Home Administration ଦାବି ଜଣାଇବାକୁ କର୍ମଚାରୀ ଏକଜୁଟ

ଦାବି ଜଣାଇବାକୁ କର୍ମଚାରୀ ଏକଜୁଟ

ଭୁବନେଶ୍ୱର : ବାରମ୍ବାର ଦାବି ସତ୍ୱେ ପ୍ରଶାସନର ଉଦାସୀନତା ବିରୁଦ୍ଧରେ ଲୋକସେବା ଭବନର କର୍ମଚାରୀମାନେ ଆଜି ପଞ୍ଚାୟତିରାଜ ବିଭାଗ ସମ୍ମୁଖ ଲନ୍‍ରେ ଏକଜୁଟ ହୋଇଛନ୍ତି ।

ମଧ୍ୟାହ୍ନ ବିରତି ସମୟରେ ଏକଜୁଟ ହୋଇଥିବା କର୍ମଚାରୀମାନେ କହିଛନ୍ତି ଯେ ଓଡିଶା ସଚିବାଳୟ ସେବା ବର୍ଗର କ୍ୟାଡର ପୁନର୍ଗଠନ କରାଯାଇ ପ୍ରଥମ ଦଫାରେ ୨୨୫ଟି ଗ୍ରୁପ୍‍ ‘ଏ’ ପଦବୀ ସୃଷ୍ଟି କରାଯିବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା । ଏଥିପାଇଁ ସଂଘ ଦୀର୍ଘ ଏକ ବର୍ଷରୁ ଅଧିକ ସମୟ ଏଥିପାଇଁ ସରକାରୀ ଓ ପ୍ରଶାସନିକ ସ୍ତରରେ ନିରବଚ୍ଛିନ୍ନ ଉଦ୍ୟମ କରି ଆସୁଛି ।

ସଂଘର ନବ ନିର୍ବାଚିତ କର୍ମକର୍ତ୍ତାଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଆଶ୍ୱାସନା ପରେ ସରକାରଙ୍କ ତରଫରୁ ପ୍ରଶାସନକୁ ମଧ୍ୟ ଆବଶ୍ୟକ ସବୁ ସଙ୍କେତ ଓ ନିର୍ଦ୍ଦେଶ ଦିଆଯାଇଥିଲା । ଏହାପରେ ପରିସ୍ଥିତି ଓ ସରକାରୀ ବାଧ୍ୟବାଧକତାକୁ ଦୃଷ୍ଟିରେ ରଖି ପ୍ରଥମ ଦଫାରେ କୌଣସି ମୂଳପଦବୀ ଉଚ୍ଛେଦ ନକରି ୧୫୧ ଟି ଗ୍ରୁପ୍‍ ‘ଏ’ ପଦବୀ ସୃଷ୍ଟି ପାଇଁ ଗତ ୮ତାରିଖରେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିିତ ବୈଠକରେ ସଂଘ ତରଫରୁ ନିବେଦନ କରାଯାଇଥିଲା ।

କିନ୍ତୁ ଏବେ ଜାଣିବାକୁ ମିଳୁଛି ଗତ ୨୬ତାରିକରେ ଏକ ଉଚ୍ଚସ୍ତରୀୟ ବୈଠକର ନିଷ୍ପତ୍ତି ଅନୁଯାୟୀ ସଂଘର ଦାବିକୁ ସମ୍ପୂର୍ଣ୍ଣ ଉପେକ୍ଷା କରି ତଳ ପଦବୀ ଉଚ୍ଛେଦ କରି ପାଖପାଖି ୧୦୦ଟି ଗ୍ରୁପ୍‍ ‘ଏ’ ପଦବୀ ସୃଷ୍ଟିପାଇଁ ସ୍ଥିର ହେବା ସହିତ ଏଥିପାଇଁ ଅର୍ଥ ବିଭାଗର ଅନୁମତି ନିଆଯାଇ ସାରିଲାଣି ।

ଆହୁରି କ୍ଷୋଭର ବିଷୟ ହେଉଛି ଅତିରିକ୍ତ ଶାସନ ସଚିବ ଓ ଯୁଗ୍ମ ଶାସନ ସଚିବ ସ୍ତରରେ ଅତ୍ୟନ୍ତ ନଗଣ୍ୟ ପଦବୀ ସୃଷ୍ଟି ପାଇଁ ସୁପାରିଶ ହୋଇଛି । ପ୍ରଶାସନର ଏତାଦୃଶ ନିଷ୍ପତ୍ତି ସଂଘ ଦ୍ୱାରା ଆଦୌ ଗ୍ରହଣୀୟ ନୁହେଁ । ଇତି ମଧ୍ୟରେ ସରକାର ୧୫ଟି ରୁ ଅଧିକ କ୍ୟାଡରର ପୁର୍ନଗଠନ କରି ଉପରସ୍ତରରେ ଗଦା ଗଦା ପଦବୀ ସୃଷ୍ଟି କରିଥିବାବେଳେ ଆମ୍ଭ କ୍ଷେତ୍ରରେ କିନ୍ତୁ ହୀନମନ୍ୟତା ପ୍ରଦର୍ଶନ କରାଯାଇଛି ।