Home General ତିନି ହଜାର କଳାତାଲିକାଭୁକ୍ତ

ତିନି ହଜାର କଳାତାଲିକାଭୁକ୍ତ

ଭୁବନେଶ୍ୱର : ରାଜ୍ୟ ସରକାର ପ୍ରତିଷ୍ଠା କରିଥିବା ସାଇବର ସୁରକ୍ଷା ପରିଚାଳନା କେନ୍ଦ୍ର ଇତି ମଧ୍ୟରେ ପ୍ରାୟ ୩ହଜାର ସାଇବର ଆକ୍ରମଣ କରୁଥିବା ଆଇପିକୁ କଳାତାଲିକାଭୁକ୍ତ କରିସାରିଲାଣି । ଏମାନେ ଆଉ ଷ୍ଟେଟ ଡାଟା ସେଣ୍ଟର କିମ୍ବା ଆଇଟି ସେଣ୍ଟର ଅଧିନରେ ଥିବା କୌଣସି ୱେବସାଇଟ୍‍ରେ ପ୍ରବେଶ କରିପାରୁ ନାହାନ୍ତି । ସାଇବର ଆକ୍ରମଣ ଉଦ୍ୟମ କରିଥିବା ଏହି ଆଇପି ମଧ୍ୟରୁ ଅଧିକାଂଶ ୟୁରୋପୀୟ ଦେଶର ବୋଲି ସୂଚନା ମିଳିଛି ।

ରାଜ୍ୟ ଇଲେକଟ୍ରୋନିକ୍ସ ଓ ଆଇଟି ବିଭାଗ ଏବଂ ଓଡିଶା କମ୍ପ୍ୟୁଟର ଆପ୍ଲିକେଶନ ସେଣ୍ଟର (ଓକାକ)ର ମିଳିତ ଉଦ୍ୟମରେ ଏହି ଅତ୍ୟାଧୁନିକ ସାଇବର ସୁରକ୍ଷା ପରିଚାଳନା କେନ୍ଦ୍ର ପ୍ରତିଷ୍ଠା କରାଯାଇଛି । ଏହାର ପ୍ରାରମ୍ଭିକ କାର୍ଯ୍ୟ ହେଉଛି ସରକାରୀ ସଂସ୍ଥାଗୁଡିକୁ ସାଇବ ଆକ୍ରମଣରୁ ରକ୍ଷା କରିବା । ବିଶେଷକରି ରାଜ୍ୟ ସରକାରଙ୍କ ୱେବସାଇଟ୍‍ ସହିତ ସରକାରୀ ସଂସ୍ଥାକୁ ମଧ୍ୟ ସୁରକ୍ଷା ଯୋଗାଇବ । ପ୍ରଥମ ପର୍ଯ୍ୟାୟରେ ଏହା ଷ୍ଟେଟ ଡାଟା ସେଣ୍ଟର ଓ ଆଇଟି ସେଣ୍ଟର ଉପରେ ତୀକ୍ଷ୍ଣ ନଜର ରଖିଛି ।

ତେବେ ମିଳିଥିବା ସୂଚନା ଅନୁଯାୟୀ ଇତି ମଧ୍ୟରେ ପାଖପାଖି ୩ହଜାର ଆଇପିରୁ ସାଇବର ଆକ୍ରମଣ ଉଦ୍ୟମ ହୋଇଛି । ସାଇବର ଆକ୍ରମଣକୁ ଧରିବାପାଇଁ ବ୍ୟବହାର ହେଉଥିବା “ଇଣ୍ଟେଲ ଗିୟର” ମାଧ୍ୟରେ ଏମାନଙ୍କୁ ଠାବ କରାଯିବା ପରେ ସମ୍ପୂର୍ଣ୍ଣ ଭାବେ କଳାତାଲିକା ଭୁକ୍ତ କରାଯାଉଛି । ଫଳରେ ଭବିଷ୍ୟତରେ ସମାନ ଆଇପିରୁ ଆଉ ସାଇବର ଆକ୍ରମଣ ହୋଇପାରିବନାହିଁ । ଏହି ବ୍ୟବସ୍ଥା ସମ୍ପୂର୍ଣ୍ଣ ସ୍ୱୟଂଚାଳିତ ହେବା ଦିନ ରାତି କାର୍ଯ୍ୟ କରୁଛି ।

ଏହା ସହିତ ସାଇବର ସୁରକ୍ଷା କେନ୍ଦ୍ରରେ ନିୟୋଜିତ କର୍ମଚାରୀମାନେ ମଧ୍ୟ ଦିନ ରାତି ସାଇବର ଆକ୍ରମଣ ଉପରେ ନଜର ରଖିଛନ୍ତି । ଯଦି କୌଣସି ଆଇପିରୁ ଏକାଧିକ ଥର କୌଣସି ସରକାରୀ ୱେବସାଇଟ୍‍ ଖୋଲିବାକୁ ଉଦ୍ୟମ ହେଉଛି ତେବେ ପ୍ରଥମେ ତାହା ଉପରେ ସାମୟିକ ଭାବେ କଟକଣା ଲଗାଯାଉଛି । ବିଶେଷକରି ବିଳମ୍ବିତ ରାତ୍ରୀରେ ଏଭଳି ଉଦ୍ୟମ ଉପରେ କଡା ନଜର ରଖାଯାଉଛି । ଦଶ କିମ୍ବା ପନ୍ଦର ଦିନ ବାଦ୍‍ କଟକଣା ଉଠିଲା ପରେ ଯଦି ପୁଣି ସମ୍ପୃକ୍ତ ଆଇପି ପୂର୍ବବତ୍‍ ବ୍ୟବହାର କରୁଛି ତେବେ ତାହାକୁ ସମ୍ପୂର୍ଣ୍ଣଭାବେ କଳାତାଲିକାଭୁକ୍ତ କରାଯାଉଛି ।

ଏହି ସାଇବର ସୁରକ୍ଷା କେନ୍ଦ୍ର ଅତ୍ୟାଧୁନିକ ସୁରକ୍ଷା ବ୍ୟବସ୍ଥା ଏବଂ ଟୁଲ୍‍ ବ୍ୟବହାର କରିଥିବାବେଳେ ଏଠାରେ ସବୁ ପ୍ରକାର ସାଇବର ଆକ୍ରମଣକୁ ପ୍ରତିହତ କରିବାର ବ୍ୟବସ୍ଥା ରହିଛି । କୌଣସି ପ୍ରକାର ସାଇବର ସୁରକ୍ଷା ପ୍ରୟାସକୁ ଚିହ୍ନଟ କରିବା ସହିତ ଏ ସଂକ୍ରାନ୍ତରେ ସମସ୍ତ ପ୍ରକାର ଅନୁସନ୍ଧାନ କରିପାରିବ । ବର୍ତ୍ତମାନ ରାଜ୍ୟ ସରକାରଙ୍କ ଡାଟା ସେଣ୍ଟର, ଷ୍ଟେଟ ୱାଇଡ୍‍ ଏରିଆ ନେଟୱାର୍କ (ସ୍ୱାନ) ସହିତ ଯୋଡି ହୋଇଛି । ଭବିଷ୍ୟତରେ ଅଧିକରୁ ଅଧିକ ସରକାରୀ ସଂସ୍ଥା ଓ ସଂଗଠନ ଏହା ସହିତ ଯୋଡିହେବ ।

ଏଥି ସହିତ ଭବିଷ୍ୟତରେ ବଗ୍‍ ବାଉଣ୍ଟି, ରିଅଲ ଟାଇମ ଥ୍ରେଟ ଇଣ୍ଟଲିଜେନ୍ସ ଫିଡ୍‍, ଇଣ୍ଡିପେଣ୍ଡେଣ୍ଟ ସ୍କାଲାବେଲ୍‍ ଇନଫ୍ରାଷ୍ଟ୍ରକ୍‍ଚର ଆଦି ଉପଲବ୍ଧ ହେବ । ସାଇବର ସୁରକ୍ଷା କେନ୍ଦ୍ର ପାଇଁ ପାଖପାଖି ୫୦ କୋଟି ଟଙ୍କା ବ୍ୟୟ ହୋଇଥିବାବେଳେ ଏହା ଏବେ ସରକାରୀ ୱେବସାଇଟ୍‍ ଓ ତଥ୍ୟ ପାଇଁ ସୁରକ୍ଷା କବଚ ପାଲଟିଛି । (ତଥ୍ୟ)