Home Election ତିନି ଦଳ ପାଇଁ ସତର୍କ ଘଣ୍ଟି

ତିନି ଦଳ ପାଇଁ ସତର୍କ ଘଣ୍ଟି

ଭୁବନେଶ୍ୱର : ଚଳିତ ପଞ୍ଚାୟତ ନିର୍ବାଚନ ରାଜ୍ୟର ତିନି ପ୍ରମୁଖ ରାଜନୈତିକଦଳ ବିଜେଡି, ବିଜେପି ଓ କଂଗ୍ରେସ ପାଇଁ ବଡ ଆହ୍ୱାନ ହୋଇଛି । ମୁଣ୍ଡ ଉପରେ ଥିବା ପୌର ଓ ସମବାୟ ନିର୍ବାଚନ ଏବଂ ପରେ ପରେ ୨୦୨୪ରେ ହେବାକୁ ଯାଉଥିବା ସାଧାରଣ ନିର୍ବାଚନ ଲାଗି ଏହା ସତର୍କ ଘଣ୍ଟି ହେବ ବୋଲି ରାଜନୈତିକ ପର୍ଯ୍ୟବେକ୍ଷକମାନେ କହୁଛନ୍ତି ।

୨୦୧୭ର ପଞ୍ଚାୟତ ନିର୍ବାଚନରେ ୮୫୩ ଜିଲ୍ଲା ପରିଷଦ ଜୋନ୍‍ ଆସନରୁ ୮୪୬ଟିର ଫଳାଫଳ ପ୍ରକାଶ ପାଇଥିଲା ଏବଂ ସେଥିରେ ବିଜେଡି ସର୍ବାଧିକ ୪୭୩ଟି ଆସନ ହାସଲ କରିଥିବାବେଳେ ବିଜେପି ଦ୍ୱିତୀୟ ରାଜନୈତିକ ଶକ୍ତି ଭାବେ ଉଭା ହୋଇ ୨୯୭ଟି ଆସନ କବଜା କରିଥିଲା । ଦଳୀୟ ଭିତ୍ତିରେ ହୋଇଥିବା ଜିଲ୍ଲା ପରିଷଦ ନିର୍ବାଚନରେ କଂଗ୍ରେସ ସେତେବେଳେ ୬୦ଟି ଆସନ ଅକ୍ତିଆର କରିବାକୁ ସମର୍ଥ ହୋଇଥିବାବେଳେ ସ୍ୱାଧୀନ ପ୍ରାର୍ଥୀମାନେ ୧୧ଟି ଏବଂ ସିପିଏମ୍‍, ଜେଏମ୍‍ଏମ୍‍ ଓ ଆମଓଡିଶା ଦଳର ପ୍ରାର୍ଥୀମାନେ ଗୋଟିଏ କରି ଆସନ ଜିଣିବାରେ ସକ୍ଷମ ହୋଇଥିଲେ ।

୨୦୧୨ ପଞ୍ଚାୟତ ନିର୍ବାଚନ ତୁଳନାରେ ବିଜେଡି ୨୦୧୭ରେ କମ୍‍ ଆସନ ପାଇ ୩୦ରୁ ୨୦ଟି ଜିଲ୍ଲା ପରିଷଦ ସେତେବେଳେ ଦଖଲ କରିଥିବାବେଳେ ବିଜେପି ଖାତାକୁ ୯ଟି ଜିଲ୍ଲା ପରିଷଦ ଯାଇଥିଲା । ଏହାର ପରିଣାମ ସ୍ୱରୂପ ୨୦୧୯ର ସାଧାରଣ ର୍ନିବାଚନରେ ପଶ୍ଚିମଓଡିଶାର ସମସ୍ତ ଲୋକସଭା ଆସନ ବିଜେପି ଦଖଲ କରିବା ସହ ମୟୁରଭଞ୍ଜ, ବାଲେଶ୍ୱର ଓ ଭୁବନେଶ୍ୱର ଲୋକସଭା ଆସନରେ ମଧ୍ୟ ବିଜୟୀ ହୋଇଥିଲା ।

ଏଥର ବିଜେଡି ୩୦ଟି ଯାକ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦବୀ ହାତେଇବା ପାଇଁ ୨ବର୍ଷ ଧରି ଦୀର୍ଘମିଆଦୀ ରାଜନୈତିକ ଯୋଜନା ଚଳାଇଥିବାବେଳେ ବିଜେପି ମଧ୍ୟ ତାହାର ସ୍ଥିତିରେ ଉନ୍ନତି ଆଣିବାକୁ ଉଦ୍ୟମ କରୁଛି ଏବଂ ଗତ ପଞ୍ଚାୟତ ଓ ସାଧାରଣ ନିର୍ବାଚନରେ ରାଜ୍ୟରେ ତୃତୀୟ ସ୍ଥାନକୁ ଠେଲିହୋଇ ଯାଇଥିବା କଂଗ୍ରେସ ତାହାର ସ୍ଥିତିରେ ସୁଧାର ଆଣିବ ବୋଲି ଆଶା ରଖିଛି ।

କରୋନା ପରିପ୍ରେକ୍ଷୀରେ ପ୍ରଚାର ଅଭିଯାନ ଉପରେ କଟକଣା ରହିଥିବା ଦୃଷ୍ଟିରୁ ବ୍ୟକ୍ତିଗତ ସମ୍ପର୍କ ଓ ଦଳର ପତିଆରା ବିଭିନ୍ନ ପଦବୀ ପାଇଁ ପ୍ରାର୍ଥୀମାନଙ୍କ ବିଜୟର କାରଣ ହେବ । ଜିଲ୍ଲା ପରିଷଦ ଛଡା ଅନ୍ୟ ସମସ୍ତ ପଦବୀ ପାଇଁ ନିର୍ବାଚନ ଦଳୀୟ ଚିହ୍ନରେ ହେଉନଥିଲେ ମଧ୍ୟ ଗାଁ ଗହଳରେ ଲୋକେ ଜାଣନ୍ତି ଯେ କିଏ କେଉଁ ଦଳର ଓ କେଉଁ ନେତାଙ୍କ ପ୍ରାର୍ଥୀ । ବିଶେଷକରି ସରପଞ୍ଚ, ୱାର୍ଡମେମ୍ବର ଓ ସମିତି ସଦସ୍ୟ ପ୍ରାର୍ଥୀମାନେ ଜିଲ୍ଲା ପରିଷଦ ସଦସ୍ୟ ପ୍ରାର୍ଥୀଙ୍କ ବିଜୟ କିମ୍ବା ପରାଜୟର କାରଣ ହେବେ ।

ଏଥର ବିଜେଡି ଓ ବିଜେପିର ବହୁ ଆଶାୟୀ ସରପଞ୍ଚ ଓ ସମିତି ସଦସ୍ୟ ଓ ଜିଲ୍ଲା ପରିଷଦ ପଦବୀ ଲାଗି ପ୍ରାର୍ଥୀ ହୋଇଛନ୍ତି । ବିଦ୍ରୋହୀମାନଙ୍କୁ ବୁଝାସୁଝା କରି ଦୁଇ ଦିନ ମଧ୍ୟରେ ପ୍ରାର୍ଥୀପତ୍ର ପ୍ରତ୍ୟାହାର କ୍ଷେତ୍ରରେ ଯେଉଁ ଦଳ ଓ ନେତା କେତେ ସମର୍ଥ ହେଉଛନ୍ତି ତାହା ଉପରେ ବିଜୟର ସମ୍ଭାବନା ନିର୍ଭର କରୁଥିବାରୁ ଆଜି ଠାରୁ ୨୫ତାରିଖ ପର୍ଯ୍ୟନ୍ତ ମନ୍ତ୍ରୀ, ବିଧାୟକ, ସାଂସଦଙ୍କ ଠାରୁ ଆରମ୍ଭ କରି ଦଳୀୟ କର୍ମକର୍ତ୍ତା ଓ ପର୍ଯ୍ୟବେକ୍ଷକମାନେ ପୂରା ଦମ୍‍ରେ ଲାଗି ପଡିଛନ୍ତି । ଏହା ପରେ ଅବୁଝା ପ୍ରାର୍ଥୀମାନଙ୍କୁ ବିଭିନ୍ନ ଦଳ ନିଲମ୍ବନ କରିବାପାଇଁ ପ୍ରକ୍ରିୟା ଆରମ୍ଭ କରିବେବୋଲି କୁହାଯାଉଛି । (ତଥ୍ୟ)