Home Covid ତିନି ପ୍ରତିଶତରେ ଟିପିଆର

ତିନି ପ୍ରତିଶତରେ ଟିପିଆର


ଭୁବନେଶ୍ୱର : ରାଜ୍ୟ ସରକାରଙ୍କ କଣ୍ଟେନମେଣ୍ଟ ରଣକୌଶଳ ଯୋଗୁଁ ରାଜ୍ୟରେ କରୋନାର ଟେଷ୍ଟ ପଜିଟିଭ ରେଟ୍‍ (ଟିପିଆର) ଚଳିତ ସପ୍ତାହରେ ୩ପ୍ରତିଶତକୁ ହ୍ରାସ ପାଇଛି, ଯାହାକି ମଇ ପ୍ରଥମ ସପ୍ତାହରେ ୨୪ ପ୍ରତିଶତ ଥିଲା । ରାଜ୍ୟ ସରକାର ଯୋଜନାବଦ୍ଧ ଭାବେ ଲକଡାଉନ୍‍ ଜାରି କରିବା ସହିତ ଯେଉଁଠାରେ କୋଡିଡ ଚିହ୍ନଟ ହେଉଥିଲା ସେଠାରେ ମାଇକ୍ରୋ କଣ୍ଟେସନମେଣ୍ଟ ଜୋନ୍‍ କରୁଥିବା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ।

ଟିପିଆର ହ୍ରାସ ପାଇବା ଫଳରେ ରାଜ୍ୟ ସରକାର ପର୍ଯ୍ୟାୟକ୍ରମେ କମ୍‍ ସଂକ୍ରମଣ ଥିବାରୁ ଜିଲ୍ଲାରୁ ଲକଡାଉନ୍‍ ହଟାଇବା ଆରମ୍ଭ କରିଛନ୍ତି । ବର୍ତ୍ତମାନ ୪ ଜିଲ୍ଲା ପୁରୀ, ନୟାଗଡା, ଖୋରଧା ଓ କଟକ ଜିଲ୍ଲାରେ ଟିପିଆର ୫ ପ୍ରତିଶତ ଉପରେ ଥିବାବେଳେ ୧୭ ଜିଲ୍ଲାରେ ଏହା ୨ପ୍ରତିଶତରୁ କମ୍‍ ରହିଛି ।

ରାଜ୍ୟ ସରକାର ମହାମାରୀ ନିୟନ୍ତ୍ରଣ ପାଇଁ ଟେଷ୍ଟ-ଟ୍ରାକ-ଟ୍ରିଟ୍‍ ରଣନୀତି ଆପଣେଇବା ଫଳରେ ମାର୍ଚ୍ଚରେ ଦୈନିକ ହାରାହାରି ୨୫ହଜାର ପରୀକ୍ଷା ହେଉଥିବାବେଳେ ଜୁଲାଇରେ ଏହା ୭୫ହଜାର ହେଉଛି । ହେଉଥିବା କୋଭିଡ ପରୀକ୍ଷା ମଧ୍ୟରେ ୩୫ ପ୍ରତିଶତ ଆରଟି-ପିସିଆର ଥିବାବେଳେ ୬୫ ପ୍ରତିଶତ ଆଣ୍ଟିଜେନ୍‍ ପରୀକ୍ଷା । ଇତି ମଧ୍ୟରେ ୧୯ଜିଲ୍ଲାରେ ୩୩ ଆରଟି-ପିସିଆର ପରୀକ୍ଷାଗାର ପ୍ରତିଷ୍ଠା ହୋଇଛି । ଏହାକୁ ୩୦ ଜିଲ୍ଲାକୁ ସମ୍ପ୍ରସାରିତ ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି ।

କରୋନା ନିୟନ୍ତ୍ରଣ ପାଇଁ ମଇ ୨୪ରୁ ସରକାର ଘରକୁ ଘର ଅଭିଯାନ ଆରମ୍ଭ କରିଥିବାବେଳେ ଇତି ମଧ୍ୟରେ ପ୍ରଥମ ମାସରେ ୯୪.୫ଲକ୍ଷ ପରିବାର ନିକଟରେ ପହଞ୍ଚଥିବାବେଳେ ୯୯.୬୦ ପ୍ରତିଶତଙ୍କ ପରିବାର ନିକଟକୁ ଦୁଇଥର ପହଞ୍ଚି ସାରିଲେଣି । ଆଶା, ଅଙ୍ଗନବାଡି କର୍ମୀଙ୍କ ସକ୍ରିୟ ଅଭିଯାନ ଫଳରେ ଦେଢ ଲକ୍ଷ କୋଭିଡ ପଜିଟିଭ ଚିହ୍ନଟ ହୋଇଛନ୍ତି ।

୭୫ହଜାର ବ୍ୟକ୍ତିଙ୍କ ନିକଟରେ ବହୁବିଧ ରୋଗ ଯଥା ଉଚ୍ଚ ରକ୍ତଚାପ, ମଧୁମେହ, ଯକ୍ଷ୍ମା ଏବଂ ଯକୃତ ଓ କର୍କଟ ଭଳି ରୋଗ ଚିହ୍ନଟ ହେବା ସହିତ ସେମାନଙ୍କୁ ଚିକିତ୍ସା ସେବା ଯୋଗାଇ ଦିଆଯାଇଛି । ରାଜ୍ୟରେ ମୃତ୍ୟହାର ମାତ୍ର ୦.୫୧ ପ୍ରତିଶତ ରହିଛି ଯାହାକି ଦେଶରେ ସବୁଠାରୁ କମ୍‍ ।

ରାଜ୍ୟରେ ଇତି ମଧ୍ୟରେ ୪୪ଟି ମେଡିକାଲ ଅକ୍ସିଜେନ ପ୍ଲାଣ୍ଟ ପ୍ରତିଷ୍ଠା ହୋଇଛି । ଏଥିଯୋଗୁଁ ରାଜ୍ୟରେ ରାଜ୍ୟରେ ଦୈନିକ ୫୦ ଟନ୍‍ ଅକ୍ସିଜେନ ଆକଶ୍ୟକ ଥିବାବେଳେ ଦୈନିକ ୨୦୦ରୁ ୨୫୦ ଟନ୍‍ ଉତ୍ପାଦନ ହେଉଛି । ଅନ୍ୟ ପକ୍ଷରେ ଓଡିଶା ଦେଶର ୧୯ଟି ରାଜ୍ୟକୁ ୩୨ହଜାର ମେଟ୍ରିକ ଟନ୍‍ ଅକ୍ସିଜେନ ଯୋଗାଣ କରିଛି ।

ସେହିଭଳି ଜରୁରୀ ଔଷଧ ଯଥା ଫାବିପିରାଭର, ରେମଡେସିଭର, ଟୋସିଲିଜୁମାବ, ଅମ୍ଫୋଟେରିସିନ, ବି ପୋସାକୋନାଜୋଲ ଆଦି ପର୍ଯ୍ୟାପ୍ତ ପରିମାଣରେ ମହଜୁଦ ଅଛି । ଆବଶ୍ୟକତା ଅନୁଯାୟୀ ଏହାକୁ ତୁରନ୍ତ ଉପଲବ୍ଧ କରାଯାଇ ପାରିବ । ରାଜ୍ୟ ସରକାର ସମଗ୍ର ରାଜ୍ୟରେ କୋଭିଡ ଚିକିତ୍ସା ପାଇଁ ଭିତ୍ତିଭୂମି ପ୍ରତିଷ୍ଠା କରିଛନ୍ତି । ବର୍ତ୍ତମାନ ୮୭.୫ ପ୍ରତିଶତ ସାଧାରଣ ଶଯ୍ୟା, ୬୪.୪ ପ୍ରତିଶତ ଆଇସିୟୁ ଏବଂ ଏଚ୍‍ଡିୟୁ ବଳକା ରହିଛି । ତେଣୁ କରୋନାର ତୃତୀୟ ଲହର ମୁକାବିଲା ପାଇଁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ ଥିବା ଜଣାଯାଇଛି । (ତଥ୍ୟ)