Home Administration ଦାୟିତ୍ୱ ନେଲେ ମୁଖ୍ୟ ସଚିବ ଓ ଉନ୍ନୟନ କମିଶନର

ଦାୟିତ୍ୱ ନେଲେ ମୁଖ୍ୟ ସଚିବ ଓ ଉନ୍ନୟନ କମିଶନର


ଭୁବନେଶ୍ୱର : ନୂଆବର୍ଷରେ ଆଜି ନୂଆ ମୁଖ୍ୟ ଶାସନ ସଚିବ ଭାବେ ୧୯୮୬ ବ୍ୟାଚ୍‍ର ବରିଷ୍ଠ ଆଇଏସ୍‍ ଅଫିସର ସୁରେଶ ଚନ୍ଦ୍ର ମହାପାତ୍ର ଦାୟିତ୍ୱ ଗ୍ରହଣ କରିଛନ୍ତି । ପୂର୍ବାହ୍ନରେ ଲୋକସେବାଭବନକୁ ଆସି ଶ୍ରୀ ମହାପାତ୍ର ଦାୟିତ୍ୱ ଗ୍ରହଣ କରିଥିବାବେଳେ ୧୯୮୯ ବ୍ୟାଚ୍‍ର ବରିଷ୍ଠ ଆଇଏଏସ୍‍ ଅଫିସର ପ୍ରଦୀପ କୁମାର ଜେନା ନୂଆ ଉନ୍ନୟନ କମିଶନର ଭାବେ ଦାୟିତ୍ୱ ନେଇଛନ୍ତି

ଡିସେମ୍ବର ୩୧ ତାରଖରେ ମୁଖ୍ୟ ଶାସନ ସଚିବ ପଦରୁ ଅସିତ କୁମାର ତ୍ରିପାଠୀ ଅବସଗର ଗ୍ରହଣ କରିଥିଲେ । ପୂର୍ବ ଘୋଷଣା ଅନୁଯାୟୀ ଉନ୍ନୟନ କମିଶନର ଥିବା ଶ୍ରୀ ମହାପାତ୍ର ଆଜି ଦାୟିତ୍ୱ ଗ୍ରହଣ କରିଛନ୍ତି । ସେହିଭଳି ନୂଆ ଉନ୍ନୟନ କମିଶନର ଭାବେ ଶ୍ରୀ ଜେନାଙ୍କ ନାମ ମଧ୍ୟ ଘୋଷଣା ହୋଇଥିବା । ଶ୍ରୀ ଜେନା ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିଶନର ଓ ଗ୍ରାମ୍ୟ ଉନ୍ନୟନ ବିଭାଗରେ ଅତିରିକ୍ତ ମୁଖ୍ୟ ଶାସନ ସଚିବଭାବେ ଦାୟିତ୍ୱ ତୁଲାଉଥିଲେ ।

ଦାୟିତ୍ୱ ଗ୍ରହଣ କରିବାପରେ ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର କହିଛନ୍ତି ଯେ ୨୦୨୧ ବର୍ଷ ଓଡିଶାବାସୀଙ୍କ ପାଇଁ ମଙ୍ଗଳମୟ ହେଉ । ରାଜ୍ୟର ସର୍ବାଙ୍ଗିନ ବିକାଶ ଓ ଉନ୍ନୟନ କାର୍ଯ୍ୟ ଯେଭଳି ତ୍ୱରନ୍ୱିତ ହେବ ତାହା ଉପରେ ସେ ଦୃଷ୍ଟି ଦେବେ । ଯେଉଁସବୁ ପ୍ରକଳ୍ପଗୁଡିକ ଆରମ୍ଭ ହୋଇଛି ତାହା ଯେଭଳି ଦ୍ରୁତି ଗତିରେ ଆଗେଇବ ସେଥିପାଇଁ ପଦକ୍ଷେପ ଗ୍ରହଣ କରାଯିବ । ବିଶେଷକରି କରୋନା ସହ ମୁକାବିଲା କରୁଥିବା ଲୋକଙ୍କ ଜୀବନ ଜୀବିକାର ସୁରକ୍ଷା ସହିତ ରାଜ୍ୟ ଅର୍ଥନୀତି କିଭଳି ଆଗକୁ ଯିବ ତାହା ଏବେ ବଡ ଆହ୍ୱାନ ବୋଲି ସେ କହିଛନ୍ତି ।

ସେହିଭଳି ଦାୟିତ୍ୱ ଗ୍ରହଣ କରିବାପରେ ଉନ୍ନୟନ କମିଶନର ଶ୍ରୀ ଜେନା କହିଛନ୍ତି ଯେ ଗତବର୍ଷ ରାଜ୍ୟବାସୀ ଯେଭଳି ଦୁଃଖରେ କାଳାତିପାତ କରିଛନ୍ତି ତାହାକୁ ପ୍ରଭୁ ଦୂରେଇ ଦିଅନ୍ତୁ । ଓଡିଶାର ପ୍ରଗତିରେ ସହାୟ ହୁଅନ୍ତ ଓ ରାଜ୍ୟରେ ସୁଖ ଶାନ୍ତି ଫେରିଆସୁ ବୋଲି ସେ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରୁଛନ୍ତି ।

ରାଜ୍ୟର ଦୁଇ ବରଷ୍ଠ ଅଧିକାରୀ ଆଜି ନୂଆ ବର୍ଷରେ ଦାୟିତ୍ୱ ଗ୍ରହଣ କରିଥିବାବେଳେ କରୋନା କଟକଣା ଯୋଗୁଁ ଲୋକସେବାଭବନରେ ଯେଭଳି ଶୁଭେଚ୍ଛା ଓ ସମ୍ବର୍ଦ୍ଧନାର ସୁଅ ଛୁଟିବା କଥା ତାହା ଦେଖିବାକୁ ମିଳିନାହିଁ । ଉଲ୍ଲେଖନୀୟ ଯେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି କର୍ମଚାରୀମାନେ ଏକତ୍ରିତ ହେବା ଓ ପରସ୍ପରକୁ ଭେଟି ନୂଆବର୍ଷର ଶୁଭେଚ୍ଛା ଜଣାଇବା ଉପରେ ସାଧାରଣ ପ୍ରଶାସନ ବିଭାଗ କଟକଣା ଲଗାଇଛନ୍ତି ।

ଅନ୍ୟ ପକ୍ଷରେ ଲୋକସେବାଭବନକୁ ଆଜି କେତେକ ବିଭାଗର ମନ୍ତ୍ରୀମାନେ ନୂଆବର୍ଷରେ ଆସିଥିବାବେଳେ ସେମାନଙ୍କର ବିଭାଗର ସଚିବମାନେ ଆସି ସୌଜନ୍ୟମୂଳକ ସାକ୍ଷାତ କରୁଛନ୍ତି । ସରକାରୀ କଟକଣାକୁ ମାନି ଆଉ କେତେଜଣ ସଚିବ ନିଜ ନିଜ ବିଭାଗର ମନ୍ତ୍ରୀଙ୍କୁ ଭର୍ଚୁଆଲ ମୋଡ୍‍ରେ ନୂଆବର୍ଷର ଶୁଭେଚ୍ଛା ଜଣାଉଥିବା ଦେଖିବାକୁ ମିଳୁଛି ।