Home Health ତୋରାଣି ତତ୍ୱକୁ ମିଳୁନି ସ୍ୱୀକୃତି

ତୋରାଣି ତତ୍ୱକୁ ମିଳୁନି ସ୍ୱୀକୃତି

ଭୁବନେଶ୍ୱର : ପଖାଳ ତୋରାଣି ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରୁଥିବା ପ୍ରସଙ୍ଗରେ ଭୁବନେଶ୍ୱର ଏମ୍‍ସର ଅଣୁଜୀବ ବିଜ୍ଞାନୀ (ମାଇକ୍ରୋ ବାୟୋଲୋଜିଷ୍ଟ) ଆବିଷ୍କୃତ ତଥ୍ୟକୁ ଏଯାବତ୍‍ କେନ୍ଦ୍ର ସରକାରଙ୍କ ଆଇସିଏମଆର କିମ୍ବା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଗ୍ରହଣ କରିନାହିଁ ।

କରୋନା ପ୍ରତିଷେଧ, ଚିକିତ୍ସା ଓ ରୋଗ ପରବର୍ତ୍ତୀ ସର୍ତକତା ସଂକ୍ରାନ୍ତରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ, କେନ୍ଦ୍ର ଓ ରାଜ୍ୟ ସରକାର ଯେଉଁସବୁ ମାର୍ଗନିର୍ଦ୍ଦେଶିକା ରଖିଛନ୍ତି ସେଥିରେ ଏଯାବତ୍‍ ପଖାଳ ତୋରାଣି ସାମିଲ ହୋଇନାହିଁ । ଗୋଟିଏ ପଟେ ସରକାରୀ ମାର୍ଗନିର୍ଦ୍ଦେଶିକାରେ ଉଷୁମ ପାଣି ପିଇବାକୁ କୁହାଯାଉଥିବାବେଳେ ଅନ୍ୟପଟେ ଏମ୍‍ସ ଅଣୁଜୀବ ବିଜ୍ଞାନୀଙ୍କ ଆବିଷ୍କୃତ ପଖାଳ ତୋରାଣି ତତ୍ୱ ତାହାର ବିରୁଦ୍ଧାଚରଣ କରୁଛି ।

ବିଶେଷକରି ବର୍ଷା ଓ ଶୀତ ଦିନେ ଶର୍ଦ୍ଦି, ଥଣ୍ଡା, କଫ ଆଦି ରୋଗ ବଢିଥାଏ । ଏହି ରୋଗୀ ଏବଂ ଅନ୍ୟ ବହୁ ରୋଗରେ ସଂକ୍ରମିତ ଲୋକଙ୍କୁ ସାଧାରଣତଃ ଡାକ୍ତରମାନେ ପଖାଳ ଖାଇବାକୁ ବାରଣ କରିଥାନ୍ତି । କିନ୍ତୁ ଏମ୍‍ସର ଅଣୁଜୀବ ବିଜ୍ଞାନୀଙ୍କ ଆବିଷ୍କୃତ ତୋରାଣି ତତ୍ୱ ଗଣମାଧ୍ୟମରେ ବହୁଳ ପ୍ରଚାରିତ ହେବାପରେ ବିନା ଡାକ୍ତରୀ ପରାମର୍ଶରେ ଅନେକ ଲୋକ ବାସିପଖାଳ ଖାଇବାରେ ଲାଗିଛନ୍ତି । ଏମିତିକି ରକ୍ତରେ ଅଧିକ ଶର୍କରା ରହୁଥିବା ଯେଉଁ ରୋଗୀମାନଙ୍କୁ ଡାକ୍ତର ଭାତ ବଦଳରେ ରୁଟି ଖାଇବାକୁ ପରାମର୍ଶ ଦେଇଥାନ୍ତି ସେମାନଙ୍କ ମଧ୍ୟରୁ କେତେକ ବି ଏବେ ବର୍ଷାଦିନେ ନିୟମିତ ପଖାଳ ଖାଇ ରକ୍ତ ଶର୍କରା ବଢାଉଛନ୍ତି ।

ଡାକ୍ତରମାନେ କହୁଛନ୍ତି ଯେ ପଖାଳ ସମେତ ଆଉ କେତେକ ଦେଶୀୟ ପଦାର୍ଥ ଯେଉଁମାନେ ବର୍ଷ ବର୍ଷ ଧରି ଖାଇ ଆସୁଛନ୍ତି ସେମାନଙ୍କ ଲାଗି ଖରାଦିନେ ପଖାଳ ବରଦାନ ସଦୃଶ ହୋଇଥାଏ । ବିଶେଷକରି ଡିହାଇଡ୍ରେସନ ରୋକିବାକ୍ଷେତ୍ରରେ ଅଂଶୁଘାତ ସମୟରେ ତୋରାଣିର ବିଶେଷ ଆବଶ୍ୟକତା ଥାଏ । ଏମିତିକି ଅଂଶୁଘାତ ସମୟରେ ତୋରାଣି ପିଇବାପାଇଁ ବି ସରକାର ବିଜ୍ଞାପନ ମାଧ୍ୟମରେ ପ୍ରୋତ୍ସାହିତ କରିଥାନ୍ତି । ଶ୍ରୀମନ୍ଦିରର ଅନ୍ନ ପ୍ରସାଦରୁ ପ୍ରସ୍ତୁତ ଟଙ୍କତୋରାଣି ବି ଖରାଦିନେ ବରଦାୟିନୀ ହୋଇଥାଏ ।

ଡାକ୍ତରମାନଙ୍କ ମତରେ ଏବେ କରୋନା ପରିପ୍ରେକ୍ଷୀରେ ଅଧିକାଂଶ ଦିନ ନୂଆ ନୂଆ ଉପଚାର ସଂକ୍ରାନ୍ତୀୟ ସମ୍ବାଦ ଗଣମାଧ୍ୟମରେ ପ୍ରକାଶ ପାଉଛି । ତେବେ ଆଇସିଏମଆର ସମେତ କେନ୍ଦ୍ର ଓ ରାଜ୍ୟ ସରକାର ପରୀକ୍ଷା ନିରୀକ୍ଷା କରି ଯେପର୍ଯ୍ୟନ୍ତ ଏହି ନୂଆ ନୂଆ ଉପଚାରର ଉପଯୋଗ ଲାଗି ମାର୍ଗନିର୍ଦ୍ଦେଶିକା ଜାରି ନକରିଛନ୍ତି ସେପର୍ଯ୍ୟନ୍ତ ଲୋକେ ମନଇଚ୍ଛା ଏଗୁଡିକର ବ୍ୟବହାର କରିବା ଉଚିତ ନୁହେଁ । ଏମିତିକି ବିଭିନ୍ନ ରୋଗରେ ପୀଡିତ ଲୋକଙ୍କ ଉପରେ ବାସି ତୋରାଣିର କ’ଣ ପ୍ରଭାବ ରହିବ ସେ ସଂକ୍ରାନ୍ତରେ ଡାକ୍ତରମାନଙ୍କ ପରାମର୍ଶ ନନେଇ ସେବନ କରିବା ଅନୁଚିତ । (ତଥ୍ୟ)