ୍ୟ ରାଜ୍ୟରୁ ଫେରୁଥିବା ପ୍ରବାସୀ ଶ୍ରମିକମାନେ ଘରେ ସଙ୍ଗରୋଧରେ ରହିବାକୁ କୁହାଯାଉଛି । ଏହାଛଡ଼ା କରୋନାରେ ସଂକ୍ରମିତ ହୋଇ ଯେଉଁମାନେ ଘରେ ଚିକିତ୍ସିତ ହେଉଛନ୍ତି ସେମାନଙ୍କୁ ବି ଏକାନ୍ତବାସରେ ରହିବାକୁ ପରାମର୍ଶ ଦିଆଯାଉଛି । ଏ ପରିପ୍ରେକ୍ଷୀରେ ୬୫ ପ୍ରତିଶତରୁ ଅଧିକ ପରିବାରରେ ଏକାନ୍ତବାସ ବା ସଙ୍ଗରୋଧ କରୋନା ସଂକ୍ରମଣ ପରିପ୍ରେକ୍ଷୀରେ ଆଦୌ ନିରାପଦ ନୁହେଁ ।

ସରକାରୀ ରିପୋର୍ଟ ଅନୁଯାୟୀ ଓଡ଼ିଶାରେ ସର୍ବଶେଷ ଗଣନା ଅନୁଯାୟୀ ୯୮,୭୩,୦୨୯ ବାସଗୃହ ରହିଛି । ଏବେ ଏହି ସଂଖ୍ୟା ୧କୋଟି ୬ଲକ୍ଷ ହେବ ବୋଲି ଅନୁମାନ କରାଯାଉଛି । ମୋଟାମୋଟି ଭାବେ ମୋଟ୍‍ ବାସଗୃହର ପ୍ରାୟ ୩୦ ପ୍ରତିଶତ ବଖୁରିକିଆ ଘର ହୋଇଥିବା ବେଳେ ପାଖାପାଖି ୩୬ ପ୍ରତିଶତ ହେଉଛି ଦୁଇ ବଖୁରିଆ ଘର ।

ଏଭଳି ସ୍ଥିତିରେ ଅନ୍ୟୁନ ୩୦ ପ୍ରତିଶତ ବିବାହିତ ଦମ୍ପତିଙ୍କ ପାଇଁ ସ୍ୱତନ୍ତ୍ର ଶୋଇବା ଘରଟିଏ ବି ନାହିଁ । ଗ୍ରାମାଞ୍ଚଳରେ ପ୍ରାୟ ୮୫ ପ୍ରତିଶତ ଘରେ ଗାଧୁଆ ଘର ନାହିଁ । ଫଳରେ ଅଧିକାଂଶ ଲୋକ ନଈ, ପୋଖରୀ ଆଦିରେ ଗାଧୋଉଛନ୍ତି । ସ୍ୱଚ୍ଛ ଭାରତ ମିଶନ୍‍ ଚାଲିବା ପରେ ବାସଗୃହଗୁଡ଼ିକରେ ପାଇଖାନା ସଂଖ୍ୟା ଅବଶ୍ୟ ବୃଦ୍ଧି ପାଇଛି ।

ତେବେ ସଂଖ୍ୟାଧିକ ବାସଗୃହରେ ଗୋଟିଏକରି ପାଇଖାନା ରହିଛି ଏବଂ ଅନେକ ସ୍ଥାନରେ ବିଭିନ୍ନ କାରଣରୁ ନିର୍ମିତ ପାଇଖାନା ବ୍ୟବହାର ହେଉନାହିଁ । ଏବେ ବି ଗ୍ରାମାଞ୍ଚଳରେ ପାଖାପାଖି ୨୫ ପ୍ରତିଶତ ଲୋକ ଖୋଲା ଜାଗାରେ ମଳତ୍ୟାଗ କରୁଥିବା କୁହାଯାଉଛି । ସହରାଞ୍ଚଳରେ ଥିବା ଅନେକ ବସ୍ତିରେ ସମସ୍ତଙ୍କ ବ୍ୟବହାର ପାଇଁ ଯେତେସବୁ ପାଇଖାନା ନିର୍ମିତ ହୋଇଛି ତାହାକୁ ସାରା ବସ୍ତିର ଲୋକ ବ୍ୟବହାର କରୁଛନ୍ତି । ତେବେ ଖୁବ୍‍ କମ୍‍ ସଂଖ୍ୟକ ବସ୍ତିଘରେ ପାଇଖାନା ଓ ଗାଧୁଆ ଘର ରହିଛି ।

ସଙ୍ଗରୋଧରେ ରହୁଥିବା କରୋନା ସଂକ୍ରମିତ ବ୍ୟକ୍ତିଙ୍କ ପାଇଁ ବହୁ ସ୍ଥାନରେ ସ୍ୱତନ୍ତ୍ର ପାଇଖାନା କିମ୍ବା ପୃଥକ୍‍ ଘର ନଥିବାରୁ ୩/୪ ଜଣିଆ ପରିବାରର ବଖୁରିକିଆ କିମ୍ବା ଦୁଇ ବଖୁରିଆ ଘରେ କରୋନା ରୋଗୀ ସଙ୍ଗରୋଧରେ ରହିଲେ ତାହା ଧର୍ମକୁ ଆଖିଠାର ଭଳି ହେଉଛି । ଏହାଛଡ଼ା ବାହାରୁ ଆସୁଥିବା ଯେଉଁମାନଙ୍କୁ ଘରୋ କ୍ୱାରେଣ୍ଟାଇନ୍‍ରେ ରହିବା ପାଇଁ କୁହାଯାଉଛି ସେମାନଙ୍କ ମଧ୍ୟରୁ ଅଧିକାଂଶଙ୍କ ପାଇଁ ସ୍ୱତନ୍ତ୍ର ବାସନକୁସନ ନଥିବାରୁ ତାହା ବି ଗୁରୁତର ସମସ୍ୟା ସୃଷ୍ଟି କରୁଛି ।

ଗତବର୍ଷ କରୋନାର ପ୍ରଥମ ଲହର ଆସିବା ପୂର୍ବରୁ ରାଜ୍ୟର ସବୁ ପଞ୍ଚାୟତରେ କ୍ୱାରେଣ୍ଟାଇନ୍‍ ସେଣ୍ଟର ଓ କୋଭିଡ୍‍ କେୟାର ସେଣ୍ଟର ଆଦି ଖୋଲାଯାଇ ବାହାରୁ ଆସୁଥିବା ଲୋକଙ୍କୁ ସଙ୍ଗରୋଧରେ ରଖାଯାଉଥିଲା । ଏହାଫଳରେ କ୍ୱାରେଣ୍ଟାଇନ୍‍ କେନ୍ଦ୍ରଗୁଡ଼ିକରେ ଯେଉଁମାନେ କରୋନା ସଂକ୍ରମିତ ଚିହ୍ନିତ ହେଉଥିଲେ ସେମାନଙ୍କ ଚିକିତ୍ସା ପାଇଁ ତୁରନ୍ତ ବ୍ୟବସ୍ଥା କରାଯାଇପାରୁଥିଲା ।

ଏହାଛଡ଼ା ଆଗତୁରା ପଦକ୍ଷେପ ନେଇ ସବୁ ଜିଲ୍ଲାରେ ଅସ୍ଥାୟୀ କୋଭିଡ୍‍ ହସ୍ପିଟାଲମାନ ଖୋଲାଯିବା ଫଳରେ କରୋନା ନିୟନ୍ତ୍ରଣ କ୍ଷେତ୍ରରେ ଓଡ଼ିଶା ଭଲ ପ୍ରଦର୍ଶନ କରିଥିଲା । ଏବେ ଗତବର୍ଷ ତୁଳନାରେ କରୋନାର ଦ୍ୱିତୀୟ ଲହର ଭୟଙ୍କର ଭାବେ ମାଡ଼ି ଚାଲୁଥିବା ପରିପ୍ରେକ୍ଷୀରେ ଏହାର ନିୟନ୍ତ୍ରଣ ଲାଗି ଅଧିକ ସଂଖ୍ୟକ ଶଯ୍ୟା ସହ ଅନୁରୂପ ବ୍ୟବସ୍ଥା କରିବା ଲାଗି ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ମତବ୍ୟକ୍ତ କରୁଛନ୍ତି । (ତଥ୍ୟ)

LEAVE A REPLY

Please enter your comment!
Please enter your name here