Home General ଦକ୍ଷତା ତାଲିମରେ ନିଯୁକ୍ତି କମ୍‍

ଦକ୍ଷତା ତାଲିମରେ ନିଯୁକ୍ତି କମ୍‍

ଭୁବନେଶ୍ୱର : ବିଗତ ସାତ ବର୍ଷ ମଧ୍ୟରେ ରାଜ୍ୟରେ ପାଖାପାଖି ୬୦ହଜାର ଯୁବକ ଯୁବତୀଙ୍କୁ ଦକ୍ଷତା ତାଲିମ ପ୍ରଦାନ କରାଯାଇଥିବାବେଳେ ସେମାନଙ୍କ ମଧ୍ୟରୁ ୨୦ହଜାର ବି ନିଯୁକ୍ତି ପାଇନାହାନ୍ତି । ଏହି ତାଲିମ ବାବଦରେ କେନ୍ଦ୍ର ସରକାର ପ୍ରାୟ ୨୭କୋଟିରୁ ଅଧିକ ଟଙ୍କା ଯୋଗାଇ ଦେଇଛନ୍ତି ।

ମିଳିଥିବା ସୂଚନା ଅନୁଯାୟୀ ୨୦୧୫-୧୬ ରୁ ୨୦୨୧-୨୨ ବର୍ଷ ମଧ୍ୟରେ ମୋଟ୍‍ ୫୯,୯୫୩ ଜଣ ଯୁବକ ଯୁବତୀଙ୍କୁ ଦକ୍ଷତା ବିକାଶ ତାଲିମ ପ୍ରଦାନ କରାଯାଇଛି । ଏହି ତାଲିମ କାର୍ଯ୍ୟକ୍ରମ ବିଭିନ୍ନ ସଂସ୍ଥା ମାନଙ୍କ ଦ୍ୱାରା ହୋଇଛି । ୨୦୧୫-୧୬ ବର୍ଷରେ ୩୦ଟି ସଂସ୍ଥା ମାଧ୍ୟମରେ ୧୩,୧୮୧ ଜଣଙ୍କୁ ତାଲିମ ପ୍ରଦାନ କରାଯାଇଥିବାବେଳେ ୨୦୧୭-୧୮ ବର୍ଷରେ ସର୍ବଧିକ ୧୪,୧୭୮ଜଣଙ୍କୁ ତାଲିମ ପ୍ରଦାନ କରାଯାଇଥିଲା ।

ତେବେ ୨୦୨୧-୨୨ ବର୍ଷରେ ରାଜ୍ୟରେ ସବୁଠାରୁ କମ୍‍ ମାତ୍ର ୨୪୧୩ଜଣ ଯୁବକ ଯୁବତୀଙ୍କୁ ତାଲିମ ପ୍ରଦାନ କରାଯାଇଛି । ଏହି ସାତବର୍ଷ ମଧ୍ୟରେ ଦୁଇଟି ଆର୍ଥିକ ବର୍ଷ ୨୦୧୫-୧୬ ଏବଂ ୨୦୧୭-୧୮କୁ ବାଦ୍‍ ଦେଲେ ଅନ୍ୟ କୌଣସି ବର୍ଷ ତାଲିମ ପାଉଥିବା ଯୁବକ ଯୁବତୀଙ୍କ ସଂଖ୍ୟା ୧୦ହଜାର ଅତିକ୍ରମ କରିପାରି ନାହିଁ ।

ତେବେ ଦିନକୁ ଦିନ ତାଲିମ ପ୍ରତି ଆଗ୍ରହ କମୁଥିବାର କାରଣ ହେଉଛି ଏ କ୍ଷେତ୍ରରେ ନିଯୁକ୍ତିର ଅଭାବ ବୋଲି କୁହାଯାଉଛି । ସାତବର୍ଷ ମଧ୍ୟରେ ପ୍ରାୟ ୬୦ହଜାର ଯୁବଗୋଷ୍ଠି ତାଲିମ ନେଇଥିବାବେଳେ ଏମାନଙ୍କ ମଧ୍ୟରୁ ୨୦ହଜାର ବି ନିଯୁକ୍ତି ପାଇପାରି ନାହାନ୍ତି । ୨୦୨୦-୨୧ ବର୍ଷରେ ରାଜ୍ୟରେ ମାତ୍ର ୮୭୬ ତାଲିମପ୍ରାପ୍ତ ନିଯୁକ୍ତି ପାଇଥିବା ଜଣାଯାଇଛି । ତେବେ ଏହି ସାତବର୍ଷ ମଧ୍ୟରେ ମୋଟ୍‍ ୧୯,୨୯୫ଜଣ ତାଲିମ ପାଇଥିବା ସରକାରୀ ଭାବେ ଦର୍ଶାଯାଇଛି ।

ମିଳିଥିବା ସୂଚନା ଅନୁଯାୟୀ ଯେଉଁମାନେ ବି ତାଲିମ ପରେ ନିଯୁକ୍ତି ପାଉଛନ୍ତି ସେମାନଙ୍କୁ ଅତି କମ୍‍ ପରିମାଣର ପାରିଶ୍ରମିକ ମିଳୁଛି । ବିଭିନ୍ନ ନିଯୁକ୍ତି ମେଳା ଜରିଆରେ ଆସୁଥିବା ଅନ୍ୟ ରାଜ୍ୟର କମ୍ପାନୀମାନେ କମ୍‍ ପାରିଶ୍ରମିକ ପ୍ରଦାନ କରୁଥିବା କୁଶଳୀ ଯୁବକ ଯୁବତୀମାନେ ରାଜ୍ୟ ବାହାରେ ଏତେ କମ୍‍ ଅର୍ଥରେ କାମ କରିବାକୁ ରାଜି ହେଉନାହାନ୍ତି । ରାଜ୍ୟ ଭିତରେ ଆବଶ୍ୟକ କର୍ମସଂସ୍ଥାନ ନଥିବାରୁ ଦିନ ଯୁବଗୋଷ୍ଠି ତାଲିମ ପ୍ରତି ବିମୁଖ ହେଉଛନ୍ତି ।

ଅନ୍ୟ ପକ୍ଷରେ ଯୁବଗୋଷ୍ଠିଙ୍କୁ ତାଲିମ ପାଇଁ କେନ୍ଦ୍ର ସରକାର ୨୦୧୭-୧୮ ଏବଂ ୨୦୧୮-୧୯ ବର୍ଷରେ ମୋଟ୍‍ ୨୭,୭୧,୪୯,୧୮୪କୋଟି ଟଙ୍କା ଯୋଗାଇ ଦେଇଛନ୍ତି । ପ୍ରଧାନ ମନ୍ତ୍ରୀ କୌଶଳ ବିକାଶ ଯୋଜନାରେ କେନ୍ଦ୍ର ସରକାର ଏହି ଅର୍ଥ ଯୋଗାଇ ଦେଇଥିବାବେଳେ ରାଜ୍ୟ ସରକାର ମଧ୍ୟ ତାଙ୍କ ବଜେଟ୍‍ରେ ଅର୍ଥ ବ୍ୟବସ୍ଥା କରିଛନ୍ତି ।

୨୦୨୧-୨୨ଆର୍ଥିକବର୍ଷରେ ବିଶ୍ୱବ୍ୟାଙ୍କର ସଙ୍କଳ୍ପ ଯୋଜନାରେ ୨କୋଟି ଟଙ୍କାର ବ୍ୟବସ୍ଥା ହୋଇଥିବାବେଳେ ଦକ୍ଷତା ବିକାଶ ମିଶନ ପ୍ରତିଷ୍ଠା ପାଇଁ ୧କୋଟି ୧୩ଲକ୍ଷ, ମାଓ ଅଧ୍ୟୁଷିତ ଜିଳ୍ଲାରେ ଯୁବକଙ୍କ ଦକ୍ଷତା ବିକାଶ ପାଇଁ ୩କୋଟି ଟଙ୍କା, ଓଡିଶା ନିଯୁକ୍ତି ମିଶନ ପାଇଁ ୫୦ଲକ୍ଷ, ଏଡିବି ସହାୟତାରେ ଓଡିଶା ଦକ୍ଷତା ବିକାଶ ପ୍ରକଳ୍ପ ପାଇଁ ୧୦୦ କୋଟି ଏବଂ ଦକ୍ଷତା ବିକାଶ ସହିତ ନିଯୁକ୍ତି ସୃଷ୍ଟି ଲାଗି ସାଢେ ୪କୋଟି ଟଙ୍କାର ବ୍ୟବସ୍ଥା ହୋଇଛି । (ତଥ୍ୟ)

LEAVE A REPLY

Please enter your comment!
Please enter your name here