Home Industry ଓଡିଶାରେ ୧୨୦ ଏମ୍‍ଏସ୍‍ଏମ୍‍ଇ ବନ୍ଦ

ଓଡିଶାରେ ୧୨୦ ଏମ୍‍ଏସ୍‍ଏମ୍‍ଇ ବନ୍ଦ

ଭୁବନେଶ୍ୱର : ବିଗତ ତିନି ବର୍ଷ ମଧ୍ୟରେ ଓଡିଶାରେ ୧୨୦ଟି ଏମ୍‍ଏସ୍‍ଏମଇ ବନ୍ଦ ହୋଇଯାଇଛି । କେନ୍ଦ୍ର ସରକାର ଆଜି ଲୋକସଭାରେ ଏହି ସୂଚନା ଦେଇଛନ୍ତି ।

ବିଜେଡି ସାଂସଦ ମହେଶ ସାହୁଙ୍କ ଏକ ଅଣତାରକା ପ୍ରଶ୍ନର ଉତ୍ତରରେ କେନ୍ଦ୍ର ଏମ୍‍ଏସଏମ୍‍ଇ ରାଷ୍ଟ୍ରମନ୍ତ୍ରୀ ଭାନୁ ପ୍ରତାପ ସିଂହ ବର୍ମା କହିଛନ୍ତି ଯେ ଓଡିଶାରେ ୨୦୧୯ ଏପ୍ରିଲ୍‍ ପହିଲାରୁ ୨୦୨୨ ଜୁଲାଇ ୧୫ ତାରିଖ ମଧ୍ୟରେ ୧୨୦ଟି ଛୋଟ ଉଦ୍ୟୋଗ ବନ୍ଦହୋଇ ଯାଇଛି । ଉଦ୍ୟୋଗ ଆଧାର ସ୍ମାରକପତ୍ର ଓ ଉଦ୍ୟମ ପଞ୍ଜିକରଣ ତଥ୍ୟରୁ କେନ୍ଦ୍ର ସରକାରଙ୍କର ଏହି ସୂଚନା ହସ୍ତଗତ ହୋଇଛି ।

କେନ୍ଦ୍ରମନ୍ତ୍ରୀଙ୍କ ସୂଚନା ଅନୁଯାୟୀ ଖୋରଧା ଜିଲ୍ଲାରେ ସର୍ବାଧିକ ୨୫ଟି ୟୁନିଟ୍‍ ବନ୍ଦ ହୋଇଥିବାବେଳେ ପୁରୀରେ ୧୨ଟି ବନ୍ଦ ହୋଇଛି । ଅନୁରୂପ ଭାବେ କଟକରେ ୧୧ଟି କ୍ଷୁଦ୍ରଶିଳ୍ପରେ ତାଲା ପଡିଥିବାବେଳେ ଗଞ୍ଜାମରେ ୧୦ଟି ବନ୍ଦ ହୋଇଛି । କରୋନା ଯେତେବେଳେ ଦେଶର ଅର୍ଥନୀତିକୁ ବିଗାଡିଛି ସେତେବେଳେ ରାଜ୍ୟର ଏହି ଶିଳ୍ପଗୁଡିକ ବନ୍ଦ ହୋଇଥିବା ଜଣାଯାଇଛି ।

କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ରାଜ୍ୟରେ ଏହି ଛୋଟ ଛୋଟ ଶିଳ୍ପଗୁଡିକ ବନ୍ଦହେବା ଫଳରେ ୨୯୧୫ ଜଣ ଲୋକ ସେମାନଙ୍କର ଚାକିରି ହରାଇଛନ୍ତି । କେବଳ ଖୋରଧା ଜିଲ୍ଲାରେ ୨୦୩୦ ଜଣ ଚାକିରି ହରାଇଥିବାବେଳେ କେନ୍ଦୁଝରରେ ମାତ୍ର ୫ଟି ୟୁନିଟ୍‍ ବନ୍ଦ ଯୋଗୁଁ ୪୦୮ଜଣ ରୋଜଗାର ହରାଇଛନ୍ତି । ଏହା ବ୍ୟତିତ କଟକରେ ୬୫ଜଣ ଏବଂ ଗଞ୍ଜାମରେ ୪୯ଜଣ ଏହି ତିନିବର୍ଷ ମଧ୍ୟରେ ଏମଏସ୍‍ଏମ୍‍ଇ ବନ୍ଦ ଯୋଗୁଁ କାମଧନ୍ଦା ହରାଇଛନ୍ତି ।

କେନ୍ଦ୍ରମନ୍ତ୍ରୀ ତାଙ୍କ ଉତ୍ତରରେ କହିଛନ୍ତି ଯେ ଚଳିତବର୍ଷ ଜୁଲାଇ ୧୫ତାରିଖ ସୁଦ୍ଧା ଓଡିଶାରେ ୧,୯୧,୬୦୪ଟି ଏମ୍‍ଏସ୍‍ଏମ୍‍ଇ ରହିଛି । ଏଥି ମଧ୍ୟରେ ୧,୮୩,୯୫୪ ଟି ମାଇକ୍ରୋ ୟୁନିଟ୍‍ ଥିବାବେଳେ ୭୧୦୫ଟି କ୍ଷୁଦ୍ର ଏବଂ ୫୪୫ଟି ମଧ୍ୟମ ଉଦ୍ୟୋଗ ରହିଛି । ଖୋରଧା ଜିଲ୍ଲାରେ ସର୍ବାଧିକ ୨୭,୮୫୦ ଏମ୍‍ଏସ୍‍ଏମ୍‍ଇ ଥିବାବେଳେ କଟକରେ ୧୯,୫୦୯, ଗଞ୍ଜାମରେ ୧୬,୬୦୦ ୟୁନିଟ୍‍ ରହିଛି । ଦେବଗଡ ଜିଲ୍ଲାରେ ସବୁଠାରୁ କମ୍‍ ୯୧୮ଟି ଏମ୍‍ଏସଏମଇ ୟୁନିଟ୍‍ ରହିଥିବା ମନ୍ତ୍ରୀଙ୍କ ଉତ୍ତରରୁ ଜଣାଯାଇଛି । ଖଣିଜ ସମ୍ପଦଭରା ଜିଲ୍ଲାରେ ସୁନ୍ଦରଗଡରେ ୧୦,୪୯୫ଟି ୟୁନିଟ୍‍ ଥିବାବେଳେ କେନ୍ଦୁଝରରେ ଏହି ସଂଖ୍ୟା ୮୫୯୬ଟି ଅଛି ।

କେନ୍ଦ୍ରମନ୍ତ୍ରୀ ଲୋକସଭାରେ ସୂଚନା ଦେଛନ୍ତି ଯେ ଏମ୍‍ଏସ୍‍ଏମ୍‍ଇ ମନ୍ତ୍ରାଳୟ ଅଧିନରେ ଥିବା ଜାତୀୟ କ୍ଷୁଦ୍ର ଶିଳ୍ପ ନିଗମ (ଏନ୍‍ଏସ୍‍ଆଇସି) ଦ୍ୱାରା ୨୦୨୦ ଅଗଷ୍ଟ ମାସରେ ଦେଶର ୩୨ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୫୭୭୪ ଏମ୍‍ଏସ୍‍ଏମ୍‍ଇକୁ ନେଇ ଏକ ନମୂନା ସର୍ଭେ ହୋଇଥିଲା । ଏଥିରୁ ଜଣାପଡିଥିଲା ଯେ ୯୧ ପ୍ରତିଶତ ଏମ୍‍ଏସ୍‍ଏମ୍‍ଇ କାର୍ଯ୍ୟ କରୁଥିବାବେଳେ ସେମାନେ ୫ଟି ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ୫୫ ପ୍ରତିଶତ ୟୁନିଟ୍‍ ସମ୍ବଳ ସମସାର ସମୁଖୀନ ହେଉଥିବାବେଳେ ୧୭ ପ୍ରତିଶତ ନୂଆ ବରାଦ, ୯ ପ୍ରତିଶତ ଶ୍ରମିକ, ୧୨ ପ୍ରତିଶତ ଲଜିଷ୍ଟିକ ଏବଂ ୮ ପ୍ରତିଶତ କଞ୍ଚାମାଲର ସମ୍ମୁଖୀନ ହେଉଛନ୍ତି ।(ତଥ୍ୟ)