Home Finance ଦୁଇ କିସ୍ତିର ଅନୁଦାନ ମିଳିଲା ୪୩୦୫ କୋଟି

ଦୁଇ କିସ୍ତିର ଅନୁଦାନ ମିଳିଲା ୪୩୦୫ କୋଟି

ଭୁବନେଶ୍ୱର : ଦୁଇଟି କିସ୍ତିର ଅନୁଦାନ କେନ୍ଦ୍ର ସରକାର ଦେବା ଫଳରେ ଓଡିଶା ୪୩୦୫.୩୨ କୋଟି ଟଙ୍କା ପାଇଛି । ପଞ୍ଚଦଶ ଅର୍ଥ କମିଶନଙ୍କ ସୁପାରିଶ୍‍ କ୍ରମେ କେନ୍ଦ୍ର ସରକାର ୧୨ଟି କିସ୍ତିରେ ପ୍ରତିବର୍ଷ ଟିକସ ଅନୁଦାନ ପ୍ରଦାନ କରିଥାନ୍ତି । ତେବେ ପୁଞ୍ଜିବିନିଯୋଗ, ଭିତ୍ତିଭୂମି ଓ ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବାଲାଗି କେନ୍ଦ୍ର ସରକାର ଦୁଇ କିସ୍ତିର ଟିକସ ଅନୁଦାନ ଏକା ଥରକେ ପ୍ରଦାନ କରିଛନ୍ତି ।

ଏଠାରେ ଉଲ୍ଲେଖ କରାଯାଇପାରେ ଯେ କୋଭିଡ ମହାମାରୀ ପରିପ୍ରେକ୍ଷୀରେ ରାଜ୍ୟମାନଙ୍କ ଦ୍ୱାରା ଅଧିକ ପୁଞ୍ଜି ଖଟାଣ ଆବଶ୍ୟକ ପଡୁଥିବା ଦୃଷ୍ଟିରୁ ଟିକସରୁ ଆଦାୟ ରାଜ୍ୟମାନଙ୍କ ଅଂଶଧନକୁ ଏକାଥରକେ ଦୁଇ କିସ୍ତିରେ ଦେବାପାଇଁ ରାଜ୍ୟମାନେ କେନ୍ଦ୍ର ଅର୍ଥମନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ । ତଦନୁଯାୟୀ କେନ୍ଦ୍ର ସରକାର ଗତକାଲି ଏହି ଅନୁଦାନ ପ୍ରଦାନ କରିଛନ୍ତି ।

କେବଳ କେନ୍ଦ୍ରୀୟ ଅନୁଦାନ ଉପରେ ନିର୍ଭର କରୁଥିବା ଦୁର୍ବଳ ରାଜ୍ୟମାନଙ୍କ ପାଇଁ ଏହା ବିଶେଷ ସହାୟକ ହେବ । ଏଠାରେ ଉଲ୍ଲେଖ କରାଯାଇପାରେ ଯେ କେନ୍ଦ୍ରୀୟ ଅନୁଦାନ ଧିରେ ଧିରେ କମିବାରେ ଲାଗିଛି । ଓଡିଶା ମଧ୍ୟ ଏଥିଯୋଗୁଁ ଅର୍ଥାଭାବର ସମ୍ମୁଖୀନ ହେଉଥିବା ଜଣାଯାଏ । ଏଥିପାଇଁ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ କେନ୍ଦ୍ର ସରକାର ଯେତିକି ଅନୁଦାନ ଦେବାପାଇଁ ଲକ୍ଷ୍ୟଧାର୍ଯ୍ୟ କରିଛନ୍ତି ତାହାକୁ ଠିକ୍‍ ସମୟରେ ଦେବା ସକାଶେ ଅନୁରୋଧ କରିଥିଲେ ।

ଅକ୍ଟୋବର ମାସ ଶେଷ ସୁଦ୍ଧା କେନ୍ଦ୍ରୀୟ ଅନୁଦାନ ଶତକଡା ୧୫ ଭାଗ କମିବା ଫଳରେ ଗତବର୍ଷ ତୁଳନାରେ କେନ୍ଦ୍ରୀୟ ଅନୁଦାନରେ ଅଭିବୃଦ୍ଧି ପରିବର୍ତ୍ତେ ଅଧୋଗତି ପରିଲକ୍ଷିତ ହୋଇଛି । ଏହି ଅଧୋଗତିର ପରିମାଣ ପ୍ରାୟ ୧୭ ପ୍ରତିଶତ ବୋଲି ଜଣାଯାଇଛି । ଏହାର କାରଣ ଦର୍ଶାଇ ଉଲ୍ଲେଖ କରାଯାଇଛି ଯେ କେନ୍ଦ୍ର ସରକାର ଅଧିକ ସେସ୍‍ ଓ ସରଚାର୍ଜ ଲାଗୁ କରୁଥିବା ଯୋଗୁଁ ରାଜ୍ୟମାନେ ଏହି ଧରଣର କେନ୍ଦ୍ରୀୟ ଟିକସରୁ ଅଂଶଧନ ପାଇବାରୁ ବଞ୍ଚିତ ହେଉଛନ୍ତି । କାରଣ କେନ୍ଦ୍ର ସରକାର ଯେଉଁ ଟିକସ ଆଦାୟ କରିଥାନ୍ତି ସେଥିରେ ରାଜ୍ୟମାନେ ଅଂଶଧନ ପାଇଥାନ୍ତି । କିନ୍ତୁ ସେସ୍‍ ଓ ସରଚାର୍ଜରୁ ରାଜ୍ୟମାନେ ଅଂଶଟିକସ ପାଇନଥାନ୍ତି । ଗୋଟିଏ ପଟେ ସେସ୍‍ ଓ ସରଚାର୍ଜ ଆଦାୟର ପରିମାଣ ବଢିଚାଲିଛି ଏବଂ ରାଜ୍ୟମାନେ ସେଥିରୁ ବଞ୍ଚିତ ହେଉଛନ୍ତି ।

ଏହି ପରିପ୍ରେକ୍ଷୀରେ ଓଡିଶା ସରକାର ପର୍ଯ୍ୟାୟକ୍ରମେ ସେସ୍‍ ଓ ସରଚାର୍ଜକୁ ହ୍ରାସ କରିବା ନିମନ୍ତେ ଯୁକ୍ତି ଉପସ୍ଥାପନ କରିଛନ୍ତି । କୋଇଲାରୁ ୪୦ ପ୍ରତିଶତ ସେସ୍‍ ଆଦାୟ ହେଉଥିବାବେଳେ ଓଡିଶା ଭଳି କୋଇଲା ଭିତ୍ତିକ ରାଜ୍ୟ ଏଥିରୁ ଫାଇଦା ପାଇପାରୁ ନାହିଁ । ଅଥଚ କୋଇଲା ଉତ୍ତୋଳନ ଯୋଗୁଁ ପରିବେଶ ପ୍ରଦୂଷଣ ହୋଇ ଲୋକଙ୍କ ଜୀବନ ଦୁର୍ବିସହ ହୋଇପଡୁଛି । ତେଣୁ ରାଜ୍ୟ ସରକାର କୋଇଲାରୁ ଆଦାୟ ହେଉଥିବା ସେସ୍‍ରୁ ରାଜ୍ୟକୁ ସବୁଜ ଅନୁଦାନ ଦେବାପାଇଁ ଦାବିକରି ଆସୁଛନ୍ତି । ହେଲେ କେନ୍ଦ୍ରୀୟ କର୍ତ୍ତୃପକ୍ଷ ଏ କ୍ଷେତ୍ରରେ ନିରବତା ଅବଲମ୍ବନ କରୁଛନ୍ତି । (ତଥ୍ୟ)