Home Health ତମାଖୁ ମୁକ୍ତ ଓଡିଶା ପାଇଁ ସମସ୍ତଙ୍କ ସହଯୋଗ ଆବଶ୍ୟକ

ତମାଖୁ ମୁକ୍ତ ଓଡିଶା ପାଇଁ ସମସ୍ତଙ୍କ ସହଯୋଗ ଆବଶ୍ୟକ

ଭୁବନେଶ୍ୱର : ତମାଖୁ ମୁକ୍ତ ଓଡିଶା ତଥା ଦେଶ ଗଠନ ପାଇଁ ସମସ୍ତେ ମିଳିମିଶି କାର୍ଯ୍ୟ କରିବା ଆବଶ୍ୟକ । ବ୍ୟାପକ ଜନସଚତନତା ସହିତ ତମାଖୁ ନିୟନ୍ତ୍ରଣ ପାଇଁ ଥିବା କୋଟ୍‍ପା ଆଇନ୍‍ ଯେଭଳି କଡାକଡି ଭାବେ କାର୍ଯ୍ୟକାରୀ ହେବ ସେଥିପାଇଁ ସବୁ ସ୍ତରରେ ଉଦ୍ୟମ କରିବାକୁ ମତପ୍ରକାଶ ପାଇଛି ।

‘ନୋ ଟବାକୋ’ ଦିବସ ଅବସରରେ ରାଜ୍ୟର ଅଗ୍ରଣୀ ସ୍ୱେଚ୍ଛାସେବୀ ସଂସ୍ଥା ପିପୁଲସ କଲଚରାଣ ସେଣ୍ଟର (ପିକକ), ଇକୋସେଭର ୟୁଥ୍‍ ନେଟୱାର୍କ ଓଡିଶା, କୋଆଲିସନ ଫର ଟବାକୋ ଫ୍ରି ଓଡିଶା ପକ୍ଷରୁ ଆୟୋଜିତ ଏକ ୱେବିନାରରେ ବିଶେଷଜ୍ଞମାନେ ଉପରୋକ୍ତ ମତ ଦେଇଛନ୍ତି । ଇକୋ ସେଭର ୟୁଥ ନେଟୱାର୍କର ସଭାପତି ସ୍ତୁତି ରଞ୍ଜନ ପ୍ରଧାନଙ୍କ ପୌରହିତରେ ଆୟୋଜିତ ଏହି ୱେବିନାରରେ ପିକକର ସମ୍ପାଦକ ରଞ୍ଜନ କୁମାର ମହାନ୍ତି କହିଥିଲେ ଯେ କେବଳ ତମାଖୁ ସେବନ ଯୋଗୁଁ ଗୋଟିଏ ମିନିଟରେ ଜଣେ ବ୍ୟକ୍ତି ମୃତ୍ୟୁବରଣ କରୁଛନ୍ତି ।

ସିଗାରେଟରେ ପ୍ରାୟ ୪୦୦୦ ପ୍ରକାରର କ୍ଷତିକାରକ ରସାୟନିକ ସାମଗ୍ରୀ ରହୁଥିବାରୁ ସିଗାରେଟ ସେବନକାରୀଙ୍କ ସହିତ ସେମାନଙ୍କ ଆଖପାଖରେ ରହୁଥିବା ଲୋକେ ଅଧିକମାତ୍ରାରେ କ୍ଷତିଗ୍ରସ୍ତ ହେଉଛନ୍ତି । ତମାଖୁ ଏବେ ପରିବେଶସୁରକ୍ଷା ପାଇଁ ବଡ ଆହ୍ୱାନ ହୋଇଛି । ତେଣୁ ସୁସ୍ଥ ପରିବେଶ ପାଇଁ ସମ୍ପୂର୍ଣ୍ଣ ତମାଖୁ ବର୍ଜନ ସହିତ କୋଟପା ଆଇନ୍‍କୁ କଡାକଡି ସହିତ ତମାଖୁ ଖରିଦ ପାଇଁ ଥିବା ବୟସସୀମାକୁ ୧୮ରୁ ୨୧ ବର୍ଷ କରିବାପାଇଁ ଶ୍ରୀ ମହାନ୍ତି କହିଥିଲେ ।

ବିଶେଷଜ୍ଞ ଦୀପକ ମିଶ୍ର କହିଥିଲେ ଯେ ଯେଉଁ ପରିମାଣରେ ତମାଖୁ ପାଇଁ ଚାଷ ହେଉଛି ସେହି ପରିମାଣରେ ଶସ୍ୟ ଉତ୍ପାଦନ ହେଲେ ୧୦ ରୁ ୧୨ ନିୟୁତ ଲୋକଙ୍କୁ ଖାଦ୍ୟ ଯୋଗାଯାଇ ପାରନ୍ତା । ଧୂଆଁପତ୍ର ଭଳି ଚାଷ ଦ୍ୱାରା କେବଳ ମାଟିର ଉର୍ବରତା ନଷ୍ଟ ହେଉନାହିଁ ଜଳସ୍ତର ମଧ୍ୟ ହ୍ରାସ ହେଉଛି । ଏଥି ସହିତ ବିଶ୍ୱରେ ଯେତିକି ଗଛ କଟାଯାଉଛି ତାହାର ୫% କେବଳ ତମାଖୁ ପ୍ରସ୍ତୁତ ପାଇଁ ହେଉଛି । ଇ-ସିଗାରେଟ ଏବେ ସାମୁଦ୍ରିକ ପରିବେଶ ପ୍ରଦୂଷଣର ପ୍ରମୁଖ କାରଣ ପାଲଟିଥିବା ଶ୍ରୀ ମିଶ୍ର କହିଛନ୍ତି ।

ଏନ୍‍ସିଡିର ଷ୍ଟେଟ ନୋଡାଲ ଅଫିସର ଡାକ୍ତର ସୁଶାନ୍ତ କୁମାର ସ୍ୱାଇଁ କହିଥିଲେ ଯେ ୯୫ ପ୍ରତିଶତ ଅଣସଂକ୍ରାମକ ରୋଗର କାରଣ ହେଉଛି ତମାଖୁ ସେବନ । ୬୩% ଅଣ ସଂକ୍ରାମକ ରୋଗରେ ମୃତ୍ୟୁର କାରଣ ହେଉଛି ତମାଖୁ । ତେଣୁ ପିଲାମାନେ ଯେଭଳି ତମାଖୁ ଠାରୁ ଦୂରେଇ ରହିବେ ସେଥିପାଇଁ ବ୍ୟାପକ ସଚେତନତା ଉପରେ ସେ ଗୁରୁତ୍ୱ ଦେଇଥିଲେ । ପିକକର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶିକା ଅନୁରାଧା ମହାନ୍ତି ତମାଖୁ ସେବନର ଭୟାବହତା ସଂକ୍ରାନ୍ତରେ ଉଲ୍ଲେଖ କରିବା ସହିତ ଏହାକୁ ନିୟନ୍ତ୍ରଣ ପାଇଁ ବ୍ୟାପକ ଜନସଚେତନତା ଓ କୋଟ୍‍ପା ଆଇନ୍‍କୁ କଡାକଡି ଲାଗୁ ପାଇଁ କହିଥିଲେ ।

ଓଡିଶାର ବିଭିନ୍ନ ଅଞ୍ଚଳରୁ ୱେବିନାରରେ ଯୋଡିହୋଇଥିବା ଯୁବଗୋଷ୍ଠି ଓ ସ୍ୱେଚ୍ଛାସେବୀ ସଂଗଠନ ତମାଖୁ ନିୟନ୍ତ୍ରଣ ଓ ନିଷେଧ ଉପରେ ବିଶେଷଜ୍ଞମାନଙ୍କୁ ବିଭିନ୍ନ ପ୍ରଶ୍ନ ପଚାରିବା ସହିତ ସୁଚିନ୍ତିତ ପରାମର୍ଶମାନ ଦେଇଥିଲେ । ପିକକର ହରିହର ବଳବନ୍ତ ରାୟ ଧନ୍ୟବାଦ ଅର୍ପଣ କରିଥିଲେ । ପିକକର ଅଳ୍ପନା ଦାସ, ଜ୍ୟୋତି ଶଙ୍କର ମହାନ୍ତି ପ୍ରମୁଖ ୱେବିନାର ପରିଚାଳନାରେ ସହାୟତା କରିଥିଲେ ।