Home General ଧରାପଡୁଛନ୍ତି ଦ୍ରୁତ ଗାଡିଚାଳକ

ଧରାପଡୁଛନ୍ତି ଦ୍ରୁତ ଗାଡିଚାଳକ

ଭୁବନେଶ୍ୱର : ଦ୍ରୁତ ଗାଡିଚାଳନା ଦୁର୍ଘଟଣାର ପ୍ରମୁଖ କାରଣ ହୋଇଥିବାବେଳେ ରାଜଧାନୀରେ ଏମାନଙ୍କୁ ନିୟନ୍ତ୍ରଣ କରିବା ଏବେ କାଠିକର ପାଠ ହେଲାଣି । ଗତମାସରେ ଦ୍ରୁତଗତିରେ ଗାଡି ଚଳାଇ ହଜାରେରୁ ଅଧିକ ବ୍ୟକ୍ତି କେବଳ ଭୁବନେଶ୍ୱର ଏକ ନମ୍ବର ଆଞ୍ଚଳିକ ପରିବହନ ଅଞ୍ଚଳରେ ଧରା ପଡିଛନ୍ତି ।

ମିଳିଥିବା ସୂଚନା ଅନୁଯାୟୀ ୨୦୧୮-୧୯ ବର୍ଷରେ ଆରଟିଓ-୧ ଇଲାକାରେ ୨୮୧୧ ଜଣ ଧରାପଡିଥିବାବେଳେ ୨୦୧୯-୨୦ ରେ ଏହି ସଂଖ୍ୟା ୩୮୧୫ ରହିଥିଲା । ହେଲେ ଚଳିତ ଆର୍ଥିକ ବର୍ଷର ନଭେମ୍ବର ଶେଷ ସୁଦ୍ଧା ଏହି ସଂଖ୍ୟା ୨୨୩୨ ହୋଇଥିବାବେଳେ ଡିସେମ୍ବର ମାସରେ ରେକର୍ଡ ସଂଖ୍ୟକ ୧୦୧୫ ଜଣ ଧରାପଡିଛନ୍ତି । ଦ୍ରୁତ ଓ ବେପରୁଆ ଗାଡିଚାଳନା ଯୋଗୁଁ ଏହି ଇଲାକାରେ ୨୦୨୦ରେ ୋମଟ୍‍ ୨୬୯ଟି ଦୁର୍ଘଟଣା ଘଟିଛି ।

ତେବେ ବେପରୁଆ ଗାଡିଚାଳନା ସହିତ ମଦପିଇ ଗାଡିଚଳାଇବା, ହେଲମେଟ୍‍ ନପିନ୍ଧିବା, ଗାଡିଚଳାଇବାବେଳେ ମୋବାଇଲ ବ୍ୟବହାର କରବା, ଚାରିକିଆ ଯାନରେ ସିଟ୍‍ବେଲ୍ଟ ଆଦି ନବାନ୍ଧିବା ଆଦି ଅଭିଯୋଗରେ କେବଳ ଡିସେମ୍ବର ମାସରେ ପାଖପାଖି ୮ଶହ ଲାଇସେନ୍ସ ରଦ୍ଦ ହୋଇଛି । ତିନିମାସ ପାଇଁ ଲାଇସେନ୍ସ ରଦ୍ଦ ହୋଇଥିବାବେଳେ ଯଦି ଏହି ସମୟ ଭିତରେ ବିନା ଲାଇସେନ୍ସରେ ଗାଡି ଚଳାଇ ସମ୍ପୃକ୍ତ ବ୍ୟକ୍ତ ଧରାପଡନ୍ତି ତେବେ ୧୦ହାଜର ଟଙ୍କାର ଜୋରିମାନା ସହିତ ବର୍ଷଟିଏ ଜେଲ୍‍ ଦଣ୍ଡ ଭୋଗିବାକୁ ପଡିବ ।

ତେବେ ଗାଡି ଚାଳକଙ୍କ ଉପରେ ଉଭୟ ପରିବହନ ବିଭାଗ ଓ ପୁଲିସ୍‍ ତୀକ୍ଷ୍ମ ନଜର ରଖିବା ସହିତ ଚଢଉକୁ ଜୋରଦାର କରିବା ଫଳରେ ରାଜଧାନୀରେ ଦୁର୍ଘଟଣା କିଛି ମାତ୍ରାରେ ହ୍ରାସ ପାଇଛି । ୨୦୨୦ ମସିହାରେ ଆରଟିଓ-୧ ଅଞ୍ଚଳରେ ୩୩୧ଟି ଦୁର୍ଘଟଣା ଘଟିଥିବାବେଳେ ୨୦୧୯ରେ ଏହା ୩୮୨ ଥିଲା । ତେବେ ଗତବର୍ଷ ଘଟିଥିବା ଦୁର୍ଘଟଣା ମଧ୍ୟରେ ୧୧୬ଟି ଗୁରୁତର ଦୁର୍ଘଟଣା ଥିବାବେଳେ ଏଥିରେ ୨୭୨ ଜଣ ଆହତ ଓ ୧୨୧ ଜଣ ମୃତ୍ୟୁବରଣ କରିଥିଲେ । ୨୦୧୯ ରେ ମୃତ୍ୟୁସଂଖ୍ୟା ୧୮୦ ରହିଥିଲା । ତେବେ ସଂଖ୍ୟାଧିକ ଦୁର୍ଘଟଣା ଜାତୀୟ ରାଜପଥ ଉପରେ ଘଟୁଥିବା ରେକର୍ଡ ହୋଇଛି ।

ତେବେ କରୋନା ମହାମାରୀ ସତ୍ୱେ ରାଜସ୍ୱ ଆଦାୟ ସେତେଟା ପ୍ରଭାବିତ ହୋଇନଥିବା ଜଣାଯାଇଛି । ଗତବର୍ଷ ଠାରୁ ମାତ୍ର ୩୧ କୋଟି ଟଙ୍କା କମ୍‍ ରାଜସ୍ୱ ମିଳିଛି । ୨୦୧୯ ଡିସେମ୍ବର ଶେଷ ସୁଦ୍ଧା ଆରଟିଓ-୧ କର୍ତ୍ତୃପକ୍ଷ ୧୮୧,୮୨,୨୭,୯୦୦ ଟଙ୍କାର ରାଜସ୍ୱ ଆଦାୟ କରିଥିବାବେଳେ ୨୦୨୦ ଡିସ୍ୱେର ଶେଷସୁଦ୍ଧା ଏହି ପରିମାଣ ୧୫୦କୋଟି ୨୩ ଲକ୍ଷରୁ ଅଧିକ ରହିଛି । ତେବେ ଆର୍ଥିକ ବର୍ଷ ସରିବାକୁ ଆଉ ଅଢେଇମାସ ବାକି ଥିବାବେଳେ ରାଜସ୍ୱ ଆଦାୟ ଢେର ବଢିବ ବୋଲି କର୍ତ୍ତୃପକ୍ଷ ଆଶା ରଖିଛନ୍ତି ।