Home General ଦୋକାନ ଘର ମାଲିଙ୍କ ଦେଖା ନାହିଁ

ଦୋକାନ ଘର ମାଲିଙ୍କ ଦେଖା ନାହିଁ

ଭୁବନେଶ୍ୱର : ରାଜଧାନୀର ବିଭିନ୍ନ ସ୍ଥାନରୁ ଜବରଦଖଲ ହଟାଇବାରେ ଲାଗିଥିବା କର୍ତ୍ତୃପକ୍ଷ ଏବେ ଅସଲ ମାଲିକଙ୍କୁ ପାଉ ନାହାନ୍ତି । ବିଏମ୍‍ସିର ଭେଣ୍ଡିଂ ଜୋନ୍‍ ଠାରୁ ଆରମ୍ଭ କରି ସାଧାରଣ ପ୍ରଶାସନର ଦୋକାନ ଘର ପର୍ଯ୍ୟନ୍ତ ଅଧିକାଂଶ ସ୍ଥାନରେ ଅସଲି ମାଲିକଙ୍କ ଦେଖାଦର୍ଶନ ନାହିଁ । ଫଳରେ ଏବେ ଜବରଦଖଲ ହଟାଇବା ପରିବର୍ତ୍ତେ ପ୍ରଥମେ ପ୍ରତିଷ୍ଠାନର ଅସଲ ମାଲିକଙ୍କୁ ଖୋଜିବାପାଇଁ ଯୋଜନା ପ୍ରସ୍ତୁତ ହେଉଥିବା ସୂଚନା ମିଳିଛି ।

ରାଜଧାନୀ ବିଭିନ୍ନ ସ୍ଥାନରେ ଲୋକଙ୍କୁ ରୋଜଗାର ଯୋଗାଇବା ସହିତ ବଜାର ବ୍ୟବସ୍ଥାରେ ସୁଧାର ପାଇଁ ସାଧାରଣ ପ୍ରଶାସନ ଦୋକାନଗୃହ ନିର୍ମାଣ କରି ବିଭିନ୍ନ ଲୋକଙ୍କୁ ଯୋଗାଇଛି । ଏହାଛଡା ଲୋକେ ମଧ୍ୟ ବିଭିନ୍ନ କୋଟାରେ ଓପଲଫେଡ୍‍, ଓମଫେଡ୍‍ ବୁଥ ଆଣି ସାଧାରଣ ପ୍ରଶାସନ ଜମିରେ ଏହାକୁ ପ୍ରତିଷ୍ଠା କରିଛନ୍ତି । ବିଏମ୍‍ସି ବି ବିଭିନ୍ନ ଅଞ୍ଚଳରେ ଭେଣ୍ଡିଂ ଜୋନ୍‍ ଓ ପିଣ୍ଡି ଆଦି ପ୍ରତିଷ୍ଠାକରି ଆବଣ୍ଟନ କରିଛି ।

ତେବେ ଇତି ମଧ୍ୟରେ ଏହିସବୁ ବ୍ୟବସାୟ ପ୍ରତିଷ୍ଠାନ ନିଜ ଆଖପାଖରେ ଥିବା ସ୍ଥାନକୁ ଜବରଦଖଲ କରିବାରେ ଲାଗିଛନ୍ତି । ଏପରିକି ଓମଫେଡ୍‍ ଓ ଓପଲଫେଡ୍‍ ଆଦି ପାଇଁ ଯେତିକି ସ୍ଥାନ ପାଇଛନ୍ତି ତାହାର ୪/୫ଗୁଣ ଅଞ୍ଚଳକୁ ଏମାନେ ମାଡି ବସୁଛନ୍ତି । ଧିରେ ଧିରେ ଏମାନେ ସରକାରୀ ସ୍ଥାନ ଅକ୍ତିଆର କରୁଥିବାରୁ ତାହା ସହଜରେ ନଜରକୁ ଆସୁନାହିଁ ।

ସହରରେ ଟ୍ରାଫିକ ନିୟନ୍ତ୍ରଣ ତଥା ଜବରଦଖଲ ଉଚ୍ଛେଦ ପାଇଁ ଗତ କିଛିଦିନ ହେଲା ବିଏମ୍‍ସି ଓ ସାଧାରଣ ପ୍ରଶାସନ ମିଳିତ ଚଢାଉ ଜାରି ରଖିଛନ୍ତି । ବିଶେଷକରି ଯେଉଁ ବ୍ୟବସାୟ ପ୍ରତିଷ୍ଠାନଗୁଡିକ ଏଭଳି ଜବରଦଖଲ କରିଛନ୍ତି ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ହେଉଛି । ହେଲେ କାର୍ଯ୍ୟାନୁଷ୍ଠାନ ସମୟରେ ସରକାରୀ ସଂସ୍ଥାରୁ ଘର ପାଇଥିବା ମୂଳ ମାଲିକଙ୍କର ଦେଖାଦର୍ଶନ ନାହିଁ ।

ସାଧାରଣ ପ୍ରଶାସନ ବିଭାଗ, ବିଡିଏ, ବିଏମ୍‍ସି ଠାରୁ ଦୋକାନ ଘର ଓ ଭେଣ୍ଡିଂ ଜୋନ୍‍ ପାଇଥିବା ମୂଳ ମାଲିକ ତାହାକୁ ଭଡାରେ ଲଗାଇ ଦେଇଛନ୍ତି । ବେରୋଜଗାର, ଭିନ୍ନକ୍ଷମ ଆଦି କୋଟାରେ ମାସିକ ଅତି ସ୍ୱଳ୍ପ ଭଡାରେ ଏହିସବୁ ଘର ପାଇଥିବା ଲୋକେ ତାହାକୁ ୧୫/୨୦ ଗୁଣ ଅଧିକ ଦରରେ ଭଡାରେ ଦେଇଛନ୍ତି । ମୋଟା ଅଙ୍କର ଘରଭଡା ଆଦାୟ କରୁଥିବା ମାଲିକମାନେ ସରକାରଙ୍କୁ ନଗଣ୍ୟ ଅର୍ଥ ପ୍ରଦାନ କରୁଥିବା କର୍ତ୍ତୃପକ୍ଷଙ୍କୁ ନଜରକୁ ଆସିଛି ।

ତେଣୁ ସହରରେ ଏଭଳି କେତେ ଘର ମୂଳ ମାଲିକ ଦୋକାନଘରକୁ ଭଡାରେ ଲଗାଇ ମୁନାଫା ଉଠାଉଛନ୍ତି ତାହା ଖୋଜି ବାହାର କରିବାକୁ ଯୋଜନା ପ୍ରସ୍ତୁତ ହେଉଥିବା ସୂଚନା ମିଳିଛି । ଏପରିକି ଯେଉଁସବୁ ସ୍ଥାନରେ ମୂଳ ମାଲିକ ନାହାନ୍ତି ସେଠାରେ ବ୍ୟବସାୟ ପ୍ରତିଷ୍ଠାନର ରାଜିନାମାକୁ ବାତିଲ କରାଯିବା ସହିତ ବର୍ତ୍ତମାନ ବ୍ୟବସାୟ କରୁଥିବା ଲୋକଙ୍କୁ ଯାଞ୍ଚ କରି ଆବଶ୍ୟକ ସ୍ଥଳେ ସେମାନଙ୍କୁ ଦୋକାନଘର ଦେବାପାଇଁ ବିଚାର ଆଲୋଚନା ଚାଲିଥିବା ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଛି ।

ସରକାରଙ୍କର ତିନି ସଂସ୍ଥା ଯଦି ଏହି ଯାଞ୍ଚକୁ କଡାକଡି କରି ପଦକ୍ଷେପ ଗ୍ରହଣ କରିବେ ତେବେ ସହରର ଅଧାରୁ ଅଧିକ ଦୋକାନଘରର ଚୁକ୍ତି ବାତିଲ ହୋଇଯିବ ବୋଲି କୁହାଯାଉଛି । ଏହାର ସୁରାକ ପାଇବାପରେ ଘର ପାଇଥିବା କେତେକ ମୂଳ ମାଲିକ ଏବେ କିଛିଦିନ ପାଇଁ ସେମାନଙ୍କୁ ମିଳିଥିବା ଦୋକାନ ଘରେ ବସିବାକୁ ମସୁଧା ଚଳାଇଛନ୍ତି । (ତଥ୍ୟ)