Home News in Odia ଦିନକୁ ୧୦୦ ମାମଲା ଓ ୮୬ ଗିରଫ

ଦିନକୁ ୧୦୦ ମାମଲା ଓ ୮୬ ଗିରଫ

ଭୁବନେଶ୍ୱର : ନିଶା କାରବାର ବିରୁଦ୍ଧରେ ଚାଲିଥିବା ଅଭିଯାନରେ ଦିନକୁ ହାରାହାରି ୮୬ଜଣ ଗିରଫ ହେଉଛନ୍ତି ଓ ୧୦୦ଟି ମାମଲା ରୁଜୁ ହେଉଛି । ଗିରଫଦାରୀ ଓ ମାମଲା ରୁଜୁ ସହିତ ବିପୁଳ ପରିମାଣରେ ନିଶା ସାମଗ୍ରୀ ବି ଜବତ ହେବାରେ ଲାଗିଛି । ଗତ ସପ୍ତାହେ ଧରି ଅବକାରୀ ବିଭାଗର ଧରପଗଡରୁ ଏହି ସୂଚନା ମିଳିଛି ।

ଅବକାରୀ ବିଭାଗର ଧରପଗଡରୁ ଜଣାଯାଇଛି ଯେ ଚଳିତମାସ ୧୧ରୁ ୧୭ତାରିଖ ମଧ୍ୟରେ ନିଶା କାରବାରରେ ସମ୍ପୃକ୍ତ ୬୦୩ଜଣ ଗିରଫ ହୋଇଥିବାବେଳେ ୬୯୩ଟି ମାମଲାର ରଜୁ ହୋଇଛି । ଏଥିସହିତ ଦେଶୀମଦ ପ୍ରସ୍ତୁତିରେ ବ୍ୟବହାର ହେଉଥିବା ଏକ ଲକ୍ଷ ୮୨ହଜାରରୁ ଲିଟରରୁ ଅଧିକ କଞ୍ଚାମାଲ, ୪୩୮ କିଲୋ ଗଞ୍ଜେଇ, ୨୭୦ ଲିଟର ନକଲି ବିଦେଶୀ ମଦ ସହିତ ୪୧ଟି ଦୁଇ ଚକିଆ ଓ ଚାରି ଚକିଆ ଯାନ ଜବତ ହୋଇଛି । ଜବତ ସାମଗ୍ରୀର ମୂଲ୍ୟ ଆନୁମାନିକ ୩କୋଟି ୮୫ ଟଙ୍କା ହେବ ବୋଲି ବିଭାଗ ଆକଳନ କରିଛି ।

ଏହି ସପ୍ତାହରେ ବିଭାଗ ପକ୍ଷରୁ ହୋଇଥିବା କେତେକ ପ୍ରମୁଖ ଚଢଉ ମଧ୍ୟରେ ୧୧ତାରିଖରେ ରାଜ୍ୟସ୍ତରୀୟ ଫ୍ଲାଇଙ୍ଗସ୍କ୍ୱାଡ୍‍ କଟକ ମଙ୍ଗୁଳି ଛକରୁ ୮୦ କିଲୋ ଗଞ୍ଜେଇ ଜବତ ସହିତ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଥିବାବେଳେ ୧୩ ତାରଖରେ ସମ୍ବଲପୁର ଅବକାରୀ ସ୍କାଡ୍‍ ୧୨୭ ଲିଟର ନକଲି ବିଦେଶୀ ସହିତ ୨ଜଣଙ୍କୁ ଧରିଥିଲା ।

ସେହିଭଳି ଫ୍ଲାଇଙ୍ଗ ସ୍କ୍ୱାଡ୍‍ କଟକ ମଙ୍ଗୁଳି ଛକରୁ ୯୨ କିଲୋ ଓ ଆଠଗଡରୁ ୨୧ କିଲୋ ଗଞ୍ଜେଇ ଜବତ ସହିତ ଏହି ମାମଲାରେ ୩ଜଣଙ୍କୁ ଗିରଫ କରିଛି । ୧୫ ତାରିଖରେ ସମ୍ବଲପୁରରୁ ୨୮ ଲିଟରରୁ ଅଧିକ ନକଲି ବିଦେଶୀ ମଦ ଜବତ ହୋଇଥିବାବେଳେ ୧୬ ତାରିଖରେ କଟକ ଅବକାରୀ ସ୍କ୍ୱାଡ୍‍ ୮୩ ଲିଟର ନକଲି ବିଦେଶୀ ମଦ ଜବତ କରିଥିଲା ।

ନକଲି ମଦ ପ୍ରସ୍ତୁତିର ଏନ୍ତୁଡିଶାଳ ପାଲଟିଥିବା ଆଠଗଡ ଅଞ୍ଚଳରେ କଟକ ଅବକାରୀ ବିଭାଗର ଘନ ଘନ ଚଢଉରେ ଏହି ସପ୍ତାହରେ ପାଖାପାଖି ଏକ ଲକ୍ଷ ଲିଟର ଦେଶୀ ମଦ ଓ ମଦ ପ୍ରସ୍ତୁତି ସାମଗ୍ରୀ ଜବତ ହୋଇଥିଲା । ସେହଭଳି ବାଲେଶ୍ୱର ଜିଲ୍ଲାରେ ୧୦୦୦ ଳିଟର ଦେଶୀ ମଦ ସହିତ ଗୋଟିଏ ବୋଲୋରେ ଗାଡି ଜବତ ହୋଇଥିବାବେଳେ ଭଦ୍ରକରେ ଦୁଇଟି ଚଢଉରେ ୯୦୦ ଲିଟର ଦେଶୀ ମଦ ସହିତ ଜଣେ ବ୍ୟକ୍ତି ଧରାପଡିଛି ।

କେନ୍ଦୁଝର ଜିଲ୍ଲା ଅବକାରୀ ବିଭାଗ ଏହି ସପ୍ତାରେ ବ୍ୟାପକ ଚଢଉ କରି ୩୦୦୦ କିଲୋ ଦେଶୀମଦ ପ୍ରସ୍ତୁତି ସାମଗ୍ରୀ, ୧୭୭ ଲିଟର ମଦ ଓ ୧୪ ଲିଟର ନକଲି ବିଦେଶୀ ମଦ ଜବତ କରିବାରେ ସଫଳ ହୋଇଛି । କନ୍ଧମାଳ ଜିଲ୍ଲାରେ ୫୧ କିଲୋ ଗଞ୍ଜେଇ ଜବତ ହୋଇଥିବାବେଳେ ବରଗଡ ଅବକାରୀ ବିଭାଗ ୪ଳିଟର ନକଲି ବିଦେଶୀମଦ ୧୨୦୦ କିଲୋ ଦେଶୀ ମଦ ତିଆରି ସାମଗ୍ରୀ ଓ ୩୬ଲିଟର ମଦ ଜବତ କରିଛି ।

ତେବେ ଏହି ସପ୍ତାହରେ ଯେଉଁ ପରିମାଣରେ ଗଞ୍ଜେଇ ଜବତ ହୋଇଛି ତାହାଠାରୁ ଢେର ଅଧିକ ପରିମାଣରେ ଦେଶୀମଦ ତିଆରି ସାମଗ୍ରୀ ଓ ନକଲି ବିଦେଶୀ ମଦ ଜବତ ହୋଇଛି । ସାରା ରାଜ୍ୟରେ ଅବକାରୀ ବିଭାଗର ଏଭଳି ଚଢଉ ଓ ବାନ୍ଧିବା ଅଭିଯାନ ଯୋଗୁଁ ମଦ ବେପାରୀଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଥିବାବେଳେ ଅଭିଯାନକୁ ଆହୁରି ଜୋରଦାର କରିବାପାଇଁ କ୍ଷେତ୍ର ସ୍ତରୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।