Home Judiciary ଦୁର୍ନୀତି ମାମଲାରେ ଓଡ଼ିଶାରେ ଦଣ୍ଡବିଧାନ ଅଧିକ

ଦୁର୍ନୀତି ମାମଲାରେ ଓଡ଼ିଶାରେ ଦଣ୍ଡବିଧାନ ଅଧିକ

ଭୁବନେଶ୍ୱର : ନାରୀ ନିର୍ଯାତନା ସମେତ ଆଇପିସିର ବିଭିନ୍ନ ଧାରାରେ ଚାଲିଥିବା ଅପରାଧିକ ମାମଲାଗୁଡିକରେ ଓଡ଼ିଶାରେ ଦଣ୍ଡବିଧାନ ହାର ଢ଼େର କମ୍‍ ରହୁଥିବା ବେଳେ ଦୁର୍ନୀତି ନିବାରଣ ମାମଲା କ୍ଷେତ୍ରରେ କିନ୍ତୁ ଓଡ଼ିଶାର ଦଣ୍ଡବିଧାନ ହାର ଜାତୀୟସ୍ତର ଠାରୁ ଢ଼େର ଅଧିକ ରହିଛି । ଏକଥା ଭାରତ ସରକାରଙ୍କ ସ୍ୱରାଷ୍ଟ୍ର ବିଭାଗର ଜାତୀୟ କ୍ରାଇମ ରେକର୍ଡ ବ୍ୟୁରୋ ୨୦୨୦ ବର୍ଷ ପାଇଁ ନିକଟରେ ପ୍ରକାଶ କରିଥିବା ରିପୋର୍ଟରେ ଉଲ୍ଲେଖ କରିଛି ।

ଦୁର୍ନୀତି ମାମଲାରେ ଜାତୀୟସ୍ତରରେ ଦଣ୍ଡବିଧାନ ହାର ୪୦.୯ ପ୍ରତିଶତ ଥିବାବେଳେ ଓଡ଼ିଶାରେ କିନ୍ତୁ ଏହା ଗତବର୍ଷ ଥିଲା ୫୦ ପ୍ରତିଶତ । ତେବେ ଆସାମ ଓ ଚଣ୍ଡୀଗଡରେ ଦଣ୍ଡବିଧାନ ହାର ଶତପ୍ରତିଶତ ଥିବାବେଳେ ପୁଡୁଚେରୀରେ ୮୦ ପ୍ରତିଶତ, ଝାଡଖଣ୍ଡ, ତାମିଲନାଡୁ ଓ ତେଲେଙ୍ଗାନାରେ ୭୦ ପ୍ରତିଶତରୁ ଅଧିକ ରହିଥିବାବେଳେ ମଧ୍ୟପ୍ରଦେଶ, ରାଜସ୍ଥାନ, ହରିଆଣା ଓ ଆନ୍ଧ୍ରପ୍ରଦେଶରେ ଏହି ହାର ଓଡ଼ିଶାଠାରୁ ଅଳ୍ପ ଅଧିକ ରହିଛି ।

ତେବେ ଦୁର୍ନୀତି ପ୍ରସଙ୍ଗରେ ଦଣ୍ଡବିଧାନ କ୍ଷେତ୍ରରେ ଓଡ଼ିଶାର ହାର ଗୁଜରାଟ, ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ପଞ୍ଜାବ, ମହାରାଷ୍ଟ୍ର, ହିମାଚଳ, କର୍ଣ୍ଣାଟକ ଆଦି ରାଜ୍ୟଠାରୁ ଢ଼େର ଅଧିକ ଅଛି । ଏଭଳି ମାମଲାରେ ଓଡ଼ିଶାରେ ଦଣ୍ଡବିଧାନ ହାର ୫୦ ପ୍ରତିଶତ ଥିବାବେଳେ ଉତ୍ତରପ୍ରଦେଶରେ ତାହା ମାତ୍ର ୧୦ ପ୍ରତିଶତ, ଉତ୍ତରାଖଣ୍ଡରେ ୧୬.୭ ପ୍ରତିଶତ, କର୍ଣ୍ଣାଟକରେ ୨୫ ପ୍ରତିଶତ, ପଞ୍ଜାବରେ ୨୨.୨ ପ୍ରତିଶତ, ଗୁଜରାଟରେ ୪୪ ପ୍ରତିଶତ ଓ ହିମାଚଳରେ ୧୦ ପ୍ରତିଶତ ରହିଛି । ମହାରାଷ୍ଟ୍ରରେ ଏହି ହାର ମାତ୍ର ୭.୮ ପ୍ରତିଶତ ଥିବାବେଳେ ଜାମ୍ମୁକାଶ୍ମୀରରେ ୯.୧ ପ୍ରତିଶତ ଥିବା ରେକର୍ଡ କରାଯାଇଛି ।

ଗତବର୍ଷ ସମଗ୍ର ଦେଶରେ ୧୦୫୭ଟି ଦୁର୍ନୀତି ନିବାରଣ ମାମଲାର ଫଏସଲା ହୋଇଥିବା ବେଳେ ଆଉ ୨୫,୮୧୯ଟି ମାମଲା ଚଳିତବର୍ଷ ଆରମ୍ଭ ବେଳକୁ ବିଚାର ପ୍ରତୀକ୍ଷାରେ ରହିଥିଲା । ମୋଟ ମାମଲାର ମାତ୍ର ୩.୯ ପ୍ରତିଶତ ଫଏସଲା ହୋଇଥିବା ବେଳେ ୯୬.୧ ପ୍ରତିଶତ ଦୁର୍ନୀତି ମାମଲା ସାରା ଦେଶରେ ପରବର୍ଷକୁ ବାକିଆ ରହୁଛି ।

ତେବେ ଓଡ଼ିଶାରେ ଗତବର୍ଷ ୩୫୦୯ଟି ଦୁର୍ନୀତି ମାମଲା ବିଚାର ପାଇଁ ଥିବାବେଳେ ସେଥିରୁ ୩୨ଟି ଫଏସଲା ହୋଇଛି ଏବଂ ତନ୍ମଧ୍ୟରୁ ୧୬ଟିରେ ଦଣ୍ଡବିଧାନ ହୋଇଥିବା ବେଳେ ଆଉ ୧୬ଟିରେ ଅଭିଯୁକ୍ତ ଖଲାସ ହୋଇଛନ୍ତି । ଏହାଛଡା ଅଭିଯୁକ୍ତଙ୍କ ମୃତ୍ୟୁ ଓ ଅନ୍ୟ କାରଣ ଯୋଗୁଁ ଆଉ ୧୪ଟି ମାମଲା ମଧ୍ୟ ଅକାମୀ ହୋଇଯାଇଛି । ମୋଟାମୋଟି ଭାବେ ଚଳିତବର୍ଷ ଆରମ୍ଭ ବେଳକୁ ଓଡ଼ିଶାରେ ୩୪୬୩ଟି ଭିଜିଲାନ୍ସ ମାମଲା ବିଚାର ପ୍ରତୀକ୍ଷାରେ ରହିଥିଲା । ଗତବର୍ଷର ହିସାବ ଅନୁଯାୟୀ ମୋଟ ଭିଜିଲାନ୍ସ ମାମଲାର ମାତ୍ର ୧.୩ ପ୍ରତିଶତ ରାଜ୍ୟରେ ବିଚାର ହୋଇଥିବା ବେଳେ ପରବର୍ଷକୁ ୯୮.୭ ପ୍ରତିଶତ ମାମଲା ବାକିଆ ରହିଯାଇଛି ।

ସେହିପରି ଆର୍ଥିକ ଅପରାଧ ମାମଲା କ୍ଷେତ୍ରରେ ଜାତୀୟସ୍ତରର ଦଣ୍ଡବିଧାନ ହାର ୩୩.୬ ପ୍ରତିଶତ ଥିବାବେଳେ ଓଡ଼ିଶାରେ ଏହା ୪୭ ପ୍ରତିଶତ ରହିଛି । ତେବେ ସମଗ୍ର ଦେଶରେ ଚଳିତବର୍ଷ ଆରମ୍ଭ ବେଳକୁ ୬,୧୫,୦୬୭ ଆର୍ଥିକ ଅପରାଧ ମାମଲା ବିଚାର ପାଇଁ ଥିବାବେଳେ ଗତବର୍ଷ ମୋଟ ମାମଲାର ମାତ୍ର ୩.୨ ପ୍ରତିଶତ ଫଏସଲା ହୋଇଛି । ଅନ୍ୟପକ୍ଷରେ ଓଡ଼ିଶାରେ ଆର୍ଥିକ ଅପରାଧ ମାମଲାଗୁଡିକ ମଧ୍ୟରୁ ଗତବର୍ଷ ମାତ୍ର ୦.୬ ପ୍ରତିଶତ ଫଏସଲା ହୋଇଥିବା ବେଳେ ୯୯.୪ ପ୍ରତିଶତ ବାକିଆ ମାମଲା ଭାବେ ଏବର୍ଷକୁ ଗଡିଛି । ଚଳିତବର୍ଷ ଆରମ୍ଭ ବେଳକୁ ରାଜ୍ୟରେ ୨୨,୫୫୮ଟି ଆର୍ଥିକ ଅପରାଧ ମାମଲା ବିଚାର ପ୍ରତୀକ୍ଷାରେ ଥିବାବେଳେ ଗତବର୍ଷ ଏଥିରୁ ମାତ୍ର ୧୩୨ଟି ଫଏସଲା ହୋଇଥିଲା । ଯେଉଁଥିରେ ୬୨ଜଣଙ୍କ ପ୍ରତି ଦଣ୍ଡବିଧାନ ହୋଇଥିବା ବେଳେ ୭୦ଜଣ ଖଲାସ ହୋଇଯାଇଥିଲେ । (ତଥ୍ୟ)