Home Administration ଦୁଇଟି ଡୋଜ୍‍ ଟିକା ସହିତ ଜୁଲାଇ ପହିଲାରୁ ଅଫିସ

ଦୁଇଟି ଡୋଜ୍‍ ଟିକା ସହିତ ଜୁଲାଇ ପହିଲାରୁ ଅଫିସ

ଭୁବନେଶ୍ୱର : ରାଜଧାନୀରେ ଥିବା ସମସ୍ତ ସରକାରୀ କର୍ମଚାରୀଙ୍କ ପାଇଁ କୋଭିଡ ଟିକାର ଦୁଇଟି ଡୋଜ୍‍ ବାଧ୍ୟତାମୂଳକ କରାଯିବା ସହିତ ସେମାନେ ଟିକା ନେଇ ଜୁଲାଇ ପହିଲାରୁ ଅଫିସ ଆସିବାକୁ କୁହାଯାଇଛି । ସାଧାରଣ ପ୍ରଶାସନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସଞ୍ଜିବ ଚୋପ୍ରା ଆଜି ଏହି ମର୍ମରେ ରାଜଧାନୀରେ ଥିବା ସମସ୍ତ ବିଭାଗ ଓ ବିଭାଗୀୟ ମୁଖ୍ୟ ଦପ୍ତରକୁ ପତ୍ର ଲେଖିଛନ୍ତି ।

ଶ୍ରୀ ଚୋପ୍ରା କହିଛନ୍ତି ଯେ ଭୁବନେଶ୍ୱରରେ ଥିବା ସମସ୍ତ ବିଭାଗ, ବିଭାଗୀୟ ମୁଖ୍ୟ ଓ ସରକାରୀ ଉଦ୍ୟୋଗର କର୍ମଚାରୀଙ୍କ ପାଇଁ ଜୁନ୍‍ ୧୦ରୁ ୨୦ତାରିଖ ପର୍ଯ୍ୟନ୍ତ ଟିକାକରଣ କାର୍ଯ୍ୟକ୍ରମ ଜାରି ରହିଛି । ଏଥିରେ ପ୍ରାୟ ୬୦୦୦ କର୍ମଚାରୀଙ୍କୁ ପ୍ରଥମ ଡୋଜ୍‍ ଟିକା ଦିଆଯାଇଛି ।

ଦ୍ୱିତୀୟ ପର୍ଯ୍ୟାୟ ଟିକାକରଣ ଜୁନ୍‍ ୧୭ତାରିଖରୁ ଆରମ୍ଭ ହେବା ସହିତ ସମସ୍ତ କର୍ମଚାରୀଙ୍କୁ ଦ୍ୱିତୀୟ ଡୋଜ୍‍ ଟିକା ଦେବା ପର୍ଯ୍ୟନ୍ତ ଏହା ଜାରି ରହିବ । ସମସ୍ତ ବିଭାଗର ନୋଡାଲ ଅଫିସରମାନେ ସେମାନଙ୍କ ଦପ୍ତରର ସମସ୍ତ କର୍ମଚାରୀ ଯେଭଳି ଟିକା ନେବେ ଓ ଜୁଲାଇ ପହିଲାରୁ ପୂର୍ଣ୍ଣ ମାତ୍ରାରେ ଦପ୍ତରରେ ଯୋଗଦେବେ ସେ ଦିଗରେ ପଦକ୍ଷେପ ନେବାକୁ କୁହାଯାଇଛି । ଏହା ଦ୍ୱାରା କର୍ମଚାରୀମାନଙ୍କୁ ଏକ ସୁରକ୍ଷିତ ବାତାବରଣ ମଧ୍ୟରେ କାର୍ଯ୍ୟ କରିବାର ସୁଯେରାଗ ମିଳିବ ଓ ସେମାନେ ସହଜରେ ଅଫିସ କାର୍ଯ୍ୟ କରିପାରିବେ ।

ଏହାକୁ ଦୃଷ୍ଟିରେ ରଖି ଭୁବନେଶ୍ୱରରେ ଥିବା ସମସ୍ତ ସରକାରୀ ଦପ୍ତର, ବିଭାଗୀୟ ମୁଖ୍ୟ, ରାଜ୍ୟ ସରକାରଙ୍କ ଉଦ୍ୟୋଗର କର୍ମଚାରୀଙ୍କୁ କୋଭିଡ ଟିକାର ଦୁଇଟ ଡୋଜ୍‍ ବାଧ୍ୟତାମୂଳକ ଭାବେ ଦେବା ସହିତ ଜୁଲାଇ ପହିଲାରୁ ନିୟମିତ ଭାବେ ଅଫିସ ଆସିବାକୁ କୁହାଯାଇଛି ।

ଯଦି କୌଣସି କର୍ମଚାରୀ ଶାରୀରିକ ଅସୁସ୍ଥତା କିମ୍ବା ଅନ୍ୟ କୌଣସି କାରଣରୁ ଟିକା ନେଇନପାରିବେ ତେବେ ତାଙ୍କୁ ଏଥିରୁ ଛାଡ କରିବାପାଇଁ ବିଭାଗୀୟ ମୁଖ୍ୟଙ୍କୁ ଆବେଦନ କରିପାରିବେ । ଏଭଳି ଆବେଦନ ପାଇଲା ପରେ ସ୍ଥିତିକୁ ଦେଖି ଏହା ଉପରେ ନିଷ୍ପତ୍ତି ଗ୍ରହଣ କରାଯିବ ।

ଯଦି କୌଣସି କର୍ମଚାରୀ ଟିକା ନେଇନଥିବେ କିମ୍ବା ସେମାନଙ୍କୁ ଅଫିସ ନଆସିବାକୁ ଅନୁମତି ମିଳିନଥିବ ସେଭଳି ସ୍ଥଳେ ସେମାନଙ୍କ ଅନୁପସ୍ଥିତିକୁ ଇଚ୍ଛାକୃତ ବୋଲି ବିବେଚନା କରାଯିବ ।