Home Health ତୃତୀୟ ଲହର ମୁକାବିଲା ପାଇଁ ଅକ୍ସିଜେନ ପ୍ରସ୍ତୁତ

ତୃତୀୟ ଲହର ମୁକାବିଲା ପାଇଁ ଅକ୍ସିଜେନ ପ୍ରସ୍ତୁତ

ଭୁବନେଶ୍ୱର : ରାଜ୍ୟରେ ବୃଦ୍ଧି ପାଉଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଆବଶ୍ୟକ ସାଜ ସରଞ୍ଜାମ ସହିତ ଔଷଧ ଓ ଅକ୍ସିଜେନ ଉପରେ ଗୁରତ୍ୱ ଦେଉଛନ୍ତି । କୋଭିଡର ଦ୍ୱିତୀୟ ଲହର ସମୟରେ ବ୍ୟାପକ ପରିମାଣରେ ଅକ୍ସିଜେନ ଆବଶ୍ୟକତାକୁ ଦୃଷ୍ଟିରେ ରଖି ସରକାର ୭୦ରୁ ୮୨ଟି ପିଏସ୍‍ଏ ଅକ୍ସିଜେନ ପ୍ଲାଣ୍ଟ କାର୍ଯ୍ୟକ୍ଷମ କରିଛନ୍ତି ।

ଏଥି ସହିତ ରାଜ୍ୟ ସରକାର ୧୫ଟି ତରଳ ମେଡିକାଲ ଅକ୍ସିଜେନ ପ୍ଲାଣ୍ଟ ବସାଇଛନ୍ତି । ୧୪ଟି ତରଳ ମେଡିକାଲ ଅକ୍ସିଜେନ ପ୍ଲାଣ୍ଟର ସିଭିଲ ଓ ବିଦ୍ୟୁତ୍‍ କାର୍ଯ୍ୟ ସରିଥିବାବେଳେ ପୁରୀଠାରେ ଥିବା ପ୍ଲାଣ୍ଟର ସିଭିଲ କାର୍ଯ୍ୟ ସଡକ ସଂଯୋଗ ପରେ ସମ୍ପୂର୍ଣ୍ଣ ହେବ । କ୍ୟାପିଟାଲ ହସ୍ପିଟାଲରେ ତରଳ ମେଡିକାଲ ଅକ୍ସିଜେନ ପ୍ଲାଣ୍ଟରେ ଭେସେଲ ସ୍ଥାପନ ହୋଇଥିବାବେଳେ ଏସ୍‍ସିବି ଓ ଭିମସାରରେ ଏହା ଖୁବ୍‍ଶୀଘ୍ର ହେବ । ୨୦୨୨ ଫେବୃୟାରୀ ସୁଦ୍ଧା ଅବଶିଷ୍ଟ ୧୪ଟି ଟି ଡାକ୍ତରଖାନାରେ ପର୍ଯ୍ୟାୟକ୍ରମେ ଏହା ସ୍ଥାପନ କରାଯିବ ।
ସୂଚନା ଅନୁଯାୟୀ ୩୪୭ ମେଟ୍ରିକ ଟନ୍‍ କ୍ଷମତା ବିଶିଷ୍ଟ ୮୨ହଜାର ଅକ୍ସିଜେନ ସିଲିଣ୍ଡର ଏବଂ ୮ହଜାର ଅକ୍ସିଜେନ କନସେନଟ୍ରେଟର ସ୍ୱାସ୍ଥ୍ୟକେନ୍ଦ୍ରଗୁଡିକରେ ଉପଲବ୍ଧ ଅଛି । ଦ୍ୱିତୀୟ ଲହରର ପିକ୍‍ ସମୟରେ ରାଜ୍ୟରେ ଦୈନିକ ୬୯.୭୮ ମେଟ୍ରିକ ଟନ୍‍ ଅକ୍ସିଜେନ ଆବଶ୍ୟକ ହେଉଥିଲା । ଏହାକୁ ଦୃଷ୍ଟିରେ ରଖି ସିଲିଣ୍ଡର ମାଧ୍ୟମରେ ଦୈନିକ ୧୫୫.୫୧ ଟନ୍‍ ଏବଂ ତରଳ ମେଡିକାଲ ଅକ୍ସିଜେନ ଆକାରରେ ଦୈନିକ ୩୭୫ ଟନ୍‍ ଅକ୍ସିଜେନ୍‍ ଉତ୍ପାଦିତ ହେଉଛି ।

ସେହିଭଳି ସମଗ୍ର ରାଜ୍ୟର ୧୩୭୪ ଆଇସିୟୁ/ଏଚ୍‍ଡିୟୁ ଓ ୬୨୪ଟି ଭେଣ୍ଟିଲେଟର ଶଯ୍ୟା ସହିତ ମୋଟ ୬୬୮୫ ଟି ଶଯ୍ୟା ବୟସ୍କଙ୍କ ପାଇଁ ପ୍ରସ୍ତୁତ ହୋଇ ରହିଛି । ଅନୁରୂପ ଭାବେ ୨୪୨ଟି ଆଇସିୟୁ/ଏଚ୍‍ଡିୟୁ ଓ ୧୧୦ଟି ଭେଣ୍ଟିଲେଟର ଶଯ୍ୟା ସହିତ ୧୧୭୯ଟି ଶଯ୍ୟା ଶିଶୁଙ୍କ ପାଇଁ ପ୍ରସ୍ତୁତ ହୋଇଛି ।

ବର୍ତ୍ତମାନ ଲକ୍ଷ୍ୟ କରାଯାଉଛି ଯେ ୯୭ ପ୍ରତିଶତ ସଂକ୍ରମିତ ଡାକ୍ତରଖାନାରେ ଭର୍ତ୍ତି ହେଉନାହାନ୍ତି । ଫଳରେ ମହଜୁଦ ଥିବା ଶଯ୍ୟାର ୩%, ଆଇସିୟୁର ୧୧% ଏବଂ ଭେଣ୍ଟିଲେଟରର ୩% ବ୍ୟବହାର ହେଉଛି । ଆବଶ୍ୟକ ପରିମାଣ ଔଷଧ ମହଜୁଦ ପାଇଁ ପ୍ରତ୍ୟେକ ଜିଲ୍ଲାକୁ ଔଷଧ ଏବଂ ଆବଶ୍ୟକ ସାଜ ସରଞ୍ଜାମ ପଠାଯାଉଛି ।

ଓମିକ୍ରନ ସଂକ୍ରମଣ ମୁକାବିଲା ପାଇଁ କର୍ତ୍ତୃପକ୍ଷ ଏବେ କଣ୍ଟେନମେଣ୍ଟ ଓ ନିରୀକ୍ଷଣ ଉପରେ ଜୋର ଦେବା ସହିତ ବିଦେଶ ଫେରନ୍ତାଙ୍କ ଉପରେ ତୀକ୍ଷ୍ଣ ନଜର ରଖିଛନ୍ତି । ଜରୁରୀ ସମୟରେ ଲୋକଙ୍କୁ ସଚେତନ ସହିତ ଗୋଷ୍ଠି ସହାୟତାକୁ ପ୍ରୋତ୍ସାହିତ କରାଯାଉଛି । ଚିକିତ୍ସା କ୍ଷେତ୍ରରେ ଉନ୍ନତି ଆଣିବାପାଇଁ ଡାକ୍ତର ଏବଂ ସ୍ୱାସ୍ଥ୍ୟକର୍ମୀମାନଙ୍କୁ ଦକ୍ଷତା ବୃଦ୍ଧି କରାଯାଉଛି ।

ବର୍ତ୍ତମାନ ରାଜ୍ୟର ୧୫ରୁ ୧୮ବର୍ଷ ବୟସର ପିଲାଙ୍କ ସହିତ ବୟସ୍କ ଲୋକଙ୍କୁ ବୁଷ୍ଟର ଡୋଜ୍‍ ଦେବା ଉପରେ ସର୍ବାଧିକ ଗୁରୁତ୍ୱ ଦିଆଯାଉଛି । ରାଜ୍ୟରେ ୧୭,୫୨,୮୩୮ଜଣ ବୁଷ୍ଟର ଡୋଜ୍‍ ନେବାକୁ ଥିବାବେଳେ ୨୨୭୬ଟି କେନ୍ଦ୍ରରେ ଟିକାକରଣ ଚାଲିଥିବା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି । (ତଥ୍ୟ)