Home General ଦୁଗ୍ଧ ଠାରୁ ଅଧିକ ମଦ୍ୟପାନ

ଦୁଗ୍ଧ ଠାରୁ ଅଧିକ ମଦ୍ୟପାନ

ଭୁବନେଶ୍ୱର : ରାଜ୍ୟର ସବୁଠାରୁ ଅଧିକ ଶିକ୍ଷିତ ଓ ଧନି ଲୋକ ରାଜଧାନୀ ଭୁବନେଶ୍ୱରରେ ଦୁଗ୍ଧ ଅପେକ୍ଷା ମଦ ବିକ୍ରି ବେଶି । କରୋନାର ଦ୍ୱିତୀୟ ଲହର ଲୋକଙ୍କୁ କଲବଲ କରୁଥିବାବେଳେ ଘରେ ଅନ୍‍ଲାଇନ୍‍ରେ ମଦ ପହଞ୍ଚାଇବାପାଇଁ ସରକାର ଯେଉଁ ବ୍ୟବସ୍ଥା କରିଛନ୍ତି ସେଥିରେ ତିନି ସପ୍ତାହ ଭିତରେ ଭୁବନେଶ୍ୱରର ବାବୁମାନେ ପ୍ରାୟ ଲକ୍ଷେ ୬୦ହଜାର ଲିଟର ମଦ ପିଇଛନ୍ତି । ଏହା ବାଦ ଚୋରା ମଦ ବି ଅଛି ।

କେତେକ ମଦ ବ୍ୟବସାୟୀ କହୁଛନ୍ତି ଯେ ଅନ୍‍ଲାଇନ୍‍ରେ ଯେତିକି ମଦ କାରବାର ହେଉଛି ଯଦି ଦୋକାନ ଖୋଲା ରହୁଥାନ୍ତା ତେବେ ତାହାର ୪ଗୁଣରୁ ଅଧିକ କାଉଣ୍ଟରରେ ବିକ୍ରି ହେଉଥାନ୍ତା । ସେମାନଙ୍କ ଏହି ତଥ୍ୟକୁ ବିଶ୍ୱାସକୁ ନେଲେ ତିନି ସପ୍ତାହରେ ଅନ୍ୟୁନ ୬ଲକ୍ଷ ଲିଟର ମଦ ରାଜଧାନୀର ମଦୁଆମାନେ ପିଇବା କଥା ।

ଗତ ମଇ ୧୭ ତାରିଖରୁ ଜୁନ୍‍ ୩ତାରିଖ ପର୍ଯ୍ୟନ୍ତ ରାଜଧାନୀରେ ୪୮,୨୦୦ ଲିଟରରୁ ଅଧିକ ବିୟର ଅନ୍‍ଲାଇନ୍‍ରେ ବିକ୍ରି ହୋଇଥିବାବେଳେ ଏହି ସମୟ ମଧ୍ୟରେ ୫୬,୭୦୦ ଲିଟରରୁ ଅଧିକ ବିଦେଶୀ ମଦ ମଧ୍ୟ ମଦୁଆଙ୍କ ଚାହିଦା ମୁତାବକ ଘରେ ପହଞ୍ଚାଯାଇଛି । ଏହି ସମୟ ମଧ୍ୟରେ ପାଖପାଖି ୨୪ହଜାର ଲିଟର ଦେଶୀ ମଦ ବି ଯୋଗାଯାଇଛି । ଏବେ ଦୈନିକ ପ୍ରାୟ ୮ହଜାର ଲିଟର ମଦ ରାଜଧାନୀର ମଦୁଅମାନେ ଶୋଷୁଛନ୍ତି ।

ତେବେ ମଦଦୋକାନୀମାନେ କହୁଛନ୍ତି ଯେ ଯଦି କାଉଣ୍ଟରରେ ମଦ ବିକ୍ରି ହେଉଥାନ୍ତା ତେବେ ଦିନକୁ ୩୦ରୁ ୪୦ହଜାର ଲିଟର ପର୍ଯ୍ୟନ୍ତ ମଦ ବିକ୍ରି ହେଉଥାନ୍ତା । ବିଶେଷକରି ରଜ ବଜାରରେ ଏହି ପରିମାଣ ଢେର ଅଧିକ ହୋଇଥାନ୍ତା । କିନ୍ତୁ କରୋନା ଜନିତ କଟକଣା ଯୋଗୁଁ ମଦ ବେପାର ମାନ୍ଦା ହୋଇଯାଇଛି ।

ଆଗରୁ ଘରେ ଘରେ ବରାଦ ମୁତାବକ ଖାଦ୍ୟ ପହଞ୍ଚାଉଥିବା ସ୍ୱିଗୀ ଓ ଜମାଟୋ ଭଳି ସଂସ୍ଥା ଗତବର୍ଷ ଲକଡାଉନ୍‍ ସମୟରେ ମଦ ହୋମ ଡେଲିଭରୀ ଦେଉଥିଲେ । ତେବେ ଖାଦ୍ୟ ମଗାଉଥିବା ଅନେକ ଲୋକ ମଦଯୋଗାଣକାରୀଙ୍କ ହାତରୁ ହୋଟେଲ ଖାଦ୍ୟ ନେବାକୁ ନାପସନ୍ଦ କରିବାରୁ ଗୋଟିଏ ସଂସ୍ଥା ଏଥିରୁ ଓହରି ଯାଇଛି । ହିଟ୍‍ ବାର୍‍ ନାମରେ ଅନ୍ୟଏକ ସଂସ୍ଥା ଅନ୍‍ଲାଇନ୍‍ରେ ମଦ ପହଞ୍ଚାଇବାକୁ ଆଗେଇ ଆସିଥିବାବେଳେ ଏବେ ସେଥିରୁ ପଛଘୁଞ୍ଚା ଦେଇଛି । ତେବେ ସ୍ୱିଗୀର ଡେଲିଭରୀବୟମାନେ ଖାଦ୍ୟ ସହିତ ଘରେ ଘରେ ମଦ ପହଞ୍ଚାଉଛନ୍ତି ।

ତେବେ ହୋଟେଲ ଖାଦ୍ୟ ଯୋଗାଣ ତୁଳନାରେ ମଦ ଯୋଗାଣରେ ଅଧିକ ବକ୍ସିସ ମିଳୁଥିବା କେତେକ ସ୍ୱୀକାର କରିଛନ୍ତି । ମଦୁଆଙ୍କ ଚାହିଦାକୁ ଆଖିଆଗରେ ରଖି ଅନେକ ମଦଦୋକାନୀ ବି ଲୋକ ରଖି ହାତ ପାଆନ୍ତାରେ ମଦ ପହଞ୍ଚାଇବା ବନ୍ଦୋବସ୍ତ କରିଛନ୍ତି । ଏମାନେ ସ୍ୱୀକାର କରୁଛନ୍ତି ଯେ ଯେଉଁ ଠିକଣାରେ ଘରେ ମଦ ପହଞ୍ଚିବାକଥା ସେଠାରେ ଅନେକ ସ୍ଥାନର କ୍ରେତାମାନେ ଡେଲିଭରୀବୟଙ୍କ ଠାରୁ ଫୋନ୍‍ କଲ ପାଇବାମାତ୍ରେ ପଦାକୁ ଚାଲିଆସି ଦୂରରୁ ମଦ ସଂଗ୍ରହ କରୁଛନ୍ତି ଏବଂ ବହୁ ସ୍ଥଳରେ ସେମାନେ ଏହାକୁ ଗାଡିରେ ଲୁଚାଇ ରଖି ନିରୋଳା ରାସ୍ତାଘାଟରେ ପିଉଛନ୍ତି ।

ଚାଖଣା ଦୋକାନ ସବୁ ବନ୍ଦ ରହୁଥିବାରୁ ଡେଲିଭୟରୀବୟମାନେ ହୋଟେଲରୁ ଏମାନଙ୍କ ଲାଗି ମଟନ/ଚିକେନ ଆଦି ମଧ୍ୟ ଯୋଗାଇବାରେ ସାହାଯ୍ୟ କରୁଛନ୍ତି । ଅନ୍ୟ ପକ୍ଷରେ ରାଜଧାନୀରେ ଓମଫେଡ ଓ ଅନ୍ୟ ଘରୋଇ ସଂସ୍ଥାମାନେ ଯେତ ଦୁଗ୍ଧ ଯୋଗାଉଛନ୍ତି ତାହା ତୁଳନାରେ ମଦ ପରିମାଣ ଢେର ଅଧିକ ରହୁଛି । (ତଥ୍ୟ)