Home News in Odia ଦଲାଲଙ୍କ ପାଇଁ ଜେଲ୍‍ ଦଣ୍ଡ ବି ହୋଇଛି

ଦଲାଲଙ୍କ ପାଇଁ ଜେଲ୍‍ ଦଣ୍ଡ ବି ହୋଇଛି

ଭୁବନେଶ୍ୱର : ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଓଡିଶା ଷ୍ଟାଫ ସିଲେକ୍ସନ କମିଶନର କୋଟି କୋଟି ଟଙ୍କା ସମ୍ପତ୍ତିର ମାଲିକ ଜଣେ ବ୍ୟକ୍ତିଗତ ସଚିବଙ୍କୁ ଭିଜିଲାନ୍ସ ଧରିବାପରେ ନୂଆ ନୂଆ ଅଭିଯୋଗ ପଦାକୁ ଆସୁଛି । ଅତୀତରେ ଏହି ସଂସ୍ଥାରେ ଚାକିରି ଦେବାପାଇଁ ଦଲାଲଙ୍କ କାରସାଦି ଯୋଗୁଁ ଜଣେ ପ୍ରାର୍ଥୀନୀ ଜେଲ୍‍ ଯିବାର ବି ନଜିର ରହିଛି ।

ଏଠାରେ ଚାକିରି ବିକ୍ରି ପାଇଁ ପ୍ରଲୋଭନ ଦେଖାଉଥିବା ଦଲାଲମାନେ ଏତେ ସକ୍ରିୟ ଯେ ଆଇନ୍‍ ଅଦାଲତର ନିର୍ଦ୍ଦେଶନାମା କୁହାଯାଉଥିବା ଜାଲ୍‍ କାଗଜପତ୍ର ପ୍ରସ୍ତୁତ କରି ଏମାନେ ଚାକିରି ପ୍ରତ୍ୟାଶୀଙ୍କୁ ଲୁଟିବାକୁ ବି ପଛାଉନଥିଲେ । ଏମାନଙ୍କ ଜାଲରେ ପଡି ଜଣେ ମହିଳା ପ୍ରାର୍ଥୀ ଚାକିରି ପାଇଲେ ନାହିଁ ଓଲଟା ଜେଲ ଯିବାଭଳି ପରିସ୍ଥିତିର ସାମ୍ନା କଲେ ।

କିଛି ବର୍ଷ ତଳେ ବାଣିଜ୍ୟକର ବିଭାଗର ଇନ୍ସପେକ୍ଟର ଚାକିରି ପାଇଁ ଏହି ସଂସ୍ଥା ମାଧ୍ୟମରେ ପ୍ରାର୍ଥୀ ଚୟନ କରାଯାଇଥିଲା । କଟକ ସହରରେ ରହୁଥିବା ଜଣେ ଚାକିରି ପ୍ରତ୍ୟାଶୀ ମହିଳା ଏହି ପଦବୀପାଇଁ ଆବେଦନ କରିଥିଲେ । ତାଙ୍କର ଜଣେ ସମ୍ପର୍କୀୟଙ୍କ ମାଧ୍ୟମରେ ଦଲାଲମାନେ ମୋଟା ଅଙ୍କର ଟଙ୍କା ନେଇ ତାଙ୍କୁ ଚାକିରି ଦେବାପାଇଁ ମିଛି ପ୍ରତିଶ୍ରୁତି ଦେଇଥିଲେ । ଯୋଗ୍ୟତା ତାଲିକାରେ ଏହି ମହିଳା ପ୍ରାର୍ଥୀଙ୍କ ନାଁ ନଥିବାରୁ ଦଲାଲଙ୍କ ଠାରୁ ଟଙ୍କା ଫେରସ୍ତ ପାଇଁ ଦଲାଲଙ୍କ ଉପରେ ଚାପ ପଡିଲା । ଏ ପରିପ୍ରେକ୍ଷୀରେ ଏହି ଦଲାଲମାନେ ଏକ ନକଲି ଅତିରିକ୍ତ ତାଲିକା ପ୍ରକାଶ କରି ସେଥିରେ ସମ୍ପୃକ୍ତ ମହିଳା ପ୍ରାର୍ଥୀଙ୍କର ନାମ ଲେଖିଦେଲେ ।

ତେବେ ଏହି ନକଲି ଯୋଗ୍ୟତା ତାଲିକା ଆଧାରରେ ତାଙ୍କୁ ଚାକିରି ନମିଳିବାରୁ ଦଲାଲମାନେ ପୁଣି ପଇସା ନେଇ ଆଇନ୍‍ ଅଦାଲତରେ ତାଙ୍କ ପାଇଁ ମାମଲା ବି ରୁଜୁ କରିବା ସହ ଅଦାଲତର ଏକ ଆଦଶନାମା ବୋଲି କୁହାଯାଉଥିବା ଜାଲ୍‍ କାଗଜପତ୍ର ପ୍ରସ୍ତୁତକରି ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ନିଯୁକ୍ତି ଦେବାପାଇଁ ଜଣାଇଥିଲେ । କେବଳ ସେତିକି ନୁହେଁ ଜାଲ ଯୋଗ୍ୟତାପତ୍ର ଓ ହାଇକୋର୍ଟଙ୍କ ଆଦେଶର ଜାଲ୍‍ ନକଲ ଆଧାରରେ ସ୍ୟାଟ୍‍ରେ ମଧ୍ୟ ଆଉଏକ ମାମଲା ରୁଜୁ କରିଥିଲେ । ଏଥିପାଇଁ ପ୍ରାର୍ଥୀଙ୍କ ଠାରୁ ସେମାନେ ବାରମ୍ବାର ଟଙ୍କା ଆଦାୟ କରୁଥିଲେ ।

ତେବେ ସ୍ୟାଟ୍‍ରେ ଏହି ମାମଲା ଚାଲୁଥିବାବେଳେ ଜାଲିଆତିର ପର୍ଦ୍ଦାଫାସ ହେବାରୁ ଆବେଦନକାରୀ ସ୍ୟାଟ୍‍ରୁ ମାମଲା ପ୍ରତ୍ୟାହାର କରିନେଇଥିଲେ । ଏ ପ୍ରସଙ୍ଗ ହାଇକୋର୍ଟଙ୍କ ନଜରକୁ ଆସିବାପରେ ପୁଲିସ୍‍ ତନାଘନା କରି ସମ୍ପୃକ୍ତ ମହିଳା ପ୍ରାର୍ଥୀଙ୍କୁ ଗିରଫ କରିଥିଲା । ସେତେବେଳକୁ ସେ ଅନ୍ୟଏକ ସରକାରୀ ସଂସ୍ଥାରେ ଆଡହକ ନିଯୁକ୍ତି ପାଇଥିଲେ ଏବଂ ଏହି ଜାଲିଆତି କାରବାର ଘଟଣା ଯୋଗୁଁ ତାଙ୍କ ଚାକିରି ବି ଚାଲିଗଲା ।

ଏବେ ଅନେକ ପ୍ରାର୍ଥୀ ଅଭିଯୋଗ କରୁଛନ୍ତି ଯେ ପୁଲିସ୍‍ ସବଇନ୍ସପେକ୍ଟର ସମେତ ଅନ୍ୟ କେତେକ ପଦବୀ ପାଇଁ ହୋଇଥିବା ପ୍ରାର୍ଥୀ ଚୟନ ଓ ନିଯୁକ୍ତିରେ ବି ଜାଲିଆତି ହୋଇଥିଲା । ତେବେ ଷ୍ଟାଫ ସିଲେକ୍ସନ କମିଶନଙ୍କ ପକ୍ଷରୁ ଏଯାବତ୍‍ ଏହି ଅଭିଯୋଗଗୁଡିକର ଦୃଢ ଖଣ୍ଡନ ହୋଇନାହିଁ । ଏଠାରେ ଉଲ୍ଲେଖନୀୟ ଯେ ଅତୀତରେ ପୁଲିସ୍‍ ନିଯୁକ୍ତିରେ ହେରଫେର ଘଟଣାରେ ଜଣେ ଅବସରପ୍ରାପ୍ତ ପୁଲିସ୍‍ ଡିଜିଙ୍କ ସମେତ ଆଉ କେତେକ ଉଚ୍ଚ ପଦସ୍ଥ ଅଧିକାରୀଙ୍କୁ ବି ଗିରଫ କରାଯିବାର ନଜିର ଅଛି । ଏବେ ଷ୍ଟାଫ ସିଲେକ୍ସନ କମିଶନର ଗୋଟିଏ ପରେ ଗୋଟିଏ ଗୁମର ଖୋଲୁଥିବାବେଳେ ପ୍ରାର୍ଥୀ ଚୟନ ପାଇଁ ଥିବା ଅନ୍ୟ ସରକାରୀ ସଂସ୍ଥାଗୁଡିକ ଆଡକୁ ବହୁ ବଞ୍ଚିତ ପ୍ରାର୍ଥୀ ଅଙ୍ଗୁଳି ନିର୍ଦ୍ଦେଶ କରୁଛନ୍ତି । (ତଥ୍ୟ)

LEAVE A REPLY

Please enter your comment!
Please enter your name here