Home General ଦ୍ରୌପଦୀଙ୍କ ମାର୍ଗଦର୍ଶକ ଖୁସି କିନ୍ତୁ ନିରବ

ଦ୍ରୌପଦୀଙ୍କ ମାର୍ଗଦର୍ଶକ ଖୁସି କିନ୍ତୁ ନିରବ

ଭୁବନେଶ୍ୱର : ଓଡ଼ିଶାର ରାଇରଙ୍ଗପୁର ମାଟିର ଝିଅ ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ନିର୍ବାଚନରେ ଦିଲ୍ଲୀ ରାଇସିନା ହିଲ୍‍ର ରାଷ୍ଟ୍ରପତି ଭବନକୁ ଯିବା ନିଶ୍ଚିତ ହୋଇଥିବା ବେଳେ ଏକ ବେସରକାରୀ ସ୍କୁଲ ଶିକ୍ଷୟିତ୍ରୀରୁ ତାଙ୍କୁ ରାଜନୈତିକ କ୍ଷେତ୍ରକୁ ଆଣି ସଫଳତାର ସ୍ୱାଦ ଚଖାଇଥିଲେ ରାଜ କିଶୋର ଦାସ । କିନ୍ତୁ ସେ ଖୁସି ଥିଲେ ବି ନିରବତା ଅବଲମ୍ବନ କରିଛନ୍ତି ।

ଏବେ ମୋରଡାର ବିଜେଡି ବିଧାୟକ ଥିବା ରାଜକିଶୋର ଦୀର୍ଘବର୍ଷ ଧରି ବିଜେପିର ରାଜ୍ୟ ଶାଖା ସାଧାରଣ ସଂପାଦକ, ଉପସଭାପତି ସମେତ ବହୁ ଗୁରୁତ୍ୱପୂର୍ଣ୍ଣ ସାଂଗଠନିକ ପଦପଦବୀ ମଣ୍ଡନ କରିଥିଲେ । ଛାତ୍ର ଜୀବନରୁ ରାଜକିଶୋର ରାଇରଙ୍ଗପୁର କଲେଜରେ ପଢ଼ିବା ବେଳେ ଏବିଭିପି ସହ ଜଡିତ ଥିଲେ । ପରେ ଗଣମାଧ୍ୟମ ସହ ସମାଜସେବା କାର୍ଯ୍ୟରେ ମଧ୍ୟ ସେ ବେଶ୍‍ ସକ୍ରିୟ ଥିଲେ । ମୟୂରଭଞ୍ଜ ଓ କେନ୍ଦୁଝର ଜିଲ୍ଲାରେ ବିଜେପି ସଂଗଠନକୁ ଛିଡା କରିବା ପାଇଁ ସେ ଜୀବନପଣ କରି ଲଢ଼ୁଥିଲେ ।

ଏକଦା କଂଗ୍ରେସର ହସ୍ତମୁଦି ମାହୋଲ ଥିବା ରାଇରଙ୍ଗପୁର ଏନଏସିକୁ ବିଜେପି ଦଖଲ କରିବାରେ ତାଙ୍କର ପ୍ରମୁଖ ଅବଦାନ ଥିଲା । ରାଇରଙ୍ଗପୁର ଏନଏସି ରାଜନୀତିରେ ରାଜକିଶୋର ସକ୍ରିୟ ଥିବାବେଳେ ଦ୍ରୌପଦୀ ମୁର୍ମୁ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରରେ ଶିକ୍ଷୟିତ୍ରୀ ଭାବେ କାମ କରୁଥିଲେ । ତାଙ୍କୁ ବହୁ ବୁଝାସୁଝା କରି ରାଜକିଶୋର ସେଠା ଏନଏସିର କାଉନସିଲର କରାଇବା ସହ ୯୦ ଦଶକରେ ଉପାଧ୍ୟକ୍ଷା ମଧ୍ୟ କରାଇଥିଲେ ।

ରାଇରଙ୍ଗପୁର ବିଧାନସଭା ଆସନଟି ଅନସୂଚୀତ ଜନଜାତି ବର୍ଗଙ୍କ ପାଇଁ ସଂରକ୍ଷିତ ଥିବା ଏବଂ ଏହି ବର୍ଗର ଦ୍ରୌପଦୀ ରାଇରଙ୍ଗପୁର ଏନଏସିରେ ବେଶ୍‍ ଭଲ କାମ କରିଥିବା ଦୃଷ୍ଟିରୁ ରାଜକିଶୋରଙ୍କ ପ୍ରେରଣା ଓ ଉଦ୍ୟମ କ୍ରମେ ଦ୍ରୌପଦୀଙ୍କୁ ବିଜେପି ୨୦୦୦ ମସିହାରେ ସେଠାରୁ ବିଧାନସଭାକୁ ପ୍ରାର୍ଥୀ କରିଥିଲା । ଏହି ନିର୍ବାଚନ ଜିଣି ଦ୍ରୌପଦୀ ବିଧାନସଭାକୁ ଆସିଥିଲେ ଏବଂ ରାଜକିଶୋରଙ୍କ ଆଗ୍ରହ ଓ ସେତେବେଳର ବିଜେପି ବିଧାୟକ ଦଳ ନେତା ବିଶ୍ୱଭୂଷଣ ହରିଚନ୍ଦନଙ୍କ ଉଦ୍ୟମ କ୍ରମେ ବିଜେଡି-ବିଜେପି ମିଳିତ ମନ୍ତ୍ରିମଣ୍ଡଳରେ ଦ୍ରୌପଦୀଙ୍କୁ ସ୍ଥାନ ମିଳିଥିଲା । ଏହାପରେ ଦ୍ରୌପଦୀ ବିଭିନ୍ନ ନିର୍ବାଚନରେ ଲଢ଼ିଥିଲେ । ପରବର୍ତ୍ତୀ ସମୟରେ ତାଙ୍କୁ ଝାଡଖଣ୍ଡର ରାଜ୍ୟପାଳ କରାଯାଇଥିଲା ।

ଦ୍ରୌପଦୀଙ୍କୁ ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ କରିବା ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ବ୍ୟାପକ ବିଚାରବିମର୍ଶ କରିଥିଲେ । ନବୀନଙ୍କ ସବୁଜ ସଂକେତ ଦ୍ରୌପଦୀଙ୍କ ସପକ୍ଷରେ ଅଣଏନଡିଏ ଭୋଟ ସଂଗ୍ରହରେ ବେଶ୍‍ ସହାୟକ ହୋଇଥିଲା । ରାଷ୍ଟ୍ରପତି ନିର୍ବାଚନ ପାଇଁ ଦ୍ରୌପଦୀଙ୍କ ସପକ୍ଷରେ ବିବୃତି ପ୍ରତିଯୋଗିତା ଚାଲିଥିବା ବେଳେ ରାଜକିଶୋର ସଂପୂର୍ଣ୍ଣ ନିରବ ଅଛନ୍ତି । ତେବେ ଦ୍ରୌପଦୀଙ୍କୁ ପ୍ରାର୍ଥୀ କରାଯିବା ପରେ ରାଇରଙ୍ଗପୁରରେ ଉଭୟଙ୍କର ଦେଖାସାକ୍ଷାତ ହୋଇଥିଲା ଏବଂ ସେତେବେଳେ ଦ୍ରୌପଦୀ କୃତଜ୍ଞତାର ସହ କହିଥିଲେ ଯେ ରାଜନୀତି କ୍ଷେତ୍ରରେ ରାଜୁ ଭାଇ ହିଁ ତାଙ୍କୁ ହାତଧରି ବାଟ ଚଲା ଶିଖାଇଥିଲେ ଏବଂ ତାଙ୍କର ପାରିବାରିକ ବିପର୍ଯ୍ୟୟ ବେଳେ ମଧ୍ୟ ହିମ୍ମତ ଦେଇଥିଲେ ।

ତାଙ୍କ ହାତଗଢ଼ା ରାଜନେତ୍ରୀ ରାଇରଙ୍ଗପୁର ଏନଏସି କାଉନସିଲରରୁ ଯାଇ ଏବେ ରାଇସିନା ହିଲରେ ଦେଶର ସର୍ବୋଚ୍ଚ ସାମ୍ବିଧାନିକ ପଦବୀରେ ଆସୀନ ହେଉଥିବାରୁ ରାଜକିଶୋର ବେଶ୍‍ ଆନନ୍ଦିତ । ସେ ଯେଉଁ ଅଞ୍ଚଳରେ ଜନ୍ମ ହୋଇ ଏତେ ବାଟ ଆଗକୁ ବଢ଼ୁଛନ୍ତି, ଯେଉଁ ରାଜ୍ୟ ଓ ଜିଲ୍ଲା ତାଙ୍କୁ ଏତେ ଭଲ ପାଇବା ଦେଇଛି ଏବଂ ନବୀନ ପଟ୍ଟନାୟକଙ୍କ ସମେତ ଯେଉଁ ନେତା ଓ କର୍ମୀମାନେ ତାଙ୍କ ବିଜୟ ପଥକୁ କୁସୁମିତ କରିଛନ୍ତି ସେମାନଙ୍କ ପାଇଁ କୃତଜ୍ଞ ରହିବା ସହିତ ଆଗାମୀ ଦିନରେ ଦ୍ରୌପଦୀ ଦେଶର ଶ୍ରେଷ୍ଠ ରାଷ୍ଟ୍ରପତି ଭାବେ ତାଙ୍କର ଦକ୍ଷତା ପ୍ରଦର୍ଶନ କରିପାରିଲେ ସେଥିରେ ସେ ଅଧିକ ଖୁସି ହେବେ ଏବଂ ଏ ବିଶ୍ୱାସ ତାଙ୍କର ରହିଥିବା ଘେନି ବିଧାୟକ ଶ୍ରୀ ଦାସ ଗଭୀର ଆଶାବାଦୀ । (ତଥ୍ୟ)