Home News in Odia ଦିନକୁ ୭୮ ନିଶା ବେପାରୀ ଗିରଫ

ଦିନକୁ ୭୮ ନିଶା ବେପାରୀ ଗିରଫ

ଭୁବନେଶ୍ୱର : ଅବକାରୀ ବିଭାଗ ପକ୍ଷରୁ ଦୈନିକ ହାରାହାରି ଭାବେ ୭୮ଜଣ ନିଶା ବେପାରୀଙ୍କୁ ଗିରଫ କରାଯାଉଛି । ସେହିଭଳି ଦୈନିକ ହାରାହାରି ୯୦ଟି ମାମଲା ବି ରୁଜୁ ହେଉଛି । ଚଳିତମାସ ପହିଲାରୁ ୧୦ ତାରିଖ ମଧ୍ୟରେ ଅବକାରୀ ବିଭାଗର କାର୍ଯ୍ୟାନୁଷ୍ଠାନରୁ ଏହି ସୂଚନା ମିଳିଛି ।

ବିଭାଗର କାର୍ଯ୍ୟାନୁଷ୍ଠାନ ଯୋଗୁଁ ମାତ୍ର ୧୦ ଦିନ ମଧ୍ୟରେ ୭୮୩ଜଣ ବ୍ୟକ୍ତି ଗିରଫ ସହିତ ୯୨୦ ମାମଲା ରୁଜୁ ହେଲାଣି । ନଭେମ୍ବର ପହିଲାରୁ ୧୦ ତାରିଖ ମଧ୍ୟରେ ଏଭଳି ସଫଳତା ମିଳୁଥିବାବେଳେ ନିଶା ବେପାରୀଙ୍କ ଠାରୁ ନକଲି ବିଦେଶୀ ମଦ, ଦେଶୀ ମଦ ପ୍ରସ୍ତୁତି ପାଇଁ ଆବଶ୍ୟକ କଞ୍ଚାମାଲ, ବିୟର, ଗଞ୍ଜେଇ ଓ ବ୍ରାଉନସୁଗାର ଆଦି ଜବତ ହୋଇଛି ।

ଅବକାରୀ ବିଭାଗର କାର୍ଯ୍ୟାନୁଷ୍ଠାନରୁ ଜଣାଯାଇଛି ଯେ ନଭେମ୍ବର ପହିଲାରୁ ୧୦ ତାରିଖ ମଧ୍ୟରେ ଜୋରଦାର ଚଢାଉ ଯୋଗୁଁ ୨୩,୫୨୦ ଲିଟର ଦେଶୀମଦ, ୨ଲକ୍ଷ ଲିଟରରୁ ଅଧିକ ଦେଶୀମଦ ତିଆରି ସାମଗ୍ରୀ, ୨୦୫ ଲିଟର ବିଦେଶୀ ମଦ, ୬୭୯୦ ଲିଟର ବିୟର, ୧୦୧୮ କିଲୋ ଗଞ୍ଜେଇ, ୪୪୧ ଗ୍ରାମ ବ୍ରାଉନସୁଗାର, ୮୧୨ କିଲୋ ଭାଙ୍ଗ ଏବଂ ୩୭୫ ଲିଟର ନକଲି ଓ ଟିକସଫାଙ୍କି ବିଦେଶୀ ମଦ ସହିତ ୪୬ଟି ଦୁଇ ଚକିଆ ଓ ଚାରିଚକିଆ ଯାନ ଜବତ ହୋଇଛି । ଜବତ ସାମଗ୍ରୀର ମୂଲ୍ୟ ପ୍ରାୟ ୫କୋଟି ୩୪ଲକ୍ଷ ଟଙ୍କା ହେବବୋଲି ଆକଳନ କରାଯାଇଛି ।

ପ୍ରମୁଖ ଚଢଉ ଓ ସାମଗ୍ରୀ ଜବତ ସୂଚନାରୁ ଜଣାପଡିଛି ଯେ ରାଜ୍ୟ ସ୍ତରୀୟ ଫ୍ଲାଇଙ୍ଗସ୍କ୍ୱାଡ୍‍ ଖୋରଧା ସହରରୁ ୨୨୫ ଲିଟର ନକଲି ବିଦେଶୀ ମଦ ଓ ୩୯ ଲିଟର ବିୟର ଜବତ ସହିତ ଏହି ମାମଲରେ ଜଣଙ୍କୁ ଗିରଫ କରିଥିଲା । ସେହିଭଳି ଅବକାରୀ ବିଭାଗର ସ୍ୱତନ୍ତ୍ର ଟିମ୍‍ ନୂଆପାଟଣା ଅଞ୍ଚଳରୁ ୮୪ଲିଟର ନକଲି ବିଦେଶୀ ମଦ ସହିତ ଗୋଟିଏ ଅଟୋ ଓ ଜଣେ ବ୍ୟକ୍ତିଙ୍କୁ ଧରିଥିଲା । ଅନୁରୂପ ଭାବ ବ୍ରହ୍ମପୁର ଅବକାରୀ ବିଭାଗର ସ୍ୱତନ୍ତ୍ର ଟିମ୍‍ ନବରଙ୍ଗପୁର ଜିଲ୍ଲାରୁ ୮୨ଲିଟର ନକଲି ଓ ଟିକସଫାଙ୍କି ବିଦେଶୀ ମଦ ଜବତ କରିଥିଲେ ଯାହାକି ଅରୁଣାଚଳପ୍ରଦେଶରେ ବିକ୍ରି ପାଇଁ ଯାଉଥିଲା । ଏହି ଘଟଣାରେ ଜଣେ ବ୍ୟକ୍ତି ଗିରଫ ହୋଇଥିଲା ।

ଗଜପତି ଜିଲ୍ଲା ଅବକାରୀ ଅଧିକାରୀମାନେ ୬୦୦ କିଲୋ ଗଞ୍ଜେଇ ସହିତ ଗୋଟିଏ ପିକଅପ୍‍ ଭ୍ୟାନ ଜବତ କରିଥିଲେ ଓ ଜଣେ ବ୍ୟକ୍ତିଙ୍କୁ ଏହି ମାମଲାରେ ଗିରଫ କରିଥିଲେ । ବୌଦ୍ଧ ଜିଲ୍ଲାର ଅବକାରୀ ଅଧିକାରୀମାନେ ୧୩୨ କିଲୋ ଗଞ୍ଜେଇ ଜବତରେ ସଫଳ ହୋଇଥିଲେ । କଟକ ଜିଲ୍ଲା ଅବକାରୀ ଅଧିକାରୀମାନେ ୯୮ଗ୍ରାମ ବ୍ରାଉନସୁଗାର ଜବତ କରିଥିଲେ ଯାହାର ଆନୁମାନିକ ମୂଲ୍ୟ ୫୨ହଜାର ଟଙ୍କା ଆକଳନ କରାଯାଇଛି । ସେହିଭଳି ଚଳିତ ମାସ ୯ତାରିଖରେ କଟକ ଅବକାରୀ ଅଧିକାରୀ ଓ ଫ୍ଲାଇଙ୍ଗସ୍କ୍ୱାଡ୍‍ ଖୋରଧା ଜଙ୍କିଆ ଠାରୁ ୮୦୦ କିଲୋ ଭାଙ୍ଗ ଜବତ କରିଥିବାବେଳେ ୮ତାରିଖରେ ପ୍ରାୟ ୭୦ଲିଟର ନକଲି ବିଦେଶୀ ମଦ ଜବତ କରିବାରେ ସଫଳ ହୋଇଥିଲେ ।

ଅବକାରୀ ଗୁଇନ୍ଦା ସୂଚନା ଆଧାରରେ ଚାଲିଥିବା ଧରପଗଡରେ ଚଳିତ ମାସର ପ୍ରଥମ ୧୦ ଦିନ ମଧ୍ୟରେ ରେକର୍ଡ ପରିମାଣର ନିଶା ସାମଗ୍ରୀ ଜବତ ହୋଇଥିବାବେଳେ ୭ଶହରୁ ଅଧିକ ଲୋକ ଗିରଫ ହୋଇଛନ୍ତି । ଏଥିପାଇଁ ନିଶା ବେପାରୀଙ୍କ ମଧ୍ୟରେ କୋକୁଆଭୟ ସୃଷ୍ଟି ହୋଇଥିବାବେଳେ ଖୁବ୍‍ଶୀଘ୍ର ରାଜ୍ୟରୁ ବେଆଇନ୍‍ ନିଶାକାରବାରର ମୂଳୋତ୍ପାଟନ ପାଇଁ ଅବକାରୀ ବିଭାଗ ଅଣ୍ଟା ଭିଡିଥିବା ସୂଚନା ମିଳିଛି ।