Home General ତ୍ରୁଟିପୂର୍ଣ୍ଣ ଗାନ୍ଧୀ ଫଳକ ହଟିବ

ତ୍ରୁଟିପୂର୍ଣ୍ଣ ଗାନ୍ଧୀ ଫଳକ ହଟିବ

152
0

ଭୁବନେଶ୍ୱର : ପୁରୀ ରେଳଷ୍ଟେସନରେ ବସାଯାଇଥିବା ତ୍ରୁଟିପୂର୍ଣ୍ଣ ତ୍ରିଭାଷୀ ଗାନ୍ଧୀ ଫଳକକୁ ଅପସାରଣ କରି ସେଠାରେ ସଠିକ ତଥ୍ୟ ଯୁକ୍ତ ଫଳକ ସ୍ଥାପନ ପାଇଁ ରେଳ ବିଭାଗ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି । ଏ ପ୍ରସଙ୍ଗରେ ପୂର୍ବତଟ ରେଳ କର୍ତ୍ତୃପକ୍ଷ ଇତି ମଧ୍ୟରେ ବିଶେଷଜ୍ଞମାନଙ୍କ ସହ ଆଲୋଚନା ଆରମ୍ଭ କରିଛନ୍ତି ।

ଏଠାରେ ଉଲ୍ଲେଖନୀୟ ଯେ ୧୯୨୧, ୧୯୨୭ ଓ ୧୯୩୪ ମସିହାରେ ଜାତିର ଜନକ ମହାତ୍ମାଗାନ୍ଧୀ ୩ଥର ରେଳ ଯୋଗେ ପୁରୀ ଆସିଛନ୍ତି । ୧୯୩୯ରେ ଗାନ୍ଧୀଜୀ ପୁରୀ ଆସିନଥିଲେ ମଧ୍ୟ କେତେକ ବିଭ୍ରାନ୍ତିକର ତଥ୍ୟ ସହ ଓଡିଆ, ଇଂରାଜୀ ଓ ହିନ୍ଦୀ ଭାଷାରେ ପୁରୀ ରେଳଷ୍ଟେସନ ପ୍ରବେଶପଥରେ ଗାନ୍ଧୀ ଫଳକ ଲାଗିଛି ।

ଏହି ଫଳକରେ ଥିବା ତଥ୍ୟ ଶ୍ରୀଜଗନ୍ନାଥ ସଂସ୍କୃତି ଓ ଗାନ୍ଧୀଜୀଙ୍କ ବିଚାରଧାରା ପ୍ରତି ଅପମାନ ବୋଲି ଅଭିଯୋଗ କରି ତାହାର ତ୍ରୁଟି ସଂଶୋଧନ ପାଇଁ ପୂର୍ବରୁ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲେ ମଧ୍ୟ ସ୍ଥାନୀୟ ରେଳ କର୍ତ୍ତୃପକ୍ଷ ଏହାକୁ ହାଲକା ଭାବରେ ଗ୍ରହଣ କରି ଦୀର୍ଘଦିନ ଧରି ଏହି ଫଳ ଲାଗିଥିବାରୁ ତାହାକୁ ଅପସାରଣ କରାଯିବନାହିଁ ବୋଲି ରୋକଠୋକ୍‍ ଭାବେ କହିଥିଲେ ।

ଏ ପ୍ରସଙ୍ଗରେ ପରବର୍ତ୍ତୀ ସମୟରେ କେତେଜଣ ଗାନ୍ଧୀବାଦୀ ଚିନ୍ତକ ପ୍ରଧାନମନ୍ତ୍ରୀ ଓ ରେଳମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ବାରମ୍ବାର ଏ ପ୍ରସଙ୍ଗ ଗଣମାଧ୍ୟମରେ ବି ଚର୍ଚ୍ଚିତ ହେଉଛି । ଚଳିତବର୍ଷକୁ ଗାନ୍ଧୀଜୀଙ୍କ ଓଡିଶା ଆଗମନର ଶତବାର୍ଷିକୀ ଭାବେ ପାଳନ କରିବାଲାଗି ଉଭୟ ସରକାରୀ ଓ ବେସରକାରୀ ସ୍ତରରେ ବ୍ୟାପକ ପ୍ରସ୍ତୁତି ଚାଲିଛି ।

ଏଠାରେ ଉଲ୍ଲେଖନୀୟ ଯେ ୧୯୨୧ ମାର୍ଚ୍ଚ, ୨୩ରୁ ୨୯ତାରିଖ ପର୍ଯ୍ୟନ୍ତ ଗାନ୍ଧୀଜୀଙ୍କର ସପ୍ତାହବ୍ୟାପି ଓଡିଶାଗସ୍ତ ଥିଲା ଏବଂ ଏହି ଅବସରରେ ସେ କଟକ, ଭଦ୍ରକ, ସାକ୍ଷୀଗୋପାଳ, ପୁରୀ ଓ ବ୍ରହ୍ମପୁରରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବା ସଂଗେ ସଂଗେ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ସହ ଶ୍ରୀମନ୍ଦିର ଯାଇ ଶ୍ରୀଜୀଉମାନଙ୍କୁ ଦର୍ଶନ କରିଥିଲେ ।

ପରବର୍ତ୍ତୀ ସମୟରେ ଗାନ୍ଧୀଜୀ ଦେଶ ସାରା ଅସ୍ପୃଶ୍ୟତା ନିବାରଣ ଅଭିଯାନ ଚଳାଇବାବେଳେ ଯେଉଁଠି ହରିଜନମାନଙ୍କ ମନ୍ଦିର ପ୍ରବେଶକୁ ବିରୋଧ କରାଯାଇଛି ସେହି ମନ୍ଦିରକୁ ସେ ଯିବେନାହିଁ ବୋଲି ଉଲ୍ଲେଖ କରିବା ସହ ପବିତ୍ର ଜଗନ୍ନାଥଧାମରୁ ୧୯୩୪ମଇ ମାସରେ ତାଙ୍କର ଓଡିଶା ପଦଯାତ୍ରା ଆରମ୍ଭ କରିଥିଲେ ।

ବିଳମ୍ବରେ ହେଲେ ମଧ୍ୟ ରେଳବାଇ କର୍ତ୍ତୃପକ୍ଷ ତ୍ରୁଟି ସଂଶୋଧନ ପାଇଁ ପଦକ୍ଷେପ ନେଉଥିବାରୁ ବିଭିନ୍ନ ମହଲରେ ଆନନ୍ଦ ପ୍ରକାଶ ପାଇଛି । ତେବେ ତରବରିଆ ଭାବେ ନୂଆ ଫଳକ ନବସାଇ ବିଷୟ ବିଶେଷଜ୍ଞମାନଙ୍କୁ ନେଇ ଏକ କମିଟି କରି ସେମାନଙ୍କ ଠାରୁ ପ୍ରାପ୍ତ ତଥ୍ୟ ଆଧାରରେ ନୂଆ ଗାନ୍ଧୀ ଫଳକ ବସାଇବାକୁ ରେଳବାଇ କର୍ତ୍ତୃପକ୍ଷ କାର୍ଯ୍ୟ ଆରମ୍ଭ କରିଛନ୍ତି । ଏହାଛଡା ଗାନ୍ଧୀଜୀ ତାଙ୍କ ଓଡିଶା ଗସ୍ତ ବେଳେ ଯେଉଁସବୁ ରେଳ ଷ୍ଟେସନରେ ଓହ୍ଲାଇଥିଲେ ସେସବୁ ସ୍ଥାନରେ ମଧ୍ୟ ଗାନ୍ଧୀଫଳକ ଲଗାଇବାକୁ ଗାନ୍ଧୀ-ଓଡିଶା ୧୦୦ କମିଟି ପକ୍ଷରୁ ପ୍ରସ୍ତାବ ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here