Home Judiciary ଦୁର୍ନୀତି ମାମଲାରେ ଫଏସଲା ହାର କମ୍‍

ଦୁର୍ନୀତି ମାମଲାରେ ଫଏସଲା ହାର କମ୍‍

ଭୁବନେଶ୍ୱର : ଓଡ଼ିଶାରେ ୨୦ରୁ ଅଧିକ ଦୁର୍ନୀତି ନିବାରଣ ଅଦାଲତ ଥିବାବେଳେ ଆଉ କେତୋଟି ନୂଆ ଭିଜିଲାନ୍ସ କୋର୍ଟ ସ୍ଥାପନ ପାଇଁ ଉଦ୍ୟମ ଚାଲିଛି । ପ୍ରାୟ ସବୁଦିନ ରାଜ୍ୟର କେଉଁଠି ନା କେଉଁଠି ଦୁର୍ନୀତି ମାମଲାରେ ସରକାରୀ ଅଧିକାରୀ ଛନ୍ଦି ହୋଇ ଜେଲ୍‍ ଯିବା ସହ ଚାକିରି ହରାଉଛନ୍ତି । ତେବେ ଦୁର୍ନୀତି ନିବାରଣ ମାମଲା ଫଏସଲା କ୍ଷେତ୍ରରେ କିନ୍ତୁ ପ୍ରଦର୍ଶନ ସେତେଟା ଉତ୍ସାହଜନକ ନଥିଲେ ବି ଓଡ଼ିଶାରେ ଏ କ୍ଷେତ୍ରରେ ଦଣ୍ଡବିଧାନ ହାର ଜାତୀୟ ହାରଠାରୁ ଅଧିକ ରହୁଛି ।

ଭାରତ ସରକାରଙ୍କ ଜାତୀୟ କ୍ରାଇମ ରେକର୍ଡ ବ୍ୟୁରୋର ସର୍ବଶେଷ ପ୍ରକାଶିତ ରିପୋର୍ଟ ଅନୁଯାୟୀ ବିଭିନ୍ନ ଦୁର୍ନୀତି ବିରୋଧୀ ସଂସ୍ଥା ଭିଜିଲାନ୍ସ ଓ ଲୋକାୟୁକ୍ତ ଆଦିଙ୍କ ନିକଟରେ ଦୁର୍ନୀତି ପ୍ରତିରୋଧ ଆଇନ ଏବଂ ଅନ୍ୟାନ୍ୟ ଧାରାରେ ୨୦୨୦ ଶେଷ ସୁଦ୍ଧା ୨୬,୮୭୬ଟି ମାମଲା ବିଚାରାଧୀନ ଥିଲା । ଏଥିମଧ୍ୟରୁ ଅଭିଯୁକ୍ତଙ୍କ ମୃତ୍ୟୁ ଓ ଅନ୍ୟାନ୍ୟ କାରଣରୁ ୧୨୪ଟି ମାମଲା ଅକାମୀ ହୋଇପଡିଥିବା ବେଳେ ସରକାର ୭ଟି ମାମଲା ପ୍ରତ୍ୟାହାର କରିଥିଲେ ଏବଂ ଆଉ ୨୪ଟି ମାମଲା ଆଇନ ଅଦାଲତରେ ଖାରଜ ହୋଇଯାଇଥିଲା । ମୋଟାମୋଟି ଭାବେ ବିନା ବିଚାରରେ ୧୯୫ଟି ଦୁର୍ନୀତି ମାମଲାର ପରିସମାପ୍ତି ଘଟିଥିବା ବେଳେ ଆଉ ୧୧୫ଟି ଉଚ୍ଚ ଅଦାଲତଙ୍କ ରହିତାଦେଶ ଯୋଗୁଁ ବିଚାର ହୋଇପାରି ନଥିଲା ।

ତେବେ ଉକ୍ତ ବର୍ଷରେ ସମଗ୍ର ଦେଶରେ ୯୦୨ଟି ମାମଲାର ଶୁଣାଣି ସମାପ୍ତ ହୋଇଥିବା ବେଳେ ସେଥିରୁ ୩୬୯ଟିରେ ଅଭିଯୁକ୍ତଙ୍କ ପ୍ରତି ଦଣ୍ଡବିଧାନ କରାଯାଇଥିବା ବେଳେ ୪୯୮ଟିରେ ସେମାନେ ଖଲାସ ହୋଇଯାଇଥିଲେ ।

ଏହାପରେ ୨୦୨୧ ଆରମ୍ଭ ବେଳକୁ ସମଗ୍ର ଦେଶରେ ୨୫,୮୧୯ଟି ଦୁର୍ନୀତି ନିବାରଣ ମାମଲା ବିଚାର ପ୍ରତୀକ୍ଷାରେ ଥିଲା । ଦୁର୍ନୀତି, ଭ୍ରଷ୍ଟାଚାର ବିରୋଧରେ କଡା ଆଇନ ସହିତ ଲୋକପାଳ, ଲୋକାୟୁକ୍ତ, ସିବିଆଇ, ଭିଜିଲାନ୍ସ ଆଦି ବହୁ ସଂସ୍ଥା ଥିଲେ ବି ଉକ୍ତ ବର୍ଷରେ ଦୁର୍ନୀତି ମାମଲାରେ ଦଣ୍ଡବିଧାନ ହାର ସାରା ଦେଶରେ ମାତ୍ର ୪୦.୯ ପ୍ରତିଶତ ଥିଲା ଏବଂ ଏହି ବର୍ଷରେ ବିଚାରାଧୀନ ଦୁର୍ନୀତି ସଂକ୍ରାନ୍ତୀୟ ମାମଲାଗୁଡିକ ଭିତରୁ ମାତ୍ର ୩.୯ ପ୍ରତିଶତ ଫଏସଲା ହୋଇ ପରବର୍ତ୍ତୀ ବର୍ଷକୁ ବଳକା ମାମଲା ଭାବେ ୯୬.୧ ପ୍ରତିଶତ ଗଡିଥିଲା ।

ଏହି ରିପୋର୍ଟରେ ପ୍ରକାଶିତ ବିବରଣୀ ଅନୁଯାୟୀ ୨୦୨୦ ଶେଷ ସୁଦ୍ଧା ଓଡ଼ିଶାରେ ୩୫୦୯ଟି ଦୁର୍ନୀତି ନିବାରଣ ମାମଲା ବିଚାର ପ୍ରତୀକ୍ଷାରେ ଥିବାବେଳେ ସେଥିରୁ ଅଭିଯୁକ୍ତଙ୍କ ମୃତ୍ୟୁ ଆଦି କାରଣରୁ ୧୪ଟି ଛାଏଁ ଛାଏଁ ବନ୍ଦ ହୋଇଯାଇଥିଲା । ଏହି ବର୍ଷରେ ମାତ୍ର ୩୨ଟି ଦୁର୍ନୀତି ନିବାରଣ ମାମଲା ରାଜ୍ୟରେ ବିଚାର ହୋଇଥିଲା, ଯେଉଁଥିରୁ ୧୬ଟିରେ ଦଣ୍ଡବିଧାନ ହୋଇଥିବା ବେଳେ ଆଉ ୧୬ଟିରେ ଆସାମୀ ଖସି ଯାଇଥିଲେ । ଏହି ରିପୋର୍ଟର ତଥ୍ୟ ଅନୁଯାୟୀ ଓଡ଼ିଶାରେ ଉକ୍ତ ବର୍ଷରେ ଦୁର୍ନୀତି ମାମଲାରେ ଦଣ୍ଡବିଧାନ ହାର ୫୦ ପ୍ରତିଶତ ଥିବାବେଳେ ମୋଟ ମାମଲା ଫଏସଲା ହୋଇଥିଲା ମାତ୍ର ୧.୩ ପ୍ରତିଶତ । ଅର୍ଥାତ୍‍ ୯୮.୭ ପ୍ରତିଶତ ମାମଲା ଫଏସଲା ନ ହୋଇ ବଳକା ମାମଲା ଭାବେ ପରବର୍ତ୍ତୀ ବର୍ଷକୁ ଗଡିଥିଲା ।

ରାଜ୍ୟ ଭିଜିଲାନ୍ସ ପାଇଁ ଆଶ୍ୱାସନାର କଥା ହେଉଛି ଯେ ଓଡ଼ିଶାରେ ଦଣ୍ଡବିଧାନ ହାର ଜାତୀୟ ସ୍ତରଠାରୁ ଅଧିକ ରହିଛି । ଉତ୍ତରାଖଣ୍ଡ, ଉତ୍ତରପ୍ରଦେଶ, ପଞ୍ଜାବ, ମହାରାଷ୍ଟ୍ର, କର୍ଣ୍ଣାଟକ, ହିମାଚଳ ପ୍ରଦେଶ, ଗୁଜରାଟ ଆଦି ରାଜ୍ୟରେ ଦୁର୍ନୀତି ମାମଲାରେ ଦଣ୍ଡବିଧାନ ହାର ଓଡ଼ିଶାଠାରୁ ଢ଼େର କମ୍‍ ରହୁଛି । ତେବେ ପୁଡୁଚେରୀ, ଚଣ୍ଡିଗଡ, ତେଲେଙ୍ଗାନା, ତାମିଲନାଡୁ, ମଧ୍ୟପ୍ରଦେଶ, ଝାଡଖଣ୍ଡ, ହରିଆଣା, ଆସାମ, ଆନ୍ଧ୍ରପ୍ରଦେଶ ଆଦି ରାଜ୍ୟରେ ଦୁର୍ନୀତି ମାମଲାରେ ଦଣ୍ଡବିଧାନ ହାର ଓଡ଼ିଶାଠାରୁ ଅଧିକ ରହିଛି ।

ଯେତିକି ଦୁର୍ନୀତି ମାମଲାରେ ବି ଦଣ୍ଡବିଧାନ ହେଉଛି, ସେଥିରୁ ଅଧିକାଂଶରେ ଅଭିଯୁକ୍ତମାନେ ଉପର ଅଦାଲତକୁ ଅପିଲ୍‍ରେ ଯାଉଥିବାରୁ ବାସ୍ତବରେ କିନ୍ତୁ ଦୁର୍ନୀତି ମାମଲାରେ ଜେଲ୍‍ରେ ଢ଼େର କମ୍‍ ଲୋକ ରହୁଛନ୍ତି । ତେବେ ଦୁର୍ନୀତିଗ୍ରସ୍ତ ଓ ଅଥର୍ବ ଅଧିକାରୀମାନଙ୍କୁ ବିଧି ବ୍ୟବସ୍ଥା ଅନୁଯାୟୀ ଚିହ୍ନଟ କରି ରାଜ୍ୟ ସରକାର ବାଧ୍ୟତାମୂଳକ ଅବସର ଏବଂ ସ୍ଥଳବିଶେଷରେ ଚାକିରିରୁ ବିଦା କରୁଥିବା ଫଳରେ ଦୁର୍ନୀତିଗ୍ରସ୍ତଙ୍କ ମଧ୍ୟରେ ଛନକା ପଶିଛି । (ତଥ୍ୟ)