Home News in Odia ଧରାପଡିଲା ଚୁଲି ଭଙ୍ଗା ଦୁବୃର୍ତ୍ତ

ଧରାପଡିଲା ଚୁଲି ଭଙ୍ଗା ଦୁବୃର୍ତ୍ତ

ପୁରୀ : ଶ୍ରୀମନ୍ଦିର ରୋଷଘରେ ୪୦ରୁ ଅଧିକ ଚୁଲିକୁ ଭାଙ୍ଗି ଦେଇଥିବା ବ୍ୟକ୍ତିକୁ ପୁରୀ ପୁଲିସ୍‍ ଗିରଫ କରିଛି । ଆଜି ଏ ନେଇ ପୁରୀ ଏସ୍‍ପି କନୱର ବିଶାଳ ସିଂହ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।

ଏସ୍‍ପିଙ୍କ ସୂଚନା ଅନୁଯାୟୀ ଚୁଲି ଭାଙ୍ଗିଥିବା ବ୍ୟକ୍ତିର ନାମ ଜେ.ମହାପାତ୍ର ଓ ତାଙ୍କ ଘର ଖୋରଧା ଜିଲ୍ଲାର ବେଗୁନିଆ ଅଞ୍ଚଳରେ । ଶ୍ରୀମନ୍ଦିରକୁ ଆସିଥିବାବେଳେ ତାକୁ ଭଲ ନଲାଗିବାରୁ ସେ ରୋଷଘରେ ପଶି ଚୁଲି ଭାଙ୍ଗି ଦେଇଥିବା ନିଜେ ସ୍ୱୀକାର କରିଥିବା ଏସ୍‍ପି କହିଛନ୍ତି ।

ଉଲ୍ଲେଖନୀୟ ଯେ ଗୋଟିଏ ରାତିରେ ଶ୍ରୀମନ୍ଦିର ରୋଷଘରେ ୪୦ରୁ ଅଧିକ ଚୁଲି ଭଙ୍ଗାରୁଜା ପରେ ଏହାକୁ ନେଇ ସମଗ୍ର ରାଜ୍ୟରେ ହଇଚଇ ସୃଷ୍ଟି ହୋଇଥିଲା । ଭକ୍ତ ମହଲରେ ଘୋର ଅସନ୍ତୋଷ ଦେଖାଦେବା ପରୋ ପୁଲିସ ମହାନିର୍ଦ୍ଦେଶକ, ମୁଖ୍ୟ ଶାସନ ସଚିବ ଶ୍ରୀମନ୍ଦିର ଗସ୍ତରେ ଯାଇ ସ୍ଥିତି ଅନୁଧ୍ୟାନ କରିଥିବାବେଳେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସିଂହଦ୍ୱାର ଥାନାରେ ଏତାଲା ଦିଆଯାଇଥିଲା ।

ତେବେ ସିସିଟିଭି ଯାଞ୍ଚ ସମୟରେ ବିଳମ୍ବିତ ରାତ୍ରୀରେ ଜଣେ ବ୍ୟକ୍ତି ମନ୍ଦିର ଭିତରେ ଆତଯାତ ହେବା ଓ ତାଙ୍କୁ ତିନି ଚାରିଜଣ ଜେଟିପି ଆଣି ବାହାରରେ ଛାଡୁଥିବା ଦେଖିବାକୁ ମିଳିଥିଲା । ଏହାପରେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଠାବ ପାଇଁ ପୁଲିସ୍‍ ଲାଗି ପଡିଥିଲା । ଶେଷରେ ଆଜି ତାହାକୁ ଧରିବାରେ ସକ୍ଷମ ହୋଇଛି ।

ମାମଲାର ଅଧିକ ତଦନ୍ତ ପାଇଁ ଅଭିଯୁକ୍ତର ଠିକଣା ଗୋପନ ରଖିଥିବାବେଳେ ତାଙ୍କ ପରିବାର ଲୋକେ କିନ୍ତୁ ଗଣମାଧ୍ୟକୁ ସୂଚନା ଦେଇ କହିଛନ୍ତି ଯେ ତାଙ୍କର ପୂରା ନାମ ଜଗନ ମହାପାତ୍ର । ତାଙ୍କର ମସ୍ତିସ୍କ ସାମାନ୍ୟ ବିକୃତ ରହିଛି ଏବଂ ଖରାଦିନେ ଅଧିକ ପରିଲକ୍ଷିତ ହୋଇଥାଏ । ସେ ସର୍ବଦା ମନ୍ଦିରକୁ ଯିବା ଆସିବା କରିବା ସହିତ ପୂଜା ବିଧିରେ ଅନିମୟିତତା ଦେଖିଲେ କ୍ରୋଧ ପ୍ରକାଶ କରିଥାନ୍ତି ।

ତେବେ ଅଟକ ରଖିଥିବା ବ୍ୟକ୍ତିଙ୍କୁ ଆଜି କୋର୍ଟ ଚାଲାଣ କରଯିବା ସହିତ ତାଙ୍କର ମାନସିକ ସ୍ଥିତି ସଂକ୍ରାନ୍ତରେ ବିଶେଷଜ୍ଞଙ୍କ ସହାୟତା ନିଆଯିବ ଓ ଆବଶ୍ୟକ ପଡିଲେ ତାଙ୍କୁ ରିମାଣ୍ଡରେ ଅଣାଯିବ ବୋଲି ପୁଲିସ୍‍ ପକ୍ଷରୁ କୁହାଯାଇଛି ।