Home Health ତମାଖୁ ନିୟନ୍ତ୍ରଣ ପାଇଁ ସାଂସଦଙ୍କ ଆହ୍ୱାନ

ତମାଖୁ ନିୟନ୍ତ୍ରଣ ପାଇଁ ସାଂସଦଙ୍କ ଆହ୍ୱାନ

ଭୁବନେଶ୍ୱର : ଜାତୀୟ ଓ ରାଜ୍ୟସ୍ତରୀୟ ନୀତିରେ ପରିବର୍ତ୍ତନ ଆଣି ତମାଖୁ ସେବନ ହ୍ରାସ କରିବା ତଥା ଜନସ୍ୱାସ୍ଥ୍ୟ ପରିସ୍ଥିତିରେ ସୁଧାର ଆଣିବା ଦିଗରେ ଅନୁକୂଳ ପରିସ୍ଥିତି ସୃଷ୍ଟି କରିବା ଉଦ୍ଦେଶ୍ୟରେ ସିଭିଲ୍ ସୋସାଇଟି ଓ ସଚେତନ ନାଗରିକମାନଙ୍କୁ ନେଇ ଗଠିତ କୋଆଲିସନ୍ ଫର ତବାକୋ ଫ୍ରି ଓଡିଶା ଅନୁକୂଲ୍ୟରେ ‘କୋଟ୍‌ପା ଏବଂ ତମାଖୁ ନିୟନ୍ତ୍ରଣ ନୀତିକୁ ସୁଦୃଢ କରି ଜନସ୍ୱାସ୍ଥ୍ୟରେ ଉନ୍ନତି’ ଶୀର୍ଷାଙ୍କ ଏକ ଆଲୋଚନାଚକ୍ର ଆୟୋଜନ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ସାଂସଦମାନେ ଯୋଗଦେଇ ଦେଶ ତଥା ରାଜ୍ୟରେ ତମାଖୁ ସେବନକୁ ନିୟନ୍ତ୍ରଣ କରିବା ପାଇଁ ଗୁରୁତ୍ୱର ସହ ପଦକ୍ଷେପ ନେବା ଦିଗରେ କେନ୍ଦ୍ର ତଥା ରାଜ୍ୟ ସରକାରଙ୍କୁ ଆହ୍ୱାନ ଦେଇଥିଲେ ।

ଏହି ପ୍ୟାନେଲରେ ମାନ୍ୟବର ରାଜ୍ୟସଭା, ସାଂସଦ ଶ୍ରୀଯୁକ୍ତ ପ୍ରଶାନ୍ତ କୁମାର ନନ୍ଦ, ରାଜ୍ୟସଭା, ସାଂସଦ ମିଜବୁଲ୍ଲା ଖାନ୍‌, ରାଜ୍ୟସଭା, ସାଂସଦ ସୁଜିତ କୁମାର (ଭିଡିଓ କନଫରେନ୍ସିଂ ଜରିଆରେ), ଖଲ୍ଲିକୋଟ୍ ବିଶ୍ୱବିଦ୍ୟାଳୟର ଭିସି, ପ୍ରଫୁଲ୍ଲ କୁମାର ମହାନ୍ତି, ସୁପ୍ରିମକୋର୍ଟ ଆଇନଜୀବି, ରଞ୍ଜିତ କୁମାର ସିଂ, ଓଙ୍କୋଲୋଜିଷ୍ଟ୍‌, ଏଚ୍‌ସିଜି ପଣ୍ଡା କର୍କଟ ହସ୍ପିଟାଲ, ଡ.କୃପାସିନ୍ଧୁ ପଣ୍ଡା, ଶିକ୍ଷାବିତ୍ ଡ. ମୀନାକ୍ଷୀ ପଣ୍ଡା ଏବଂ ପିକକ୍‌୍‌ର ସମ୍ପାଦକ ରଞ୍ଜନ କୁମାର ମହାନ୍ତି ଯୋଗଦେଇଥିଲେ ।

ଡବ୍ଲୁଏଚ୍‌ଓ ୨୦୧୮ ରିପୋର୍ଟରେ ଦର୍ଶାଯାଇଛି, ତମାଖୁ ଦ୍ୱାରା ପ୍ରତିବର୍ଷ ୧ ମିଲିୟନ୍‌ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥାଏ, ଯାହା ସମସ୍ତ ମୃତ୍ୟୁର ୯.୫% । ଗ୍ଲୋବାଲ୍ ୱାଲ୍‌ର୍ଡ ତମାଖୁ ସର୍ଭେ (ଜିଏଟିଏସ୍‌) ୨୦୧୬-୧୭ର ଅନ୍ୟ ଏକ ରିପୋର୍ଟ ଅନୁଯାୟୀ, ପ୍ରାୟ ୨୬୭ ମିଲିୟନ୍‌୧୫ ବର୍ଷରୁ ଅଧିକ(୨୯%) ଲୋକ ହେଉଛନ୍ତି ତମାଖୁ ବ୍ୟବହାରକାରୀ । ଏଥିସହିତ, ୩୮.୭% କିଶୋର ଘରେ, ୩୦.୨% କର୍ମକ୍ଷେତ୍ରରେ ଓ ୭.୪% ରେଷ୍ଟୁରାଣ୍ଟପରୋକ୍ଷ ଭାବେ ତମାଖୁ ଦ୍ୱାରା ପ୍ରଭାବିତ ହୋଇଥାନ୍ତି ।
ଚଳଚିତ୍ରଗୁଡିକ ଶିଶୁ ଏବଂ ଯୁବକମାନଙ୍କ ଆଚରଣକୁ ବହୁତ ପ୍ରଭାବିତ କରି ଏକ ମାରାତ୍ମକ ଉତ୍ପାଦକୁ ସାମାଜିକ ସ୍ଥିତି କିମ୍ବା ସ୍ୱାଧୀନତାର ଚିହ୍ନରେ ପରିଣତ କରିବାର ସୁଯୋଗ ପ୍ରଦାନ କରେ । ଧୁମପାନ ମୁକ୍ତ ଚଳଚିତ୍ରର ତୃତୀୟ ସଂସ୍କରଣ ଓ ଡବ୍ଲୁଏଚ୍‌ଓ ଅନୁଯାୟୀ, ପ୍ରାୟ ୧୯% କିଶୋରମାନେ ଏବଂ ପ୍ରାୟ ୮% (୧.୮ ବିଲିୟନ୍‌) ୬-୧୧ ବର୍ଷ ବୟସର ପିଲାମାନେ ସିନେମାରେ ତମାଖୁ ବ୍ୟବହାର ଅନୁସରଣ କରିଥାନ୍ତି ।

ସିଗାରେଟ୍ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ (ବିଜ୍ଞାପନର ନିଷେଧାଦେଶ, ବାଣିଜ୍ୟ, ବାଣିଜ୍ୟର ନିୟମାବଳୀ, ଉତ୍ପାଦନ,ଯୋଗାଣ ଏବଂ ବଣ୍ଟନ) ଅଧିନିୟମ, ୨୦୦୩ (କୋଟ୍‌ପା) ହେଉଛି ଭାରତରେ ତମାଖୁ ନିୟନ୍ତ୍ରଣର ଏକ ପ୍ରମୁଖ ଆଇନ । ସର୍ବସାଧାରଣ ସ୍ଥାନରେ ଧୂମପାନ ଉପରେ ପ୍ରତିବନ୍ଧକ, ତମାଖୁ ବିଜ୍ଞାପନ,ପୃଷ୍ଠପୋଷକତା, ନାବାଳକଙ୍କୁ ତମାଖୁ ବିକ୍ରୟ ଏବଂ ପ୍ୟାକେଟ୍ ଉପରେ ସ୍ୱାସ୍ଥ୍ୟ ଚେତାବନୀ ଭଳି ବିଷୟ ଏଥିରେ ଅନ୍ତର୍ଭୁକ୍ତ ।

ଚଳଚିତ୍ର ତଥା ଓଟିଟିରେ ତମାଖୁ ପ୍ରଦର୍ଶନ ଆଇନ୍ ଉପରେ ଆହ୍ୱାନ ଦେଇ ରାଜ୍ୟସଭାର ମାନ୍ୟବର ସାଂସଦ ପ୍ରଶାନ୍ତ କୁମାର ନନ୍ଦ କହିଛନ୍ତି, “ଡିଜିଟାଲ୍ ପ୍ଲାଟଫର୍ମରରେ ତମାଖୁ ବ୍ୟବହାର ପ୍ରଦର୍ଶନର ଦିନକୁ ଦିନ ବୃଦ୍ଧି ପାଉଛି । ସିଗାରେଟ୍‌, ତମାଖୁ କିମ୍ବା ମଦ୍ୟପାନ ଏପରି କ୍ଷତିକାରକ ଦ୍ରବ୍ୟର ପ୍ରଦର୍ଶନ ଉପରେ କୌଣସି ନିର୍ଦ୍ଦାରିତ ସୀମା ନାହିଁ । ଓଟିଟି ପ୍ଲାଟଫର୍ମଗୁଡିକ ତମାଖୁକୁ ସାର୍ବଜନୀନ କରିବା ପାଇଁ ପ୍ରମୁଖ ପ୍ଲାଟଫର୍ମ ହୋଇଯାଇଛି କାରଣ ଏଥିରେ କୌଣସି ସେନ୍ସ୍‌ର ନାହିଁ । ଏହି ପ୍ଲାଟଫର୍ମରେ ଦର୍ଶକଙ୍କ ପାଇଁ କୌଣସି ସୀମା ଧାର୍ଯ୍ୟ ନଥିବାରୁ ମୁଁ ି ନୀତି ନିର୍ମାତାମାନଙ୍କୁ ତମାଖୁର ପ୍ରଦର୍ଶନକୁ ବାରଣ କରିବା ପାଇଁ ଆଇନ ଆଣିବାକୁ ଆହ୍ୱାନ ଦେଉଛି ।”

ପିଲାମାନଙ୍କ ମଧ୍ୟରେ ତମାଖୁ ସେବନକୁ ପ୍ରାଧାନ୍ୟ ଦେଇ ରାଜ୍ୟସଭାର ମାନ୍ୟବର ସାଂସଦ ମିଜିବୁଲ୍ଲା ଖାନ୍ କହିଛନ୍ତି ଯେ, “ତମାଖୁ ଏବଂ ସିଗାରେଟ୍ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ବିପଦଜନକ । ସହଜରେ ମିଳିଯାଉଥିବାରୁ ଆଜିକାଲି ପିଲାମାନେ ତମାଖୁ ସେବନ କରୁଛନ୍ତି । ସେମାନେ ଆମ ଦେଶର ଭବିଷ୍ୟତ ଏବଂ ସେମାନଙ୍କୁ ଏପରି ବିପଦରୁ ରକ୍ଷା କରି ଭବିଷ୍ୟତକୁ ସୁରକ୍ଷା ଦେବା ଆମର ଦାୟିତ୍ୱ । ମୁଁ ନିଜେ ତମାଖୁ ସେବନ କରି ନାହିଁ କାରଣ ମୁଁ ଏହାର ପରିଣାମ ବୁଝିଛିି । ଓଡିଶାର ଲୋକଙ୍କ ପାଇଁ ମୁଁ ଅନ୍ୟ ସାଂସଦଙ୍କ ସହ ସଂସଦରେ ଏହି ପ୍ରସଙ୍ଗ ଉଠାଇବି ଏବଂ ତମାଖୁ ନିୟନ୍ତ୍ରଣ ନୀତିକୁ ଦୃଢ କରିବା ପାଇଁ ମୁଁ ଯଥା ସାଧ୍ୟ ଚେଷ୍ଟା କରିବି ।”

ଭିଡିଓ କନଫରେନ୍ସିଂ ଜରିଆରେ ଅଂଶଗ୍ରହଣ କରି ମାନ୍ୟବର ସାଂସଦ ସୁଜିତ କୁମାର କହିଛନ୍ତି ଯେ, “ଓଡିଶାକୁ ତମାଖୁ ମୁକ୍ତ କରିବା ପାଇଁ ଏହି ଅଭିଳାଷୀ ଚେଷ୍ଟାର ଏକ ଅଂଶ ହୋଇଥିବାରୁ ମୁଁ ଆନନ୍ଦିତ । ମୁଁ ସଂସଦୀୟ ସଦସ୍ୟ ଭାବରେ ମୋର କର୍ତ୍ତବ୍ୟ ନିଶ୍ଚିତ କରିବି ।” “ବିଦ୍ୟାଳୟ,କଲେଜ ଏବଂ ସର୍ବସାଧାରଣ ସ୍ଥାନରେ ତମାଖୁ ଦ୍ୱାରା ହେଉଥିବା କ୍ଷୟକ୍ଷତି ଉପରେ ଆମକୁ ସଠିକ୍ ସଚେତନତା ନିଶ୍ଚିତ କରିବାକୁ ପଡିବ ଏବଂ ଆଇନ ପ୍ରଣୟନକାରୀ ସଂସ୍ଥାଗୁଡିକୁ ମଧ୍ୟ ସଚେତନ କରାଯିବା ଆବଶ୍ୟକ ଯାହା ଦ୍ୱାରା ଆଇନଗୁଡିକ କଡାକଡି କାର୍ଯ୍ୟକାରୀ ହେବ । ସେ ଆହୁରି କହିଛନ୍ତି, ପରାମର୍ଶ ପ୍ରକ୍ରିୟାର ଲକ୍ଷ୍ୟ ହାସଲ କରିବା ପାଇଁ ବହୁ ଲମ୍ବା ଯାତ୍ରା କରିବାକୁ ପଡିବ । ପଞ୍ଚାୟତରାଜ ଅନୁଷ୍ଠାନ ସମେତ ସମସ୍ତ ହିତାଧିକାରୀଙ୍କୁ ଏହି ଜନସ୍ୱାସ୍ଥ୍ୟ ପ୍ରସଙ୍ଗରେ ଜଡିତ ହୋଇ ଓଡିଶାକୁ ତମାଖୁ ମୁକ୍ତ କରିବାକୁ ସେ ଅନୁରୋଧ କରିଛନ୍ତି ।”

ତମାଖୁ ଦ୍ୱାରା ହୋଉଥିବା ସ୍ୱାସ୍ଥ୍ୟଗତ ଅସୁବିଧା ବିଷୟରେ ଗୁରୁତ୍ୱ ଦେଇ ଓଙ୍କୋଲୋଜିଷ୍ଟ, ଏଚସିଜି ପଣ୍ଡା କର୍କଟ ହସ୍ପିଟାଲ୍‌, ଡ.କୃପାସିନ୍ଧୁ ପଣ୍ଡା କହିଛନ୍ତି, “ମୃତ୍ୟୁ ଅପରିହାର୍ଯ୍ୟ ଅଟେ କିନ୍ତୁ ଆମେ ଅପ୍ରାକୃତିକ ଉପାୟରେ ମୃତ୍ୟୁବରଣ କରିବା ଉଚିତ୍ ନୁହେଁ । ସେହିଭଳି ୪ିକ ଯାହା ଅପ୍ରାକୃତିକ ମୃତ୍ୟୁର କାରଣ ହୋଇଥାଏ । ସେଗୁଡିକ ହେଲା କ୍ୟାଟଲିଷ୍ଟ୍‌, କ୍ୟାଜ୍ୟୁଲିଟି, କରୋନା ଓ କ୍ୟାନସର୍ ।

ବର୍ତ୍ତମାନ ସମୟରେ ମୁଖ କର୍କଟ ସବୁଠାରୁ ଅଧିକ ହେଉଥିବା କର୍କଟ ରୋଗ ମଧ୍ୟରୁ ଗୋଟିଏ । ଯାହାର କାରଣ ତମାଖୁ ସେବନ । ତମାଖୁ ସେବନ ଦ୍ୱାରା ସ୍ୱାସ୍ଥ୍ୟଗତ ରୋଗ ଯଥା ପ୍ରସବ ସମୟ ପୂବର୍ରୁ ଜନ୍ମ, ପ୍ରସବ କାଳୀନ ମୃତ୍ୟୁ, ଶ୍ୱାସରୋଗ,କର୍କଟ,ଇଣ୍ଟ୍ରାଟେରାଇନ୍ ଅଭିବୃଦ୍ଧି, ସ୍ନାୟୁ ଜନିତ ରୋଗ, ଶୈଶବ ବ୍ୟତିକ୍ରମ, ଅବସାଦ ଇତ୍ୟାଦି ହୋଇଥାଏ । ତମାଖୁ ଉପରେ ବ୍ୟାନ୍‌, ସଚେତନତା, ଏହାକୁ ରୋକିବା ପାଇଁ ନୂତନ ଯୋଜନା ଓ ବର୍ତ୍ତମାନ ଥିବା ନିୟମରେ ପରିବର୍ତ୍ତନ କଲେ ହିଁ ତୁମାଖୁ ଭଳି ବିପଦପୂର୍ଣ୍ଣ ଜିନିଷରୁ ମୁକ୍ତି ମିଳିପାରିବ ବୋଲି ସେ ପ୍ରସ୍ତାବ ଦେଇଥିôଲେ ।

କୋଟ୍‌ପା ଆଇନ୍ ଓ ଏହାର ସଂଶୋଧନ ଉପରେ ସମ୍ପୂର୍ଣ୍ଣ ବିବରଣୀ ଉପସ୍ଥାପନ କରି ସୁପ୍ରିମକୋର୍ଟ ଆଇନଜୀବୀ, ରଞ୍ଜିତ କୁମାର ସିଂ କହିଛନ୍ତି, “କୋଟ୍‌ପା ନୀତି ଯାହାକି ୨୦୦୩ରୁ କାର୍ଯ୍ୟକାରୀ ହୋଇଆସୁଛି ସେଥିରେ କିଛିଟା ପରିବର୍ତ୍ତନର ଆବଶ୍ୟକତା ରହିଛି । ଏହି ନୀତିରେ ଜନସାଧାରଣ ସ୍ଥାନରେ ଧୂମପାନ କରିବା ବାରଣ କରାଯାଇଥିଲେ ମଧ୍ୟ ବିମାନ ବନ୍ଦର, ରେଷ୍ଟୁରାଣ୍ଟରେ ଧୂମପାନ ବ୍ୟବସ୍ଥା ତମାଖୁକୁ ଅଧିକ ପ୍ରୋତ୍ସାହନ ଦେଉଛି । ଦୋକାନମାନଙ୍କରେ ତମାଖୁ ବିକ୍ରି ହେବା ଦ୍ୱାରା ଏହା ପିଲାମାନଙ୍କ ପାଇଁ ହାତପାହାନ୍ତା ହୋଇାଯାଇଛି । ନକାରାତ୍ମକ ବିଜ୍ଞାପନ ପାଇଁ ମଧ୍ୟ ନିୟମ କଡାକଡି ହେବାର ଆବଶ୍ୟକତା ରହିଛି ।

ଆମ ସମ୍ବିଧାନରେ ସମସ୍ତ ନାଗରିକଙ୍କର ସୁରକ୍ଷିତ ଭାବେ ବଞ୍ଚିବାର ଅଧିକାର ରହିଛି । ହେଲେ ଧୂମପାନର ଅହେତୁକ ବୃଦ୍ଧି ଯୋଗୁଁ ଧୂମପାନ କରୁନଥିବା ବ୍ୟକ୍ତିମାନେ ମଧ୍ୟ ପ୍ରଭାବିତ ହେଉଛନ୍ତି,ଯାହାଫଳରେ ସେମାନଙ୍କର ସାମ୍ବିଧାନିକ ଅଧିକାର କ୍ଷୁର୍ଣ୍ଣ ହେଉଛି । ପିକକ୍‌୍‌ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶିକା, ଅନୁରାଧା ମହାନ୍ତି ଏହି ପରାମର୍ଶ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ।
କର୍କଟ ରୋଗକୁ ପରାଜିତ କରି ଏକ ନୂତନ ଜୀବନ ଆରମ୍ଭ କରିଥିବା ପରାମାନନ୍ଦ ଦଳେଇ, ଦାନେଇ କରଣ ଏବଂ ଗଗନ ସାହୁ ସେମାନଙ୍କ ଅଭିଜ୍ଞତା ବିଷୟରେ କହିଥିଲେ । ଏହି କାର୍ଯ୍ୟକ୍ରମରେ ଓଡିଶାର ବିଭିନ୍ନ ସ୍ଥାନରେ ତମାଖୁ ନିୟନ୍ତ୍ରଣ ପାଇଁ କାର୍ଯ୍ୟ କରୁଥିବା ସଂସ୍ଥାମାନେ ମଧ୍ୟ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here